ଶିକ୍ଷାନୁଷ୍ଠାନ ଖୋଲିଲା, ଆସୁନାହାନ୍ତି ଛାତ୍ରଛାତ୍ରୀ; ମାଟ୍ରିକ୍‌ରେ ୪୪%, ଯୁକ୍ତ ଦୁଇରେ ୪୦% ଉପସ୍ଥାନ

ଉପସ୍ଥାନ ସଂଖ୍ୟା ସନ୍ତୋଷଜନକ ହେଉନି

 

ରାଉରକେଲା: କରୋନା ମହାମାରୀ ପ୍ରଥମ ଲହର ଆସିବା ଦିନଠାରୁ ସ୍କୁଲ, ଜଲେଜରେ ଶିକ୍ଷାଦାନ ପ୍ରାୟତଃ ବନ୍ଦ ରହିଛି। ଅବଶ୍ୟ, ମଝିରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରୟାସ କରାଯାଇଥିଲା, କିନ୍ତୁ ଦ୍ବିତୀୟ ଲହର ଆରମ୍ଭ ଯୋଗୁଁ ପୁନର୍ବାର ବନ୍ଦ ହୋଇଥିଲା। ଏବେ ଚାରି ଦିନ ପୂର୍ବେ ପୁନର୍ବାର ମାଟ୍ରିକ୍‌ ଓ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ, କଲେଜ ଖୋଲିଛି। ତେବେ କୋଭିଡ୍‌ ଭୟ ଏଯାଏଁ ଛାତ୍ରଛାତ୍ରୀଙ୍କ ମନରୁ ଯାଇନଥିବାରୁ ଉପସ୍ଥାନ ଆଖିଦୃଶିଆ ହେଉନି। ଗତ ୨୬ ତାରିଖରେ ସ୍କୁଲ, କଲେଜ ଖୋଲିଥିବାବେଳେ ପ୍ରଥମ ଦିନ ମାତ୍ର ୩୦% ଉପସ୍ଥାନ ରହିଥିଲା। ଏବେ ଏଥିରେ ସାମାନ୍ୟ ଉନ୍ନତି ଘଟିଛି; ତେବେ ଏହା ସନ୍ତୋଷଜନକ ହୋଇପାରୁନି। ମାଟ୍ରିକ୍‌ରେ ଉପସ୍ଥାନ ମାତ୍ର ୪୪% ଓ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ୪୦% ରହିଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲାରେ ୪୦୩ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ଏଥିରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ପ୍ରାୟ ୨୬ ହଜାର। ସେହିଭଳି ଜିଲ୍ଲାରେ ୭୯ଟି ଯୁକ୍ତ ଦୁଇ କଲେଜ ରହିଛି। ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ମୋଟ୍‌ ପାଖାପାଖି ୩୧ ହଜାର ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ ୧୫,୬୮୦, ବିଜ୍ଞାନରେ ୭,୬୮୦ ଓ ବାଣିଜ୍ୟରେ ୭,୬୮୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ତେବେ ଏଥିମଧ୍ୟରୁ ମାତ୍ର ୪୦/୪୪ ପ୍ରତିଶତ ଛାତ୍ରଛାତ୍ରୀ ଅନୁଷ୍ଠାନକୁ ଆସୁଛନ୍ତି। ବିଭିନ୍ନ କାରଣରୁ ବଳକା ୬୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲକୁ ଆସି ଶିକ୍ଷା ନେବାକୁ ଉଚିତ ମଣୁନାହାନ୍ତି। ଏହାର ପ୍ରମୁଖ କାରଣ ହେଲା, ସ୍କୁଲକୁ ଛାଡ଼ିବାକୁ ଅଭିଭାବକମାନେ ରାଜି ହେଉନାହାନ୍ତି।

ସରକାରଙ୍କ ନିର୍ଦ୍ଦେଶାନୁସାରେ, ଅଭିଭାବକମାନେ ନିଜ ଦାୟିତ୍ବରେ ପିଲାମାନଙ୍କୁ ସ୍କୁଲକୁ ଛାଡ଼ିବେ। ଏଥିପାଇଁ ଅଭିଭାବକମାନେ ସ୍କୁଲ କର୍ତୃପକ୍ଷଙ୍କୁ ଏନ୍‌ଓସି ପ୍ରଦାନ କରିବେ। କିନ୍ତୁ ଏଥିରେ ଅଭିଭାବକମାନେ ଅରାଜି ହେଉଥିବା ଦେଖିବାକୁ ମିଳିଛି। ଏତଦ୍‌ବ୍ୟତୀତ, ରାଉରକେଲା ସ୍ଥିତ ବିଭିନ୍ନ ଯୁକ୍ତ ଦୁଇ କଲେଜକୁ ଆଖପାଖ ଅଞ୍ଚଳ, ଯଥା-ଫର୍ଟିଲାଇଜର, ବନ୍ଧମୁଣ୍ଡା, ବେଦବ୍ୟାସ, କୁଆରମୁଣ୍ଡା, ବିଶ୍ରା ଆଦି ଅଞ୍ଚଳରୁ ଛାତ୍ରଛାତ୍ରୀ ଆସିଥାନ୍ତି। ଏମାନେ ପ୍ରାୟତଃ ବସ୍‌, ‌ଅଟୋରେ ଯିବାଆସିବା କରିଥାନ୍ତି। କିନ୍ତୁ ଏବେ ଅଟୋ, ବସ୍‌ ଚଳାଚଳ ସ୍ବାଭାବିକ୍‌ ହୋଇନି। ଭିଡ଼ରେ ପରିବହନ କଲେ ସଂକ୍ରମଣର ଶିକାର ଆଶଙ୍କା ଯୋଗୁଁ ଉପସ୍ଥାନ ସଂଖ୍ୟାରେ ସୁଧାର ଆସୁନି।

ସୂଚନାଯୋଗ୍ୟ, ଗତ ୨୦୨୦ ମାର୍ଚ୍ଚ ମାସରେ କରୋନା ପ୍ରଥମ ଲହର ଆଗମନ ପୂର୍ବରୁ, ଉକ୍ତ ମାସ ୧୫ ତାରିଖରେ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ପ୍ରାୟ ୯ ମାସ ପରେ କରୋନା ପ୍ରକୋପ ସାମାନ୍ୟ ଦୁର୍ବଳ ହେବାରୁ ୨୦୨୧ ଜାନୁଆରୀ ୮ ତାରିଖରେ ସ୍କୁଲ ଖୋଲିଥିଲା। ଏଥର ସ୍କୁଲ ପ୍ରାୟ ୩ ମାସ ଖୋଲା ରହିବାପରେ ଦ୍ବିତୀୟ ଲହର ଯୋଗୁଁ ଏପ୍ରିଲ ମାସରେ ସ୍କୁଲ ଶିକ୍ଷା ବନ୍ଦ ହୋଇଥିଲା। ସେହିଭଳି ଯୁକ୍ତ ଦୁଇ କଲେଜକୁ ମଧ୍ୟ ୨୦୨୦ ଏପ୍ରିଲ ମାସରେ ବନ୍ଦ ହୋଇଥିଲା। ପରେ ୨୦୨୧ ଜାନୁଆରୀ ମାସରେ କଲେଜ ଖୋଲିଥିବାବେଳେ ଦ୍ବିତୀୟ ଲହର ଆରମ୍ଭ ହେବାରୁ ୨୦୨୧ ମାର୍ଚ୍ଚ ୨୫ ତାରିଖରୁ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର