୪ ହଜାର ୪୧୦ କୋଟି ଖର୍ଚ୍ଚ: କେନାଲରେ ଆସିପାରିଲାନି ପାଣି

ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୨ ଲକ୍ଷ ୭୨ ହଜାର ହେକ୍ଟର ଜମି ଶୁଖିଲା

ବଟକୃଷ୍ଣ ବିହାରୀ
ବାରିପଦା : ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୨ ଲକ୍ଷ ୭୨ ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ। ଏମିତି ଲକ୍ଷ୍ୟ ନେଇ ଓଡ଼ିଶା ସରକାରଙ୍କ ସହଯୋଗରେ ୧୯୮୭ ମସିହାରେ ଆରମ୍ଭ ହୋଇଥିଲା ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପ। ଆଜି ସୁଦ୍ଧା ରାଜ୍ୟ ସରକାର ୪ ହଜାର ୪୧୦ କୋଟି ବି ଦେଇସାରିଲେଣି। ବିଡ଼ମ୍ବନାର ବିଷୟ , ୩୫ ବର୍ଷ ପରେ ବି କାମ ସରିନାହିଁ। ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ, ନିମ୍ନମାନର ନିର୍ମାଣ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିହୀନ ପଦକ୍ଷେପ ପାଇଁ ଏହି ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି।

କୃଷି କ୍ଷେତ୍ରରେ ସୁବର୍ଣ୍ଣରେଖା ନଦୀଜଳର ଉପଯୋଗ ପାଇଁ ୧୯୭୮ ମସିହାରେ ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ବିହାରଠାରୁ ଝାଡ଼ଖଣ୍ଡ ଅଲଗା ହେବାପରେ ଏହି ପ୍ରକଳ୍ପ ଝାଡ଼ଖଣ୍ଡକୁ ଚାଲି ଯାଇଥିଲା। ପ୍ରସ୍ତାବ ଥିଲା, ଝାଡ଼ଖଣ୍ଡର ଗୁରୁଡ଼ିହିଠାରେ ସୁବର୍ଣ୍ଣରେଖା ନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ହେବ ଏବଂ ସେଠାରୁ କେନାଲ ଯୋଗେ ହଳଦିଆ, ଜମ୍ଭୀରା ଓ ବାଉରା ଜଳଭଣ୍ଡାରକୁ ପାଣି ଆସି ଶାଖା କେନାଲ ମାଧ୍ୟମରେ ଚାଷଜମିକୁ ପାଣି ଛଡ଼ାଯିବ। ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପ କାମ ଶେଷ ହେଲେ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୪ଟି ବ୍ଲକ୍‌ରେ ୨ ଲକ୍ଷ ୭୨ ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର, ବେତନଟୀ, ସାରସକଣା, କୁଳିଅଣା, ଶ୍ୟାମାଖୁଣ୍ଟା, ବଡ଼ସାହି, ରାସଗୋବିନ୍ଦପୁର, ବାଙ୍ଗିରପୋଷି, ଶୁଳିଆପଦା, ମୋରଡ଼ା, ବାଲେଶ୍ବର ଜିଲ୍ଲାର ବାଲେଶ୍ବର ସଦର, ବସ୍ତା, ରେମୁଣା ଓ ଜଳେଶ୍ବର ବ୍ଲକ୍‌ର ହଜାର ହଜାର ଚାଷୀ ଉପକୃତ ହେବେ। ଏପରିକି ଏହି ସବୁ ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା ହେଲେ ମଧ୍ୟ ଚାଷକାମ ପ୍ରଭାବିତ ହେବନି ବୋଲି କୁହାଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ପ୍ରଥମଥର ପାଇଁ ପରୀକ୍ଷାମୂଳକ ଭାବେ ଏହି ପ୍ରକଳ୍ପ ଜରିଆରେ ପାଣି ଆସିଥିଲା। କିନ୍ତୁ ୫ଟି ବ୍ଲକ୍‌କୁ ପାଣି ଆସିଥିବା ବେଳେ ଦିନ କେଇଟା ପରେ ତାକୁ ବନ୍ଦ କରିଦିଆଗଲା। ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାମ ଶେଷ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାପରେ କାମ ଟିକେ ଆଗେଇଥିଲା। ହେଲେ, ସମ୍ପୂର୍ଣ୍ଣ ହେବା ଆଗରୁ ତରବରିଆ ଭାବେ ଗତବର୍ଷ ଏହି ପ୍ରକଳ୍ପକୁ ପୁଣିଥରେ ଉଦ୍‌ଘାଟନ କରାଗଲା। ଅଧାପନ୍ତରିଆ କେନାଲରେ ପାଣି ଆସିବା ଫଳରେ ଚାଷୀ ଉପକୃତ ହେବେ କ’ଣ, କିଛି ଅଞ୍ଚଳରେ ପାଣି ମାଡ଼ିଯାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ସରକାର ଓ ପ୍ରଶାସନ ସମାଲୋଚନାର ଶରବ୍ୟ ହୋଇଥିଲେ। ଏବେ ବି କେନାଲ କାମ ସମ୍ପୂର୍ଣ୍ଣ ହୋଇନାହିଁ। ପ୍ରକଳ୍ପର ଶେଷମୁଣ୍ଡ ଜଳେଶ୍ବର ବ୍ଲକ୍‌ ସମେତ ବାଲେଶ୍ବର ଜିଲ୍ଲାର ଅନ୍ୟ ୩ଟି ବ୍ଲକ୍‌ର ଚାଷୀ ଏଯାଏ ଚାଷଜମିକୁ ପାଣି ପାଇ‌ନାହାନ୍ତି।

ତେବେ, ଏଥିପାଇଁ ଜମି ଅଧିଗ୍ରହଣ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା କୁହାଯାଉଛି। ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କିଛି ବ୍ଲକ୍‌ରେ ଚାଷୀମାନେ କେନାଲ ପାଇଁ ଜମି ଛାଡ଼ୁନାହାନ୍ତି। ଫଳରେ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଜଣେ ବରିଷ୍ଠ ଅଧିକାରୀ ‘ସମ୍ବାଦକ୍ଷକୁ କହିଛନ୍ତି। ତଥାପି ୨୦୨୪ ସୁଦ୍ଧା କାମ ସରିଯିବ ବୋଲି ଅଧିକାରୀ ଜଣକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ଆନ୍ତରିକତା ଅଭାବରୁ ପ୍ରକଳ୍ପ କାମ ଆଗେଇ ପାରୁନାହିଁ ବୋଲି ଚାଷୀ ମହଲରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର