ରାଜ୍ୟରେ ୪୩ହଜାର ୯୯୨ ଏଚ୍‌ଆଇଭି ପଜିଟିଭ୍‌

ଅସୁରକ୍ଷିତ ଯୌନକ୍ରିୟା ଯୋଗୁଁ ସର୍ବାଧିକ ଆକ୍ରାନ୍ତ
ଏଯାଏ ଏଡ୍‌ସରେ ମଲେଣି ୪୯୦୨ ଜଣ

ଭୁବନେଶ୍ୱର : ରାଜ୍ୟରେ ୪୩ହଜାର ୯୯୨ଜଣ ବ୍ୟକ୍ତି ଏଚ୍‌ଆଇଭି ପଜିଟିଭ୍‌ ଆକ୍ରାନ୍ତ ଅଛନ୍ତି। ତହିଁରୁ ୨୭ହଜାର ୭୦ଜଣ ପୁରୁଷ ଥିବାବେଳେ ୧୬ହଜାର ୯୨୨ଜଣ ହେଉଛନ୍ତି ମହିଳା। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୭୮ପ୍ରତିଶତ ହେଉଛନ୍ତି ୨୫-୪୯ବର୍ଷ ମଧ୍ୟରେ। ପୁଣି ଏମାନଙ୍କ ମଧ୍ୟରେ ଅସୁରକ୍ଷିତ ଯୌନକ୍ରିୟା ଯୋଗୁଁ ୮୭ପ୍ରତିଶତ ବ୍ୟକ୍ତି ଏଚ୍‌ଆଇଭି ଆକ୍ରାନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ବର୍ତମାନ ସୁଦ୍ଧା ରାଜ୍ୟରେ ୪୯୦୨ ଜଣ ବ୍ୟକ୍ତି ଏଡ୍‌ସରେ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍‍ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଚ୍‌ଆଇଭି ପଜିଟିଭ୍‌ ଓ ଏଡ୍‌ସ ରୋଗୀ ରହିଛନ୍ତି। ରାଜ୍ୟରେ ଯେତିକି ସଂଖ୍ୟକ ଏଚ୍‌ଆଇଭି ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୩୫ପ୍ରତିଶତ ଆକ୍ରାନ୍ତ ରହିଛନ୍ତି। ୨୦୦୬ ମସିହା ଏଚ୍‌ଆଇଭି ସେଣ୍ଟିନେଲ ସର୍ବେକ୍ଷଣ-୨୦୦୬ ଅନୁଯାୟୀ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ନେଇ ରାଜ୍ୟକୁ ୪ଟି ଭାଗରେ ବିଭକ୍ତ କରାଯାଇଛି। କ୍ୟାଟେଗୋରି-ଏ’ରେ ଅନୁଗୁଳ, ବଲାଙ୍ଗୀର, ଭଦ୍ରକ ଓ ଗଞ୍ଜାମ ରହିଥିବା ବେଳେ କ୍ୟାଟେଗୋରି- ବିରେ ବାଲେଶ୍ୱର, ଖୋର୍ଧା ଓ କୋରାପୁଟ ଜିଲ୍ଲା ରହିଛି। ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକୁ କ୍ୟାଟେଗୋରି ସି ଓ ଡି ମଧ୍ୟରେ ରଖାଯାଇଛି।

୨୦୧୭ ମସିହା ଏପ୍ରିଲ ମାସରୁ ଚଳିତବର୍ଷ ଜାନୁଆରି ମାସ ମଧ୍ୟରେ ରାଜ୍ୟରେ ୪.୭୧ଲକ୍ଷ ଲୋକଙ୍କୁ କାଉନସେଲିଂ ଓ ପରୀକ୍ଷା କରାଯାଇଛି। ତହିଁରେ ୨୭୦୯ ଜଣ ପଜିଟିଭ୍‌ ରହିଛନ୍ତି। ସେହିପରି ୫.୮୨ ଲକ୍ଷ ଗର୍ଭବତୀ ମହିଳାଙ୍କୁ ପରୀକ୍ଷା କରାଯାଇଥିବା ବେଳେ ୧୯୧ ଗର୍ଭବତୀ ଏଚ୍‌ଆଇଭି ଦ୍ୱାରା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଯେଉଁ ଲୋକମାନେ ଏଚ୍‌ଆଇଭି ଦ୍ୱାରା ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି ସେମାନଙ୍କୁ ଟାର୍ଗେଟ ଇଣ୍ଟରଭେନସନ୍‌ ବା ଟିଆଇ ଜରିଆରେ ଓସାକ୍ସ ପକ୍ଷରୁ ଦିଆଯାଉଥିବା ସେବା ସହିତ ସାମିଲ କରାଯାଇଛି। ୨୦୧୭ ଏପ୍ରିଲରୁ ୨୦୧୮ ଜାନୁଆରି ମଧ୍ୟରେ ୧୦ହଜାର ୮୧୦ଜଣ ମହିଳା ଯୌନକର୍ମୀ, ୪୮୦୦ ପୁରୁଷ-ପୁରୁଷ ଯୌନକର୍ମୀ, ୨୨୫୦ ଛୁଞ୍ଚି ଦ୍ୱାରା ଡ୍ରଗ୍‌ସ ସେବନକାରୀ ବା ଆଇଡିୟୁ, ୧୦ ହଜାର ଟ୍ରକ୍‌ ଚାଳକ ଓ ୯୨ହଜାର ଦେଶାନ୍ତର ଲୋକଙ୍କୁ ଟିଆଇରେ ସାମିଲ କରାଯାଇଛି। ରାଜ୍ୟରେ ସମୁଦାୟ ୫୨ଟି ଟିଆଇ ରହିଛି। ମହିଳା ଯୌନକର୍ମୀଙ୍କ ପାଇଁ ୧୨ଟି, ପୁରୁଷ-ପୁରୁଷ ଯୌନକର୍ମୀଙ୍କ ପାଇଁ ୩ଟି, ଏହି ଦୁଇ ଯୌନକର୍ମୀଙ୍କ ପାଇଁ ମିଳିତଭାବେ ୨୧ଟି, ଆଇଡିୟୁ ପାଇଁ ୬ଟି, ଦେଶାନ୍ତର ଲୋକଙ୍କ ପାଇଁ ୯ଟି, ଟ୍ରକ୍‌ ଚାଳକଙ୍କ ପାଇଁ ୨ଟି ଓ ୯ଟି ଟ୍ରାଞ୍ଜିଟ୍‌ ଦେଶାନ୍ତରଙ୍କ ପାଇଁ କାର୍ଯ୍ୟ କରୁଥିବା ସୂଚନା ଦିଆଯାଇଛି।

ଲିଙ୍କ୍‌ ଓ୍ଵାର୍କର୍ସ ସ୍କିମ୍‌ ବା ଏଲଡବ୍ଲ୍ୟୁଏସ୍‌ ଜରିଆରେ ଏଚ୍‌ଆଇଭି ଆଶଙ୍କା ଥିବା ୬ଟି ଜିଲ୍ଲାରେ ଆଇସିଟିସି ଓ ଟିଆଇ ପ୍ରକଳ୍ପ ସହିତ ସାମିଲ କରାଯାଇଛି। ଏଥିରେ ଗଞ୍ଜାମ, ଖୋର୍ଧା, ନୂଆପଡ଼ା, କଟକ, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲା ରହିଛି। ରାଜ୍ୟରେ ୯ଟି ଦେଶାନ୍ତର ରେଳବାଇ ଷ୍ଟେସନ୍‌କୁ ଚିହ୍ନଟ କରାଯାଇଛି। ବ୍ରହ୍ମପୁର, ଯାଜପୁର-କେନ୍ଦୁଝର ରୋଡ, ବାଲେଶ୍ୱର, ଖରିଆର ରୋଡ, ଟିଟିଲାଗଡ଼, କେସିଙ୍ଗା, ରାଉରକେଲା, କୋରାପୁଟ ଓ ଖୋର୍ଧା ରୋଡ୍‌ରେ ଘରୋଇ ସଂସ୍ଥା ସହାୟତାରେ ସେମାନଙ୍କୁ ବିଭିନ୍ନ ସେବା ସହିତ ସାମିଲ କରାଯାଇଥିବା ଜଣାପଡ଼ିଛି।

ରାଜ୍ୟରେ ଏଡ୍‌ସର ସଚେତନତା ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ ପରିବହନ ବିଭାଗର ଗ୍ରାମାଞ୍ଚଳକୁ ଚାଲୁଥିବା ୮୦ଟି ବସ୍‌ରେ ଏଚ୍‌ଆଇଭି/ଏଡ୍‌ସର ବାର୍ତା ଦିଆଯାଇଥିବା ବେଳେ ୭ଟି ବସ୍‌କୁ ଅଧିକ ସମ୍ବେଦନଶୀଳ ଜିଲ୍ଲାକୁ ପଠାଯାଉଛି। ବିଏସ୍‌ଏନ୍‌ଏଲର ଗ୍ରାହକଙ୍କୁ ୧୦ଲକ୍ଷ ସଚେତନତା ମେସେଜ୍‌ ପଠାଯାଇଥିବା ବେଳେ ବିଜ୍ଞାପନ ଓ ଦୂରଦର୍ଶନ ଜରିଆରେ ଲୋକଙ୍କୁ ସଚେତନ କରାଯାଉଥିବା ସମିତି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର