୪୫ ଡିଗ୍ରିରେ ବୌଦ୍ଧ ଛଟପଟ: ୮ ସହର ତାପମାତ୍ରା ୪୪ଂ ଉପରେ

ଭୁବନେଶ୍ବର: ତାତିରୁ ନାହିଁ ନିସ୍ତାର। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସାରା ରାଜ୍ୟ କଲବଲ ହେଉଥିବା ବେଳେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ବୌଦ୍ଧ ତାପମାତ୍ରା ୪୫ ଡିଗ୍ରି ଛୁଇଁଛି। ଏଥିସହ ରାଜ୍ୟର ୮ ସହର ତାପମାତ୍ରା ୪୪ଡିଗ୍ରି ବା ତା’ଠାରୁ ଅଧିକ ରହିଛି। ୪୦ ଡିଗ୍ରି ଉପରେ ୨୫ ସହରର ତାପମାତ୍ରା ସହ ଆଜି ସାରା ରାଜ୍ୟ ଗରମ, ଗୁଳୁଗୁଳି ରୌଦ୍ରତାପରେ ଝପପଟ ହେଉଛି। ହେଲେ ଏବେ ଏଥିରୁ ମୁକ୍ତି ମିଳିବନି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ। ଏହାପରେ ମେ’ ପହିଲାରୁ କାଳବୈଶାଖୀ ବର୍ଷା ଏହି ଗ୍ରୀଷ୍ମପ୍ରବାହରେ ବିରତି ଲଗାଇବ। ଆସନ୍ତାକାଲି ଓ ୩୦ ତାରିଖ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ‌ରେ ଶିଶୁ, ବୟସ୍କ ଓ‌ ରୋଗୀଙ୍କୁ ଖରାକୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ଅଂଶୁଘାତରୁ ଦୂରେଇ ରହିବାକୁ ଖରାକୁ ବାହାରିବାକୁ ବାରଣ କରାଯାଇଛି। ସେହିଭଳି ଆଖୁ, ଡାଲିଜାତୀୟ ଓ ମକା ଆଦି ଫସଲରେ ଜଳସେଚନ ଜାରି ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।

ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତର ଓଡ଼ିଶାରେ ଆଜି ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଅଞ୍ଚଳର ୮ ସହର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଥିଲା। ଦେବଗଡ଼ ଓ ବଲାଙ୍ଗୀରେ ୪୪.୫ ଡିଗ୍ରି, ଝାରସୁଗୁଡ଼ାରେ ୪୪.୪ ଡିଗ୍ରି, ଅନୁଗୁଳରେ ୪୪.୩ ଡିଗ୍ରି, ଟିଟିଲାଗଡ଼ ୪୪.୨ ଡିଗ୍ରି, ସୋନପୁର ଓ ସମ୍ବଲପୁରରେ ୪୪ ଡିଗ୍ରି ତାପମାତ୍ରା ସହ ଏସବୁ ସହରରେ ରୌଦ୍ରତାଣ୍ଡବ ସଂଧ୍ୟା ୫ଟା ଯାଏ ଜାରି ରହିଥିଲା। ଅନ୍ୟପଟେ ଉପକୂଳରେ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଛି। ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରି ଓ କଟକର ସର୍ବୋଚ୍ଚ ତାପମାତ୍ରା‌ ୪୦ ଡିଗ୍ରି ରହିଥିଲା। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୨ ଦିନ ସାରା ରାଜ୍ୟରେ ଏହିଭଳି ତାତି ଜାରି ରହିବ। ୧ ଓ ୨ ତାରିଖରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିବ। ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ଯାଏ ଅଧିକ ରହିବ। ଉପକୂଳର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ଦିନ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ରହିବ।

ସମ୍ବନ୍ଧିତ ଖବର