ଦିଗପହଣ୍ଡି: ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳୁଛି। କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଗାଥା ଗାଉଛନ୍ତି। କିନ୍ତୁ ଏବେ ବି ସଭ୍ୟତାର ଅନ୍ଧାର କୋଠରିରେ ବନ୍ଧାପଡ଼ିଛି ଆଦିବାସୀଙ୍କ ଭାଗ୍ୟ। ବିକାଶ ନାମରେ ବାଟ ହୁଡ଼ିଛି ଯୋଜନା। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଅନେକ ମୌଳିକ ସୁବିଧା ଓ ବିକାଶର ଧାରାରୁ ଢେର୍ ପଛରେ ରହିଛନ୍ତି ଆଦିବାସୀ। ବଞ୍ଚିବାକୁ ନିତିଦିନ ସଂଘର୍ଷ କରୁଥିବା ବେଳେ କେବଳ ନିର୍ବାଚନ ଋତୁ ଆସିଲେ ନେତାଙ୍କୁ ସେମାନଙ୍କ କଥା ମନେ ପଡ଼ୁଛି। ଆଜି ବି ରାଜ୍ୟରେ ଏମିତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଇଲାକା ଅଛି ଯେଉଁଠି ବିକାଶ ପାଦ ଥାପିପାରିନି। ଏହା ପୁଣି ଆଉ କେଉଁଠି ନୁହେଁ, ଖୋଦ୍ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ରେ। ସହଦେବଟିକରପଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ ଦାଦୁରୁମା ଓ ଗୋଚ୍ଛାପଟା ହେଉଛି ଏହାର ଏକ ଜ୍ବଳନ୍ତ ଉଦାହରଣ।
ଦିଗପହଣ୍ଡି ସଦରମହକୁମାରୁ ୪୦ କିଲୋମିଟର ଦୂରରେ ଚାରିଟି ପାହାଡ଼ ଘେରରେ ଉଭୟ ଗ୍ରାମ ରହିଛି। ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଏହି ଦୁଇ ଗ୍ରାମରେ ପ୍ରାୟ ୪୦ ଆଦିବାସୀ ପରିବାର ବସବାସ କରୁଛନ୍ତି। କିନ୍ତୁ ଉଭୟ ଗ୍ରାମକୁ କୌଣସି ସରକାରୀ ଯୋଜନାରେ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନି। ଫଳରେ ପିଇବା ପାଣି, ସ୍ବାସ୍ଥ୍ୟ, ଶିକ୍ଷା ସମେତ ବିଭନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। କେବଳ ଏତିକି ନୁହେଁ, ଗାଁକୁ ବିଜୁଳି ସେବା ପହଞ୍ଚିପାରିନି। ସୋଲାର୍ ଲାଇଟ୍ ଦ୍ବାରା କିଛି ପରିମାଣର ଅନ୍ଧକାର ଦୂର ହେଉଛି।
ତେବେ ସବୁଠୁ ଦୁଃଖର ବିଷୟ ହେଲା, ରାସ୍ତା ନଥିବାରୁ ବିପିଏଲ୍ ଯୋଜନାରେ ମାଗଣା ଚାଉଳ ଆଣିବାକୁ ସେମାନଙ୍କୁ ୪୪ କିଲୋମିଟର ଘାଟିରାସ୍ତା ଦେଇ ସହଦେବଟିକରପଡ଼ା ପଞ୍ଚାୟତ ସଦରମହକୁମାକୁ ଆସିବାକୁ ପଡ଼ୁଛି। ସକାଳ ୬ଟାରେ ଘରୁ ବାହାରିଲେ ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ୬ଟା ବାଜିଯାଉଛି। ପ୍ରତିମାସରେ ଆଦିବାସୀମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମରୁ ସୀମାନ୍ତ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଶିଙ୍କୁଳିଆପଦର ପଞ୍ଚାୟତ ପାଖାପାଖି ୫ କିଲୋମିଟର ଦୂରରେ ରହିଛି। ଯଦି ଏଠି ଚାଉଳ ମିଳିଥା’ନ୍ତା ତେବେ ସେମାନେ ବହୁତ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି l
କେବଳ ଏତିକି ନୁହେଁ, ଆଜିଯାଏ ଏହି ଦୁଇ ଗ୍ରାମକୁ ଆମ୍ବୁଲାନ୍ସ୍ ଆସିପାରିନି। ଫଳରେ ଗ୍ରାମବାସୀ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ୪ଟି ପାହାଡ଼ ଦେଇ ଦୋଳାରେ ବୋହି ସୀମାନ୍ତ ଗଜପତି ଜିଲ୍ଲା ମୋହନା ବ୍ଲକ୍ର ଡେଙ୍ଗେମା-କାଇଟମା ପିଚୁରାସ୍ତା ଏବଂ ହାଣ୍ଡିମା-ଜାମାଡିହର ପିଚୁରାସ୍ତାକୁ ନେଇଥାନ୍ତି। ସେଠାରୁ ଗାଡ଼ି କିମ୍ବା ଆମ୍ବୁଲାନ୍ସ୍ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ରୋଗୀଙ୍କୁ ଡାକ୍ତରଖାନାକୁ ନିଆଯାଏ।
ଅନ୍ୟପକ୍ଷେ କୌଣସି ଗ୍ରାମବାସୀ ବିଜୁ ପକ୍କାଘର ଇନ୍ଦିରା ଆବାସ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ବିଷୟରେ ଅବଗତ ନୁହଁନ୍ତି। ଏହି ଯୋଜନାରେ ସେମାନଙ୍କୁ ହିତାଧିକାରୀ ଭାବେ ସାମିଲ କରିବା ଦିଗରେ ପ୍ରଶାସନ ବି ଆଗଭର ହୋଇନାହିଁ। କେବେବି ଏହି ଗ୍ରାମରେ ସର୍ଭେ କାମ ହୋଇନି। କେବଳ ଏତିକି ନୁହେଁ, ଗ୍ରାମରେ ଆଜି ପର୍ଯ୍ୟନ୍ତ ନଳକୂପର ବ୍ୟବସ୍ଥା ହୋଇପାରିନି। ପଞ୍ଚାୟତ ନିର୍ବାଚନ ଆଗରୁ ଏକ ବେସରକାରୀ ସଂସ୍ଥା ସୋଲାର୍ ଲାଇଟ୍ ବ୍ୟବସ୍ଥା କରିଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ ବିଦ୍ୟୁତୀକରଣ ହୋଇପାରିନି। ସେହିପରି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର କି ସ୍କୁଲ୍ ନାହିଁ।
ଗ୍ରାମବାସୀ କହିଛନ୍ତି, ଆମ ପାଇଁ ସବୁ ଯୋଜନା କେବଳ ପ୍ରତିଶ୍ରୁତି। ନିର୍ବାଚନ ଆସିଲେ ମାଳମାଳ ନେତାଙ୍କ ସୁଅ ଛୁଟିଥାଏ। ନାନା କଥା କହି ଭୋଟ ପାଇଁ ଭିକ ମାଗିଥାନ୍ତି। ପାଣିଠୁ ଆରମ୍ଭ କରି ସ୍ବାସ୍ଥ୍ୟକେନ୍ଦ୍ର, ସ୍କୁଲ ସୁବିଧା ପାଇଁ ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି। ତା’ପରେ ସ୍ଥିତି ଯେମିତିକୁ ସେମିତି। ବିଗତ କିଛି ବର୍ଷ ମଧୢରେ ଆମେ ନେତାଙ୍କୁ ଦେଖିଛୁ ହେଲେ ବିକାଶକୁ ଦେଖିନୁ। ରାସ୍ତା ନିର୍ମାଣ ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବାକୁ ଦୀର୍ଘ ୨୫ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ଦ୍ବାରସ୍ଥ ହେଉଛୁ। କିନ୍ତୁ କୌଣସି ସୁଫଳ ମିଳୁନି। ପ୍ରତିଦିନ ଜୀବନ ବଞ୍ଚିବା ଲାଗି ସଂଘର୍ଷ କରୁଛୁ ଆମକୁ କେବଳ ଭଗବାନ ସାହା..’.।
ଅନ୍ୟପକ୍ଷରେ ଆଜି ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ବିଜେପିର ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ କେବଳ ଏହି ଦୁଇଟି ଗାଁ ନୁହେଁ, ଅନେକ ଆଦିବାସୀଅଧ୍ୟୁଷିତ ଇଲାକାରେ ବିକାଶମୂଳକ ଯୋଜନା ଅପହଞ୍ଚ ହୋଇରହିଛି। ଆଗକୁ ଏଦିଗରେ ପଦକ୍ଷେପ ନିଆ ନଗଲେ ଆଗାମୀ ଏକମାସ ଭିତରେ ବ୍ଲକ୍ ଅଫିସ୍ ଆଗରେ ଧାରଣା ଦିଆଯିବ ବୋଲି ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି। ସୁଦାମ ଗୌଡ଼, ସେବକ ଦଳାଇ, ଚିନ୍ମୟ ରେଡ୍ଡୀ, ପାଣ୍ଡବ ପରିଡ଼ା, ପ୍ରତିଭା ଏବଂ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ, ସନାତନ, ସରୋଜ, ଚନ୍ଦ୍ର, ପବିତ୍ର ମଙ୍ଗରାଜ ଅନତ ଏବଂ ରାଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।