ଖୋର୍ଦ୍ଧା-ପୁରୀ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ୪୩୨ଟି ବ୍ୟାଙ୍କ ଶାଖା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ଓଡ଼ିଶାର ୧୪ଟି ଜିଲ୍ଲା ବହୁ ପ୍ରଭାବିତ ହୋଇଥିବା ବେଳେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ମାତ୍ର ବାତ୍ୟାର ୬ ଦିନ ପରେ କେବଳ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୪୩୨ଟି ବ୍ୟାଙ୍କ ଶାଖାକୁ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ସଚିବ ସଂଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ୭୦୭ଟି ବ୍ୟାଙ୍କ ଶାଖା ରହିଛି ଏବଂ ସେଥିରୁ ଏବେ ସୁଦ୍ଧା ୩୭୨ଟି ବ୍ୟାଙ୍କ ବ୍ରାଞ୍ଚ କାମ କରୁଛି। ସେହିପରି ପୁରୀ ଜିଲ୍ଲାରେ ୨୩୯ଟି ବ୍ୟାଙ୍କ ଶାଖା ମଧ୍ୟରୁ ୬୦ଟି କାର୍ଯ୍ୟକ୍ଷମ ହୋଇ ପାରିଛି।

ବିଦ୍ୟୁତ ସଂଯୋଗ ନେଇ ଶ୍ରୀ ସିଂହ କହିଛନ୍ତି, ବିସିଡିଡି-୨ରେ ଆଜି ଆଉ ୨୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ହୋଇପାରିଛି। ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରର ଆଉ ୨୦ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ମିଳିବ।

ଭୁବନେଶ୍ୱରରେ ୧୫୦ ଜଣ ଯନ୍ତ୍ରୀ ଓ ୩୨୦୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି। ପୁରୀ, କୋଣାର୍କ, ନିମାପଡ଼ା, ଭୁବନେଶ୍ୱରରେ ଜଳ ଯୋଗାଣ ସ୍ୱାଭାବିକ ହୋଇପାରିଛି। ସେହିପରି ବିସିଡିଡି-୧ ଡିଭିଜନରେ ୩୭ ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଖୋର୍ଦ୍ଧା ଓ ପୁରୀରେ ୮୫ଟି ଜେନସେଟ୍‌ ଯୋଗାଯାଇଛି। ପ୍ରଭାବିତ ୨୩୬୪ ଜଳଯୋଗାଣ କେନ୍ଦ୍ରରୁ ୧୫୫୦ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୩ଟି ସହରାଞ୍ଚଳରେ ୬୨୧ ଅଫିସର ଓ ୫୨୦୦ କର୍ମଚାରୀ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର