ରାଉରକେଲା: ଝାରଖଣ୍ଡ ରାମଗଡର ଆର୍ମି କ୍ୟାଣ୍ଟିନ୍‌କୁ ଯାଉଥିବା ୪୩ ଲକ୍ଷ ଟଙ୍କାର କସ୍‌ମେଟିକ୍‌ ସାମଗ୍ରୀ ରାଉରକେଲାରେ ବିକି ଦେବା ଯୋଜନା ପଣ୍ଡ ହୋଇଛି। ବିହାର ପାଟନା ପୁଲିସ ସୂଚନା ଆଧାରରେ ରଘୁନାଥପାଲୀ ପୁଲିସ ବାଲୁଘାଟ ନଦୀଟୋଲାରୁ କ୍ୟାଣ୍ଟିନ୍‌ କସ୍‌ମେଟିକ୍‌ ସାମଗ୍ରୀ ବୋଝେଇ ଟ୍ରକକୁ ଜବତ କରିଛି। ଜବତ ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ସାବୁନ୍‌, ତେଲ, କସ୍‌ମେଟିକ୍‌ ସାମଗ୍ରୀ ଓ ଡିଟରଜେଣ୍ଟ ପାଉଡର ଇତ୍ୟାଦି। ଏହି ଘଟଣାରେ ପୁଲିସ ଦୁଇ ମହିଳା, ଟ୍ରକ ମାଲିକ ସମେତ ୫ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବିହାର ଗୟା ଜିଲ୍ଲା ଭଦମର ଟ୍ରକ ମାଲିକ ତଥା ଡ୍ରାଇଭର ଧୀରଜ କୁମାର ଓରଫ ଗୌରବ (୨୫), ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଡିଏଭି ଗଳିର ରାଜବୀର ଶର୍ମା , ଉଦିତନଗର ମାଲଗୋଦାମର ଗୌରବ କୁମାର ଓରଫ ଲାଲୁ , ବାଲୁଘାଟର ଦୀପା ଶର୍ମା (୩୯), ବୀମରିତ୍ରପୁର ବନମୁଣ୍ଡା ଦଫେଇର ଆରତୀ ଶର୍ମା (୪୧)। ପୁଲିସ କସ୍‌ମେଟିକ୍‌ ସାମଗ୍ରୀ ବୋଝେଇ ଟ୍ରକ (ଜେଏସ୍‌୦୯ଏୱାଇ ୮୪୭୮) ସହ ଏକ ହୁଣ୍ଡାଇ କାର୍‌ (ଏମ୍‌ଏଚ୍‌୦୨ଏଏଲ୍‌୮୧୧୬), ସ୍କୋର୍ପିଓ (ଓଆର୍‌୧୪ପି-୫୮୫୩), ଚାରିଟି ମୋବାଇଲ, ଗୋଟିଏ କିପେଡ୍‌ ଫୋନ୍‌, ନଗଦ ୬୦ ହଜାର ଟଙ୍କା ଜବତ କରିଛି।

Advertisment

ଜବତ କସ୍‌ମେଟିକ୍‌ ସାମଗ୍ରୀ ବଜାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଟ୍ରକ ମାଲିକ ଗୌରବ ନକଲି ନମ୍ବର ପ୍ଲେଟ ବ୍ୟବହାର କରି ମାଲ୍‌ପରିବହନ କରୁଥିଲା। ମାଲ୍‌ ଠିକଣାସ୍ଥାନରେ ପହଞ୍ଚିବା ପରେ ନକଲି ନମ୍ବର ପ୍ଲେଟକୁ ବାହାର କରି ଅସଲି ନମ୍ବରପ୍ଲେଟ ଗାଡିରେ ଲଗାଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଟ୍ରକରୁ କିଛି ନକଲି ନମ୍ବରପ୍ଲେଟ ପୁଲିସ ଜବତ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଗତ ୪ ତାରିଖରେ ବିହାର ପାଟନା ସଉଗିପୁରସ୍ଥ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡରୁ ୧୪୦୦ କାର୍ଟୁନ କସ୍‌ମେଟିକ୍‌ ସାମଗ୍ରୀ (ଯାହାର ବଜାର ମୂଲ୍ୟ ୭୦ ଲକ୍ଷ ଟଙ୍କା) ଝାରଖଣ୍ଡ ରାମଗଡସ୍ଥ ଆର୍ମି କ୍ୟାଣ୍ଟିନକୁ ଯାଉଥିଲା। ଗତ ୬ ତାରିଖରେ ଏସବୁ ସାମଗ୍ରୀ କ୍ୟାଣ୍ଟିନ୍‌ରେ ପହଞ୍ଚିବାର ଥିଲା। ତେବେ ଗିରଫ ଅଭିଯୁକ୍ତମାନେ ଗୌରବକୁ ମୋଟା ଅଙ୍କର ଅର୍ଥ ଲୋଭ ଦେଖାଇ ରାଉରକେଲାକୁ କସ୍‌ମେଟିକ୍‌ ବୋଝେଇ ଟ୍ରକ ନେଇ ଆସିବାକୁ କହିଥିଲେ। ଲୋଭରେ ପଡ଼ି ଗୌରବ ଝାଡ଼ଖଣ୍ଡ ରାମଗଡ଼ କ୍ୟାଣ୍ଟିକୁ କସ୍‌ମେଟିକ୍‌ ସାମଗ୍ରୀ ବୋଝେଇ ଟ୍ରକ ନେବା ପରିବେର୍ତ୍ତ ରାଉରକେଲାକୁ ‌ନେଇ ଆସିଥିଲେ। ପାନପୋଷ ବାଲୁଘାଟରେ ଟ୍ରକରୁ କସ୍‌ମେଟିକ୍‌ ସାମଗ୍ରୀଗୁଡ଼ିକୁ ଅନ୍‌ଲୋଡ କରିଥିଲେ।

publive-image

ଗିରଫ ମହିଳାଙ୍କ ଘରେ ସେସବୁ ମହଜୁଦ ରଖା ଯାଇଥିଲା। ସେପଟେ ୬ ତାରିଖ କ୍ୟାଣ୍ଟିନ୍‌ରେ ସାମଗ୍ରୀ ନ ପହଞ୍ଚିବାରୁ କମ୍ପାନୀର ମ୍ୟାନେଜର ରାଘବ ପ୍ରସାଦଙ୍କ ସନ୍ଦେହ ହୋଇଥିଲା। ଏ ପର୍ଯ୍ୟନ୍ତ ସାମଗ୍ରୀ କାହିଁକି ପହଞ୍ଚି ନାହିଁ ବୋଲି ଜାଣିବାକୁ ଡ୍ରାଇଭର ଗୌରବ ସହ ଫୋନରେ ଯୋଗାଯୋଗ କରିଥିଲେ। ଗୌରବର ମୋବାଇଲ ବନ୍ଦ ଥିବାରୁ ତାଙ୍କର ସନ୍ଦେହ ଆହୁରି ବଢ଼ିଥିଲା। ତେଣୁ ଗତ ୧୩ ତାରିଖରେ ବିହାର ପାଟନା ଥାନାରେ ଲିଖିତ ଏତଲା ଦେଇଥିଲେ। ରାଘବଙ୍କ ଲିଖିତ ଅଭିଯୋଗ ଆଧାରରେ ପାଟନା ପୁଲିସ ମାମାଲା ରୁଜୁ କରିବା ସହ ଡ୍ରାଇଭର ମୋବାଇଲ ନମ୍ବରକୁ ଟ୍ରାକିଂ କରିଥିଲେ। ଡ୍ରାଇଭର ଗୌରବ ରାଉରକେଲା ପାନପୋଷ ଅଞ୍ଚଳରେ ଥିବା ଜଣାପଡିବା ପରେ ପୁଲିସ ରାଉରକେଲା ପୁଲିସକୁ ଏ ସଂକ୍ରାନ୍ତରେ ଜଣାଇଥିଲା। ରଘୁନାଥପାଲୀ ପୁଲିସର ସ୍ବତନ୍ତ୍ର ଟିମ୍‌ ଗତକାଲି ରାତିରେ ବାଲୁଘାଟ ନଦୀଟୋଲା ବସ୍ତିରେ ଚଢ଼ଉ କରି କସ୍‌ମେଟିକ୍‌ ସାମଗ୍ରୀ , ଟ୍ରକ, ଗିରଫ ଅଭିଯୁକ୍ତ ବ୍ୟବହାର କରୁଥିବା କାର୍‌ ସହ ଟ୍ରକ ଡ୍ରାଇଭରକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।