ସରକାରୀ ବସ୍‌ ଓ ଟ୍ୟାଙ୍କର୍‌ ମୁହାଁମୁହିଁ ଧକ୍କା; ୪୪ ଆହତ, ୫ ଗୁରୁତର

ବସ୍‌ ଚାଳକ ଫେରାର, ଦୁଇଘଣ୍ଟା ଗାଡ଼ି ଚଳାଚଳ ବନ୍ଦ

ପାଳଲହଡ଼ା: ୧୪୯ ନମ୍ବର ଜାତୀୟ ରାଜପଥରେ ପାଳଲହଡ଼ା ଥାନା ଶ୍ରୀରାମପୁର ଗାଁ ବୁଲାଣିଠାରେ ବୁଧବାର ଅପରାହ୍ଣ ୩ଟାବେଳେ ଏକ ସରକାରୀ ଯାତ୍ରୀବାହୀ ବସ୍‌ ସହ ଗୋଟିଏ ଟ୍ୟାଙ୍କର୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୪୪ ଜଣ ଆହତ ହୋଇଥିବାବେଳେ ତାଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ପ୍ରାୟ ଦୁଇଘଣ୍ଟା ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ଅନୁଗୁଳ ଆସୁଥିବା ସରକାରୀ ଯାତ୍ରୀବାହୀ ବସ୍‌ (ଓଡି୧୯ଜେ -୩୮୫୬) ପାଳଲହଡା ଟାଉନଠାରୁ ୮ କିଲୋମିଟର ଦୂର ଶ୍ରୀରାମପୁର ଗାଁ ବୁଲାଣିରେ ଏକ ଟ୍ୟାଙ୍କର୍‌ (ଓଆର୍‌ ୦୫ଏଜି-୧୨୫୭) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ୟାଙ୍କରଟି ପାରାଦୀପରୁ ଦେବଗଡ଼ ଜିଲ୍ଲା କଲା ଅଭିମୁଖେ ଯାଉଥିଲା। ବସ୍‌ରେ ୪୪ ଜଣ ଯାତ୍ରୀ ଥିବାବେଳେ ସମସ୍ତେ ଅଳ୍ପବହୁତ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନେ ହେଉଛନ୍ତି ଟ୍ୟାଙ୍କର୍‌ ଚାଳକ କୃଷ୍ଣଚନ୍ଦ୍ର ବିଶ୍ବାଳ, ବସ୍‌ ଯାତ୍ରୀ ରାଇରଙ୍ଗପୁରର ମଳୟ କୁମାର ପାତ୍ର, ରଜନୀକାନ୍ତ ବେହେରା, ଝାଡ଼ଖଣ୍ଡର ଜେନା ତିରିଆ ଓ ମୟୂରଭଞ୍ଜର ବିକ୍ରମ ବାକ୍ସେ। ଶ୍ରୀରାମପୁର ଓ ଗୋଠଭୂଇଁ ଗ୍ରାମବାସୀ ଆହତ ଯାତ୍ରୀମାନଙ୍କୁ ଉଦ୍ଧାରକରି ବିଭିନ୍ନ ଗାଡିରେ ପାଳଲହଡ଼ା ଡାକ୍ତରଖାନାକୁ ପଠାଇଥିଲେ।

ପାଳଲହଡ଼ା ଥାନାଧିକାରୀ ପାରୋ ଟୁଡୁ, ଏସ୍‌ଆଇ ଗୋବିନ୍ଦ ସାହୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାରକରି ଦମକଳ ଓ ଆମ୍ବୁଲାନ୍‌ସରେ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରିଥିଲେ। ସମସ୍ତ ଆହତ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତିହୋଇଥିଲେ। ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ଚିକିତ୍ସା ପରେ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ ପତି, ତହସିଲଦାର ଲମ୍ବୋଦର ମାରାଣ୍ତି, ସରପଞ୍ଚ ଶଶିଭୂଷଣ ଆଚାର୍ଯ୍ୟ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ। ସରପଞ୍ଚ ଶ୍ରୀ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ତାଳଚେର, ଅନୁଗୁଳର ବସ୍‌ଯାତ୍ରୀଙ୍କୁ ସ୍ବତନ୍ତ୍ର ଗାଡ଼ିରେ ପଠାଯାଇଥିଲା। ଦୁର୍ଘଟଣା‌ପରେ ବସ୍‌ ଚାଳକ ଫେରାର ହୋଇଯାଇଛି। ସେଠାରେ ପ୍ରାୟ ୨ଘଣ୍ଟାଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାସ୍ତାର ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପୁଲିସ ପ୍ରଶାସନ ଓ ଡ୍ରାଇଭର୍‌ ସଂଘ ମିଳିତ ଭାବେ ଜେସିବିରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଡ୍ରାଇଭର୍‌ ସଂଘର ସଦସ୍ୟମାନେ ଆହତମାନଙ୍କର ସେବା କରିଥିଲେ। ଦୁର୍ଘଟଣାସ୍ଥଳରେ ପୂର୍ବରୁ ଏକ ମାଲ୍‌ବାହୀ ଟ୍ରକ୍‌ (ଓଡି୦୪ଆର୍‌-୧୧୯୪) ବ୍ରେକ୍‌ ଡାଉନ୍‌ ହୋଇ ଛିଡ଼ାହୋଇଥିଲା। ଏଥି‌ଯୋଗୁଁ ବସ୍‌ ନିୟନ୍ତ୍ରଣ ହରାଇ ଟ୍ୟାଙ୍କର୍‌ ସହ ଧକ୍କା ହୋଇଥିଲା ବୋଲି ବସ୍‌ର କିଛି ଯାତ୍ରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର