ବ୍ରହ୍ମପୁର ଜେଲ୍‌ରେ ୪୪ ପଜିଟିଭ୍‌

ଜେଲର୍‌ଙ୍କ ସମେତ ୯ କର୍ମଚାରୀ, ୩୫ କଏଦୀ ଆକ୍ରାନ୍ତ
ଶତାଧିକ ଅନ୍ତେବାସୀ ଥଣ୍ଡା ଓ ଜ୍ବର‌ରେ ପୀଡ଼ିତ

ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାରର ସ୍ଥିତି ଏବେ ସଙ୍ଗିନ୍‌। ମଣ୍ଡଳ କାରାଗାରକୁ ଏବେ କରୋନା ମାଡ଼ି ବସିଛି। ଏକାଥରକେ କାରାଗାରରୁ ୪୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜେଲର୍‌ଙ୍କ ସମେତ ୯ଜଣ କର୍ମଚାରୀ ଥିବା ବେଳେ ୩୫ଜଣ ଅନ୍ତେବାସୀ ରହିଥିବା ଜେଲ୍‌ ଡିଆଇଜି ରଘୁନାଥ ମାଝୀ ସୂଚନା ଦେଇଛନ୍ତି। କର୍ମଚାରୀଙ୍କୁ ଛୁଟି ନେଇ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି। ଅନ୍ୟପଟେ ପଜିଟିଭ୍‌ ହୋଇଥିବା ୩୫ଜଣ ଅନ୍ତେବାସୀଙ୍କୁ ଜେଲ୍‌ରେ ସ୍ବତନ୍ତ୍ର ଭାବେ ସଙ୍ଗରୋଧରେ ରଖାଯାଇଛି। ତୁରନ୍ତ ଅନ୍ତେବାସୀଙ୍କ ଚିକିତ୍ସା ଆରମ୍ଭ କରିବା ପାଇଁ ଜେଲ୍‌ ତରଫରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରାଯାଇଛି।

ଦକ୍ଷିଣ ଓଡ଼ିଶାର ସର୍ବବୃହତ ଓ ଅତ୍ୟନ୍ତ ସମ୍ବେଦନଶୀଳ ବ୍ରହ୍ମପୁର ମଣ୍ଡଳ କାରାଗାର। ପ୍ରତିଦିନ ଏହି କାରାଗାରକୁ ଅଭିଯୁକ୍ତ ଯାଉଛନ୍ତି। ଜେଲ୍‌ ଯିବା ପୂର୍ବରୁ ଅଭିଯୁକ୍ତଙ୍କ ସ୍ବାବ୍‌ ସଂଗ୍ରହ କରାଯାଉଛି। ବିଗତ ଦିନରେ କିଛି ଅନ୍ତେବାସୀଙ୍କ ନମୁନା ପଜିଟିଭ୍‌ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ‌ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜେଲ୍‌ରେ ଥିବା କିଛି କର୍ମଚାରୀ ଓ ଅନ୍ତେବାସୀଙ୍କ ନିକଟରେ କରୋନା ଲକ୍ଷଣ ଦେଖା ଦେବାରୁ ଗତ ୧୮ତାରିଖରେ ୫୦ଜଣ ଅନ୍ତେବାସୀ ଓ ୯୨ଜଣ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ହୋଇଥିଲା। ୩୫ଜଣ ଅନ୍ତେବାସୀ ଓ ୯ଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିବା ପରେ ଏଥିରୁ ସ୍ପଷ୍ଟ ହେଉଛି ଯେ ପୂରା ଜେଲ୍‌କୁ କରୋନା ମାଡ଼ି ଗଲାଣି। ଆହୁରି ପ୍ରାୟ ଶହେ ଜଣ ଅନ୍ତେବାସୀ ଥଣ୍ଡା, ଜ୍ବରରେ ପୀଡ଼ିତ ଥିବା ବେଳେ ଜେଲ୍‌ ହସ୍‌ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି। ପ୍ରଶାସନ ତୁରନ୍ତ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ ନକଲେ ଜେଲ୍‌ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖା ଦେଇଛି।

ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀ କ୍ଷମତା ପ୍ରାୟ ୭୪୫ ରହିଛି। ତେବେ ବର୍ତ୍ତମାନ ପ୍ରାୟ ୧ହଜାର ଅନ୍ତେବାସୀ ଅଛନ୍ତି। ପ୍ରତିଦିନ କିଛି କିଛି ନୂଆ ଅଭିଯୁକ୍ତ ଆସୁଛନ୍ତି। ନୂଆ ଅଭିଯୁକ୍ତଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ସଙ୍ଗରୋଧରେ ରଖା ଯାଉଛି। ତଥାପି ଜେଲ୍‌ରେ କରୋନା ବ୍ୟାପିଗଲାଣି। ପ୍ରକାଶ ଥାଉ କି ପୂର୍ବରୁ ପର୍ଯ୍ୟାୟ କ୍ରମେ ୨୦ଜଣ ଅନ୍ତେବାସୀ ପଜିଟିଭ୍‌ ହୋଇଥିବା ବେଳେ ୨ଜଣ ଗେଟ ୱାର୍ଡ଼ର୍‌ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଠିକ୍‌ ସେହିପରି କରୋନା ପଜିଟିଭ୍‌ ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ପୂର୍ବରୁ ମୃତ୍ୟୁ ହୋଇ ସାରିଛି।

ସମ୍ବନ୍ଧିତ ଖବର