ଭୁବନେଶ୍ୱର: ରାଜ୍ୟରେ ଜଳସେଚନର ବିକାଶ ନିମନ୍ତେ ଚଳିତ ଆର୍ଥିକ ବର୍ଷ(୨୦୧୮-୧୯) ପାଇଁ ଜଳଛାୟା ଓ ଅଣୁ ଜଳସେଚନ ଯୋଜନାରେ ପ୍ରାୟ ୪୪୦ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟଯୋଜନା ଅନୁମୋଦିତ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରି କମିଟି ବୈଠକରେ କାର୍ଯ୍ୟଯୋଜନାକୁ ଅନୁମୋଦନ କରାଯାଇଛି। ଯୋଜନାଗୁଡ଼ିକୁ ଅନୁମୋଦନ କରି ସେସବୁର ତ୍ୱରିତ କାର୍ଯ୍ୟାନ୍ଵୟନ ଓ ଠିକ୍ ସମୟରେ ଚାଷ ପାଇଁ ଜଳଯୋଗାଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ଜଳର ସର୍ବାଧିକ ବ୍ୟବହାର ଓ ଫସଲ ଯୋଜନା ବିଷୟରେ ଚାଷୀମାନଙ୍କୁ ପରାମର୍ଶ ଦେଇ ଜମିର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ କୃଷି ଓ ଜଳସମ୍ପଦ ବିଭାଗକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ଜଳଛାୟା, ପ୍ରତି ବୁନ୍ଦା ଜଳରୁ ଅଧିକ ଉତ୍ପାଦ ଓ ଅଣୁ ଜଳସେଚନ ଆଦିସ ଯୋଜନାରେ ଜଳସେଚନ ନିମନ୍ତେ ବାର୍ଷିକ କାର୍ଯ୍ୟଯୋଜନା ଅନୁମୋଦିତ ହୋଇଥିଲା। ‘ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା’ ଅନ୍ତର୍ଗତ ଜଳଛାୟା ପ୍ରକଳ୍ପରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨୫୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି। ଏଥି ମଧ୍ୟରୁ କେନ୍ଦ୍ର ସରକାର ପ୍ରାୟ ୯୮.୪୪ କୋଟି ଟଙ୍କା ଯୋଗାଇବେ ଓ ଅବଶିଷ୍ଟ ୧୫୧.୫୬ କୋଟି ଟଙ୍କା ରାଜ୍ୟ ସରକାର ଯୋଗାଇବେ। ସେହିପରି ‘ପ୍ରତି ବୁନ୍ଦା ଜଳରୁ ଅଧିକ ଉତ୍ପାଦ’ ଯୋଜନାରେ ୮୮.୯୫ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟଯୋଜନା ଅନୁମୋଦନ ହୋଇଛି, ଯେଉଁଥିରେ ପ୍ରାୟ ୪୦ କୋଟିର କେନ୍ଦ୍ରୀୟ ସହାୟତା ମିଳିବ ଓ ଅବଶିଷ୍ଟ ୪୮.୯୫ କୋଟି ଟଙ୍କା ରାଜ୍ୟ ସରକାର ବିନିଯୋଗ କରିବେ। ଏଥିରେ ପ୍ରାୟ ୨୩୪୫ଟି ଜଳସେଚନ ୟୁନିଟ୍ ମାଧ୍ୟମରେ ୫୬୯୫ ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଅଣୁ ଜଳସେଚନ ବାବଦରେ ସମୁଦାୟ ୮୭.୯୭ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟଯୋଜନା ଅନୁମୋଦିତ ହୋଇଛି। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜଳଛାୟା ଓ ଅଣୁ ଜଳସେଚନ ପାଇଁ ୪୪୦ କୋଟି
/sambad/media/post_attachments/wp-content/uploads/2018/03/secretariate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)