ତେଲକୋଇ/ରାଇସୁଆଁ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ୪୩ ଅନ୍ତେବାସୀ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି। ସମସ୍ତ ଛାତ୍ରୀଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। ୧୫ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ସେମାନେ ଛାତ୍ରୀ ନିବାସକୁ ଫେରିଛନ୍ତି। ଅନ୍ୟ ୨୮ ଜଣ ଛାତ୍ରୀ ଏବେ ବି ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ପୂର୍ବଭଳି ପେଟ କାମୁଡିବା ସହି ଝାଡା ଓ ଜ୍ବର ହେଉଛି।

Advertisment

ସେହି ଛାତ୍ରୀମାନେ ହେଲେ କରପୁରା ମାଝୀ(୧୨), ମଧୁସ୍ମିତା ନାୟକ(୧୨), ଗୀତାଞ୍ଜଳି ହେମ୍ବ୍ରମ(୧୩), ପିଙ୍କି ମାରାଣ୍ଡି(୧୨), ଦୀପ୍ତିମୟୀ ନାୟକ(୧୧), ସସ୍ମିତା ପୂର୍ତ୍ତି(୧୧), ପ୍ରୀତି ନାୟକ(୧୩), ଚାନ୍ଦୁ ମୁଣ୍ଡା(୧୫), ସୁଭଦ୍ରା ମୁଣ୍ଡା(୧୩), ସୁଶ୍ରୀ ସୁନାଇ ଚାତାର(୧୫), ତରୁଲତା ନାୟକ(୧୩), ରିଙ୍କି ପ୍ରଧାନ(୧୨) ଓ ଯମୁନା ହେମ୍ବ୍ରମ(୧୩)। ସମସ୍ତ ଅସୁସ୍ଥ ଛାତ୍ରୀ ତେଲକୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସୁସ୍ଥ ହୋଇ ଛାତ୍ରୀନିବାସକୁ ଫେରିଆସିଥିବା ଛାତ୍ରୀମାନେ ହେଲେ ରୁପେଲି ପାତ୍ର, ସସ୍ମିତା ପାତ୍ର, ନମିତା ମୁଣ୍ଡା, ଛବି ସୋରେନ, ପାଙ୍ଗେଲ ମୁଣ୍ଡା, ଇସମିତା ବିରୁଆ, ରଇବାରି ମୁଣ୍ଡା, ରଇବାରି ବାରିଜ, ଡଲି ସୋରେନ, ଓ ଦୁଲାରି ବେସ୍ରା।

ସୋମବାର ରାତିରେ ଭାତ ଓ ଡାଲମା ଖାଇ ଅନ୍ତେବାସୀ ଶୋଇଥିଲେ। ରାତିରେ କିଛି ଛାତ୍ରୀଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ କରିଥିଲା। ସେଥିପ୍ରତି ନିୟୋଜିତ କୌଣସି କର୍ମଚାରୀ ଗୁରୁତ୍ବ ଦେଇ ନଥିବା ଅଭିଯୋଗ ହୋଇଛି।  ମଙ୍ଗଳବାର ସକାଳ ୭ଟା ବେଳେ ସମସ୍ତ ଅନ୍ତେବାସୀ ସୁଜି ଉପମା ଖାଇଥିଲେ। ସକାଳ ୯ଟାରୁ ସାଢ଼େ ୯ଟା ବେଳେ ଭାତ, ଡାଲି ଓ ତରକାରୀ ଖାଇ ପାଠ ପଢିବା ପାଇଁ ସ୍କୁଲକୁ ଯାଇଥିଲେ।  ସେଠାରେ ଦିନ ପ୍ରାୟ ୧୨ଟାରୁ ଗୋଟାଏ ଭିତରେ ଜଣେ ପରେ ଜଣେ ଛାତ୍ରୀ  ଯନ୍ତ୍ରଣା ଅନୁଭବ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ସ୍କୁଲକୁ ଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଗାଡ଼ି କର୍ମଚାରୀଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଇଥିଲେ।

ରୋଗ ଉପଶମ ହେବା ପରିବର୍ତ୍ତେ ସନ୍ଧ୍ୟାରେ ଯନ୍ତ୍ରଣା ଅଧିକ ହୋଇଥିଲା। ଫଳରେ ସମସ୍ତ ଆକ୍ରାନ୍ତ ଛାତ୍ରୀଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ତେଲକୋଇ ବିଡ଼ିଓ ଶାନ୍ତନୁ କୁମାର ନାୟକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅପରାହ୍ଣ ୫ଟା ବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତେଲକୋଇ ଡାକ୍ତରଖାନାରେ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହିତ ରାଇସୁଆଁ ଯାଇଛନ୍ତି। ସେଠାରୁ ପରୀକ୍ଷା ପାଇଁ ବ୍ୟବହୃତ ପାଣିର ନମୁନା, ରୋଗୀଙ୍କ ମଳ ସଂଗ୍ରହ କରାଯାଇଛି। ନମୁନାଗୁଡ଼ିକ ପରୀକ୍ଷା ନିମନ୍ତେ ଭୁବନେଶ୍ୱର ପଠାଯିବ। ଏହି ଦଳରେ ଏଡିପିଏଚଓ ଡାକ୍ତର ରମାକାନ୍ତ ମୁଣ୍ଡା, ଏପିଡେମିଓ ଲୋଜିଷ୍ଟ୍ ଜ୍ୟୋତିରଞ୍ଜନ ରାଉତ ଓ ହେଲଥ୍ ସୁପରଭାଇଜର ବିଶ୍ବରଞ୍ଜନ ମିଶ୍ର ସାମିଲ ହୋଇଛନ୍ତି।

ଏନେଇ ସଂପୃକ୍ତ ଡାକ୍ତର ଶ୍ରୀ ମୁଣ୍ଡାଙ୍କୁ ପଚାରିବାରୁ ସମସ୍ତ ନମୁନା ସଂଗ୍ରହ କରାଯାଇଛି, ଏହାର ପରୀକ୍ଷା ପରେ କାରଣ ଜଣାପଡିବ ବୋଲି କହିଛନ୍ତି। ତେବେ ବିଷାକ୍ତ ଖାଦ୍ୟ କିମ୍ବା ଦୂଷିତ ପାନୀୟ ଜଳ ଯୋଗୁଁ ଏଭଳି ଘଟିଥିବା ଅଭିଭାବକମାନେ  ପ୍ରକାଶ କରିଛନ୍ତି। ଏନେଇ ଛାତ୍ରୀ ନିବାସ ଦାୟିତ୍ବରେ ଥିବା ସହକାରୀ ଶିକ୍ଷୟତ୍ରୀ ଯମୁନା ସୋରେନଙ୍କୁ ପଚାରିବାରୁ ୮୪ ଜଣ ଅନ୍ତେବାସୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଜଣ ଏଭଳି ଆକ୍ରାନ୍ତ ହୋଇଛନ୍ତି। କେଉଁ କାରଣରୁ ଏଭଳି ଘଟିଛି କହିବା ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି।

ଘଟଣା ସଂପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ ମେନୁ ଅନୁଯାୟୀ ଛାତ୍ରୀମାନଙ୍କୁ ଖାଦ୍ୟ ଦିଆଯାଉଛି। ଗତକାଲି ସେମାନଙ୍କୁ ସୁଜି ଉପମା ଦିଆଯାଇଥିଲା। ତେବେ କ’ଣ ପାଇଁ ଏପରି ଘଟିଲା କହିହେଉ ନାହିଁ। ଅନ୍ୟପଟେ ବ୍ଲକ୍ ଡବ୍ଲୁଓ ସରସ୍ୱତୀ ମୁଣ୍ଡାରି,  ବିଡିଓ ସାନ୍ତୋଷ କୁମାର ନାୟକ ହଷ୍ଟେଲରେ ପହଞ୍ଚି ଯାଞ୍ଚ କରିଛନ୍ତି। ଅନ୍ୟପଟେ ବିଶେଷଜ୍ଞଦଳ ପହଞ୍ଚି ପାନୀୟ ଜଳର ମାନ ଯାଞ୍ଚ କରିଛନ୍ତି।