ବିଧାନସଭାରେ ମନ୍ତ୍ରୀଙ୍କ ବୟାନ: ଝାଡ଼ାବାନ୍ତିରେ ୪୩୨ ଆକ୍ରାନ୍ତ, ୧୭ ମୃତ

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟର ୭ଟି ଜିଲ୍ଲାକୁ ବର୍ତମାନସୁଦ୍ଧା ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ୪୩୨ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ଜଣଙ୍କର ମୃତ୍ୟୁ ହୋଇଛି। ଝାଡ଼ାବାନ୍ତି ପରିସ୍ଥିତିର ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସରଞ୍ଜାମ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଇଛି। ଖୁବଶୀଘ୍ର ଅବସ୍ଥାରେ ଉନ୍ନତି ଆସିବ ବୋଲି ସୋମବାର ଦିନ ବିଧାନସଭାରେ ବିବୃତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

ଶ୍ରୀ ଦାସ କହିଛନ୍ତି ଯେ ଜୁଲାଇ ୧୩ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ପ୍ରଥମେ ଝାଡ଼ାବାନ୍ତି ନଜରକୁ ଆସିଥିଲା। କାଶୀପୁରର ୫ଟି ଗ୍ରାମପଞ୍ଚାୟତର ୧୧ଟି ଗାଁରୁ ୧୫୯ଜଣ ଆକ୍ରାନ୍ତ ହେବା ସହିତ ୧୦ଜଣ ପ୍ରାଣ ହରାଇଛନ୍ତି। ଟିକିରି ଡାକ୍ତରଖାନାରେ ୧୦, କାଶୀପୁର ଡାକ୍ତରଖାନାରେ ୧୩, ଉତ୍କଳ ଆଲୁମିନାର ଚିକିତ୍ସା କେନ୍ଦ୍ରରେ ୧୪, ଉତ୍କଳ ଆଲୁମିନା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୮ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ନୂଆ ଝାଡ଼ାବାନ୍ତି ମାମଲା କମୁଥିବା ଲକ୍ଷ୍ୟ କରାଯାଉଛି। ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ବାରମ୍ବାର କ୍ଷେତ୍ର ପରିଦର୍ଶନ କରୁଛନ୍ତି। ୬ଜଣ ଡାକ୍ତର ଓ ଜିଲ୍ଲାର ମହାମାରୀ ନିୟନ୍ତ୍ରଣ ଟିମ୍ ସେଠାରେ ରହି କାର୍ଯ୍ୟ ତଦାରଖ କରୁଛନ୍ତି। ୮ଟି ଭ୍ରାମ୍ୟମାଣ ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି। ୪ଟି ଭ୍ରାମ୍ୟମାଣ ଦଳ ସଚେତନତା କାର୍ଯ୍ୟ ଜାରି ରଖିଛନ୍ତି। କୋରାପୁଟ ମେଡିକାଲ କଲେଜରୁ ଏକ ଡାକ୍ତରୀ ଦଳ ଟିକିରି ଅଞ୍ଚଳ ଓ ଦଶମନ୍ତପୁର ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ରାଜ୍ୟସ୍ତରରୁ ଦୁଇ ଜଣ ଯୁଗ୍ମ ନିର୍ଦେଶକ ଏସବୁ ଅଞ୍ଚଳରେ କାର୍ଯ୍ୟର ତଦାରଖ କରୁଛନ୍ତି। ସମୁଦାୟ ୨୦୨ଟି ଜଳ ନମୁନା ଓ ୧୭୪ଟି ମଳ ନମୁନା ପରୀକ୍ଷଣ କରାଯାଇଛି। ଜନସ୍ବାସ୍ଥ୍ୟ ନିର୍ଦେଶକ କ୍ଷେତ୍ର ପରିଦର୍ଶନ ସହ ପରିଚାଳନା ତଦାରଖ କରିଛନ୍ତି। ଆଇନ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଟିକିରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ବିଭାଗ ସହଭାଗିତାରେ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ସହିତ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଜିଲ୍ଲାସ୍ତରରୁ କାର୍ଯ୍ୟକ୍ରମ ଜାରି ରହିଛି।

ସେହିପରି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ର ୫ଟି ଗ୍ରାମକୁ ୮୩ଜଣ ରୋଗୀ ଚିହ୍ନଟ ହୋଇ ଚିକିତ୍ସା ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ୭୬ଜଣ ସୁସ୍ଥ ହୋଇଗଲେଣି। ଏବେ ୬ଜଣ ଚିକିତ୍ସାଧୀନ ରୋଗୀ ଅଛନ୍ତି। ଗତ ୨ଦିନ ଧରି କୌଣସି ନୂଆ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ର ୨ଟି ଗାଁରୁ ଜୁଲାଇ ୨୧ତାରିଖ ପରଠାରୁ ୪୪ଜଣ ଝାଡ଼ାବାନ୍ତି ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ପ୍ରାଣ ହରାଇଥିବା ବେଳେ ୪୧ଜଣ ସୁସ୍ଥ ହୋଇଛନ୍ତି। ୩ଦିନ ଧରି କୌଣସି ନୂଆ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ସୋନପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀ ଓ ତରଭା ବ୍ଲକ୍‌ରୁ ୬୪ଜଣ ଆକ୍ରାନ୍ତ ବାହାରିଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ର ଗୋଟିଏ ଗାଁରୁ ୪୯ଜଣ ଆକ୍ରାନ୍ତ ଓ ଜଣେ ପ୍ରାଣ ହରାଇଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରୁ ୨୧ଜଣ ଓ ଜଣେ ପ୍ରାଣ ହରାଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ୱାର୍ଡ ନଂ ୧୩ରୁ ୧୨ଜଣ ଆକ୍ରାନ୍ତ ହୋଇ ୨ଜଣ ପ୍ରାଣ ହରାଇଛନ୍ତି। ଜଣେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ସାରିଛନ୍ତି।
ସମସ୍ତ ଜିଲ୍ଲାରେ ତ୍ବରିତ ଚିକିତ୍ସା ପାଇଁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ମୁତୟନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଯୋଗାଇବା ସହିତ ଜଳ ବିଶୋଧନ, ସ୍ବଚ୍ଛତା, ପରିମଳ ବିଷୟରେ ଧ୍ୟାନ ଦିଆଯାଉଛି। ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇ ଚିକିତ୍ସା ଦେବାର ବ୍ୟବସ୍ଥା ହୋଇଛି। ବିଭିନ୍ନ ଜଳ ନମୁନା ଓ ଜଳ ନମୁନା ପରୀକ୍ଷା କରାଯାଇ ଜୀବାଣୁ ଚିହ୍ନଟ ହୋଇଛି। ଏଥିପାଇଁ ଆବଶ୍ୟକ ପରୀକ୍ଷା କରାଯାଇ ‌ସେହି ଅନୁଯାୟୀ ଚିକିତ୍ସା କରାଯାଉଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର