ଆନନ୍ଦପୁର: ଆନନ୍ଦପୁର ଓ ଘସିପୁରାରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ୪୪ ଦୋକାନକୁ ଉଚ୍ଛେଦ କରାଯାଇଛି। ଘସିପୁରାରେ ୨୪ଜଣ ଦୋକାନୀ ସେମାନଙ୍କ ଜିନିଷପତ୍ର ଖାଲି କରିବା ପରେ ଆଜି ଜେସିବି ମେସିନ୍ ଲଗାଇ ଦୋକାନ ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଦୁଇଦିନ ତଳେ ଦୋକାନ ଉଚ୍ଛେଦ ପାଇଁ ପୌରସଂସ୍ଥା ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା। ତେବେ ସେମାନଙ୍କୁ ସମୟ ଦେବାପାଇଁ ଦୋକାନୀମାନେ ପୌର ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ପୌରସଂସ୍ଥା ପକ୍ଷରୁ ମାତ୍ର ଗୋଟିଏ ଦିନ ସମୟ ଦିଆଯାଇଥିଲା। ଆଜି ଘସିପୁରାରେ ୨୪ଟି ଦୋକାନକୁ ଜେସିବି ମେସିନ୍ ଲଗାଇ ଭାଙ୍ଗି ଦିଆଯାଇଛି।
ଦୁଇବର୍ଷ ତଳେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୮ଟି ଦୋକାନ ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ନୂଆ ଦୋକାନୀମାନେ ୩୦ ହଜାର ଟଙ୍କା ଲେଖାଏଁ ଅମାନତ ଜମା କରି ଦୋକାନ ଖୋଲିଥିଲେ। ବ୍ୟବସାୟିକ ସ୍ଥିତି ସୁଧୁରି ନଥିବା ବେଳେ ଦୋକାନ ଭାଙ୍ଗିଯିବାରୁ ସେମାନେ ଏବେ ଜୀବିକା ହରାଇଛନ୍ତି। ପୌରନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ, ଘସିପୁରା ଅତିରିକ୍ତ ତହସିଲଦାର ଦିବାକର ମାଝୀ ଓ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଆଜି ସମସ୍ତ ଦୋକାନକୁ ଭାଙ୍ଗି ଦିଆଯାଇଛି।
ସେହିପରି ଆନନ୍ଦପୁର ଫକୀରମୋହନ ମାର୍କେଟରେ ୨୦ଟି ଦୋକାନ ଉଚ୍ଛେଦ କରାଯାଇଛି। ତେବେ ଉଚ୍ଛେଦ ସମ୍ପର୍କିତ ନୋଟିସ୍ ଦିଆଯିବା ପରେ ଦୋକାନୀମାନେ ନିଜେନିଜେ ସେମାନଙ୍କ ଦୋକାନ ଭାଙ୍ଗି ଚାଲି ଯାଇଥିବା ଆନନ୍ଦପୁର ତହସିଲଦାର ତପନ ନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ତୁରନ୍ତ ବସ୍ ଟର୍ମିନାଲ କାମ ଆରମ୍ଭ କରିବା ପାଇଁ ଆସନ୍ତାକାଲି ପରିବହନ ନଗମର ଏକ ଟିମ୍ ଆନନ୍ଦପୁର ଆସୁଥିବା ସୂଚନା ମିଳିଛି। ଏପଟେ ୪୪ଜଣ ବ୍ୟବସାୟୀଙ୍କ ଥଇଥାନ ନେଇ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/11-15.jpg)