କଟକ: ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଏବେ ମୋଟ ୪୩୪ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି। ୨୦୨୪, ମେ’ ୩୧ ସୁଦ୍ଧା ୩୦ଟି ଜିଲ୍ଲାରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୩୪ଟି ମାମଲା ବିଚାରାଧୀନ ରହିଛି। ତଥ୍ୟ ଅନୁସାରେ ୨୦୨୪, ମେ’ ୩୧ ସୁଦ୍ଧା ସାଂସଦ/ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୨ଟି ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଥିବା କୋରାପୁଟ ଜିଲ୍ଲାରେ ୫୫ଟି, ତୃତୀୟ ସ୍ଥାନରେ ରହିଥିବା ସମ୍ବଲପୁର ଜିଲ୍ଲାରେ ୫୦ଟି, ଚତୁର୍ଥ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ ୪୯ଟି, ପଞ୍ଚମ ସ୍ଥାନରେ କଟକ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩୯ଟି ଲେଖାଏ ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନୁଗୁଳରେ ୨୭ଟି, ବଲାଙ୍ଗୀରରେ ୨୮ଟି, ବାଲେଶ୍ବରରେ ୨୩ଟି, ମୟୂରଭଞ୍ଜରେ ୨୮ଟି, ନୟାଗଡ଼ରେ ୫ଟି, ପୁରୀରେ ୪ଟି, ବରଗଡ଼, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ସୋନପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଂସଦ ଓ ବିଧାୟକ ତଥା ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲାଗୁଡ଼ିକର ଶୁଣାଣି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି। ବିଧାୟକ/ସାଂସଦଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲାଗୁଡିକର ତ୍ବରିତ୍ ଶୁଣାଣି ଉପରେ ହାଇକୋର୍ଟ ବି ଗୁରୁତ୍ବାରୋପ କରି ଆସୁଛନ୍ତି। ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ୨୦୨୩, ନଭେମ୍ବର ୯ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ତ୍ବିରତ ଫଏସଲା ପ୍ରସଙ୍ଗ ତଦାରଖ ପାଇଁ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲେ। ୨୦୨୩, ଡିସେମ୍ବର ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ସାଂସଦ ଓ ବିଧାୟକଙ୍କ ବିରୋଧରେ ନୂଆକରି ରୁଜୁ ହେଉଥିବା ମାମଲା, ଫଏସଲା ହେଉଥିବା ମାମଲା ଓ ବିଚାରାଧୀନ ମାମଲାର ତଥ୍ୟ ପ୍ରତି ମାସର ୩ ତାରିଖ ସୁଦ୍ଧା ଦାଖଲ ପାଇଁ ସବୁ ଜିଲ୍ଲା ଜଜ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୃତ୍ୟୁଦଣ୍ଡ ଓ ଆଜୀବନ କାରାଦଣ୍ଡ ସମ୍ପର୍କିତ ମାମଲାଗୁଡ଼ିକୁ ପ୍ରଥମେ ପ୍ରାଥମିକତା ଦିଆଯିବ।
ଏହାପରେ ୫ ବର୍ଷ ବା ତା’ ଠାରୁ ଅଧିକ ଜେଲ୍ଦଣ୍ଡ ଥିବା ମାମଲା ଓ ତା’ ପରେ ଅନ୍ୟ ମାମଲାଗୁଡ଼ିକର ଶୁଣାଣି କରାଯିବ। ସ୍ବତନ୍ତ୍ର ଅଦାଲତ (ଡେଜିଗନେଟେଡ୍ କୋର୍ଟ) ଏହିସବୁ ମାମଲାର ତ୍ବରିତ ଶୁଣାଣି କରିବେ। ଶୁଣାଣି ଘୁଞ୍ଚାଇବାପାଇଁ କେବଳ ବିରଳ ସ୍ଥିତିରେ ଅନୁମତି ଦିଆଯିବ। ସ୍ବତନ୍ତ୍ର ଅଦାଲତଗୁଡ଼ିକୁ ଆବଶ୍ୟକ ଭିତ୍ତଭୂମି ପ୍ରଦାନ ପ୍ରସଙ୍ଗ ଜିଲ୍ଲା ଜଜ୍ ସୁନିଶ୍ଚିତ କରିବେ। ଏଥିସହିତ କୋର୍ଟ ୱେବ୍ସାଇଟ୍ରେ ସ୍ବଧୀନ ଟ୍ୟାବ୍ ତିଆରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଟ୍ୟାବ୍ରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ଜିଲ୍ଲାୱାରୀ ତଥ୍ୟ ଉପଲବ୍ଧ କରାଯିବ ବୋଲି ହାଇକୋର୍ଟ ଡିସେମ୍ବର ୧୧ରେ କହିଥିଲେ। ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ପ୍ରତିମାସରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ବିଚାରାଧୀନ ମାମଲାର ତଥ୍ୟ ଟ୍ୟାବ୍ରେ ଉପଲବ୍ଧ କରାଯାଉଛି।