ହାତୀପଲଙ୍କ ଉତ୍ପାତ ରୋକିବାରେ ବନ ବିଭାଗ ଫେଲ୍‌, ୫ ବର୍ଷରେ ଉଜାଡିଛନ୍ତି ୪୩୬୭ ଏକର ଫସଲ

ସୁନ୍ଦରଗଡ଼ରେ ୧୦୮୦, ବଣାଇରେ ୧୨୭୭ ଓ ରାଉରକେଲାରେ ୨୦୧୦ ଏକର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ହାତୀପଲଙ୍କ ଉତ୍ପାତ ରୋକିବାରେ ଫେଲ୍‌ ମାରିଛି ବନ ବିଭାଗ। ଏମାନଙ୍କ ବାଟ ଉଗାଳିବାକୁ ରାଉରକେଲା, ବଣାଇ ଓ ସୁନ୍ଦରଗଡ଼ ତିନି ବନଖଣ୍ଡ ପକ୍ଷରୁ ଖୋଳାଯାଇଥିବା ଟ୍ରେଞ୍ଚ ଓ ସୋଲାର ଫେନ୍‌ସିଂ ବ୍ୟବସ୍ଥା କାମରେ ଆସୁନି। ଫଳସ୍ବରୂପ ବର୍ଷ ତମାମ ଗାଁ ଓ ବସ୍ତିମୁହାଁ ହେଉଛି ହାତୀପଲ। ଏକର ଏକର ଧାନ ଓ ପନିପରିବା ଫସଲ ଖାଇଯାଉଛନ୍ତି। ଦଳି ଚକଟି ନଷ୍ଟ କରି ଦେଉଛନ୍ତି। ବର୍ଷତମାମ ଝାଳବୁହା ପରିଶ୍ରମ କରୁଥିବା ଚାଷୀଟିଏ ଫସଲ ଅମଳ କରିପାରୁନି। ଏମିତି ସାଂଘାତିକ ସ୍ଥିତି ଉପୁଜିଛି ସୁନ୍ଦରଗଡ଼ ଜଲ୍ଲାର ତିନି ବନଖଣ୍ଡ ରାଉରକେଲା, ବଣାଇଁ ଓ ସୁନ୍ଦରଗଡ଼ ବନଖଣ୍ଡରେ। ଗତ ୫ ବର୍ଷ (୨୦୧୮ରୁ୨୦୨୨) ମଧ୍ୟରେ ହାତୀପଲ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୪,୩୬୭ ଏକର ଧାନ ଓ ପନିପରିବାର ଫସଲ ନଷ୍ଟ କରିଛନ୍ତି। ସର୍ବାଧିକ ୨୦୧୦ ଏକର ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଛି ରାଉରକେଲା ବନଖଣ୍ଡରେ।

ଦ୍ବିତୀୟ ସ୍ଥାନରେ ରହିଛି ବଣାଇ ବନଖଣ୍ଡ। ଗତ ୫ ବର୍ଷ ମଧ୍ୟରେ ଚାଷୀମାନଙ୍କର ମୋଟ ୧୨୭୭ ଏକର ଧାନ ଓ ପନିପରିବା ଫସଲ ହାତୀପଲକୁ ନଷ୍ଟ କରିଛନ୍ତି। ତୃତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ ବନଖଣ୍ଡରେ। ହାତୀପଲ ମୋଟ ୧୦୮୦ ଏକର ପନିପରିବା ଫସଲ ଓ ଧାନ କ୍ଷେତ ଦଳଚକଟି ନଷ୍ଟ କରିଛନ୍ତି। ଯେଉଁ ଚାଷୀଙ୍କର ଫସଲ ଉଜୁଡିଯାଇଛି, ବନ ବିଭାଗ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ଦିଆଯାଇଛି। ଯାହା ଚାଷୀଙ୍କ କ୍ଷୟକ୍ଷତି ଆକଳନ ଠାରୁ ଢ଼େର କମ୍‌। ବନବିଭାଗ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପା ରାଶି ପ୍ରଦାନ କରି ନିଜର କାମ ସାରି ଦେଉଛନ୍ତି। କେମିତି ଚାଷୀମାନେ ହାତୀଙ୍କ ଉପଦ୍ରରୁ ରକ୍ଷା ପାଇବେ ? ପନିପରିବା ଓ ଧାନଫସଲକୁ କିପରି ସୁରକ୍ଷିତ ଭାବେ ଅମଳ କରିପାରିବେ ? ଏଥିପ୍ରତି ଆଜି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ସେମିତି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ପାରିନି। ଅବଶ୍ୟ ବସ୍ତି ଓ ଗାଁ ମୁହାଁ ହେଉଥିବା ହାତୀପଲଙ୍କ ବାଟ ଉଗାଳିବାକୁ ଅନେକ ପ୍ରକାର ବ୍ୟବସ୍ଥା କରାଯାଇଛି। କେଉଁଠି ନଦୀ କୂଳ ତ ଅନ୍ୟ କେଉଁଠି ଜଙ୍ଗଲ ଚତୁଃପାର୍ଶ୍ବରେ ଲକ୍ଷ ଲକ୍ଷ ଟଙ୍କାର ବିନିମୟରେ ଟ୍ରେଞ୍ଚ ଖୋଳାଯାଉଛି। ସୋଲାର ଫେନ୍‌ସିଂ କରାଯାଇଛି।

ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ସ୍ଥାନରେ ସୋଲାର ଫେନ୍‌ସିଂ କାମ କରୁନି। ଟ୍ରେଞ୍ଚଗୁଡ଼ିକ ମାଟିରେ‌ ପୋତି ହୋଇଯାଇଛି। ରାଉରକେଲା, ବଣାଇ ଓ ସୁନ୍ଦରଗଡ ଯେତେଗୁଡ଼ିକ ‌‌ସୋଲାର ଫେନ୍‌ସିଂ ଓ ଟ୍ରେଞ୍ଚ ‌ଖୋଳାଯାଇଛି, ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ରାଉରକେଲା ବନଖଣ୍ଡରେ ୧୭୪୨ ଏକର ଧାନ ଫସଲ ଓ ୨୬୭ ଏକର ପନିପରିବା କ୍ଷେତ ନଷ୍ଟ ହୋଇଛି। ୨୦୧୮ରେ ୫୯୬ ଏକର ଧାନ ଫସଲ ନଷ୍ଟ ହୋଇଥିବାବେଳେ ୨୦୧୯ରେ ୨୪୧ ଏକର, ୨୦୨୦ରେ ୩୧୬ ଏକର, ୨୦୨୧ରେ୨୬୭ ଏକର ଓ ୨୦୨୨ (ଅଗଷ୍ଟ ମାସ ଶେଷ ସୁଦ୍ଧା) ୩.୩୭୬ ଏକର ଧାନ ଫସଲ ନଷ୍ଟ କରିଛନ୍ତି। ସେମିତି ୨୦୧୮ରେ୯୧ ଏକର, ୨୦୧୯ରେ ୩୩ଏକର, ୨୦୨୦ରେ ୩୭ ଏକର, ୨୦୨୧ରେ ୩୫ ଏକର ଓ ୨୦୨୨ (ଅଗଷ୍ଟ ମାସ ଶେଷ ସୁଦ୍ଧା) ୪୫ ଏକର ପନିପରିବା ଫସଲ ନଷ୍ଟ କରିଛନ୍ତି। ବଣାଇଁ ବନଖଣ୍ଡରେ ଗତ ୨୦୧୮ରେ ୨୫୮.୭୯ ଏକର ଧାନ କ୍ଷେତ୍ର ଓ ପନିପରିବା ଫସଲ ଉଜାଡି ଦେଇଛନନ୍ତି। ୨୦୧୯ରେ ୩୦୧.୯୯ ଏକର, ୨୦୨୦ରେ ୧୭୨.୮୦ ଏକର, ୨୦୨୧ରେ ୪୬୭.୯୯ ଏକର, ୨୦୨୨ (ଅଗଷ୍ଟ ସୁଦ୍ଧା ) ୬୭.୨୫ଏକର ଫସଲ ହାତୀ ପଲଙ୍କ ଦ୍ବାରା ନଷ୍ଟ ହୋଇଛି। ଅନୁରୂପ ଭାବେ ସୁନ୍ଦରଗଡ ବନଖଣ୍ଡ ହାତୀପଲଙ୍କ ଉତ୍ପାତରୁ ୨୦୧୮ ୬.୯୯ ଏକର, ୨୦୧୯ରେ ୨୦୦ ଏକର, ୨୦୨୦ରେ ସର୍ବାଧିକ ୭୮୦ .୨୫୫ ଏକର, ୨୦୨୧ରେ ୮୫.୬୮ ଏକର ଓ ୨୦୨୨ (ଅଗଷ୍ଟ ଶେଷ ସୁଦ୍ଧା)୭.୩୮ ଏକର ଫସଲ ନଷ୍ଟ ହୋଇଛି।

ସମ୍ବନ୍ଧିତ ଖବର