ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୫ ଶହ ପାର୍‌ ହେଲାଣି। ସେହିଭଳି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ। ଅବଶ୍ୟ, ଗତ ପ୍ରାୟ ୫ ବର୍ଷ ହେଲା ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟ‌ା କମିଛି; କିନ୍ତୁ ଏଯାଏଁ ସଂପୂର୍ଣ୍ଣଭାବେ ଲୋପ ପାଇନି। ଚଳିତ ବର୍ଷ ପ୍ରଥମ ୧୦ ମାସ, ଅର୍ଥାତ୍‌ ଜାନୁଆରୀ-ଅକ୍ଟୋବର ମାସରେ ଜିଲ୍ଲାରେ ୧୦୨୮ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏମିତିକି ବଡ଼ଗାଁ ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ବି ଘଟିଛି। ଉଲ୍ଲେଖଯୋଗ୍ୟ, ଗତ ୨୩ ବର୍ଷ ଭିତରେ ଜିଲ୍ଲାର ୪୪୨ ଜଣ ମ୍ୟାଲେରିଆ ରୋଗୀଙ୍କ ମୃତ୍ୟୁ ଘଟିଛି।

Advertisment

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୪ ଲକ୍ଷ ୪୪ ହଜାର ୫୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୧୦୨୮ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ମୁଖ୍ୟତଃ ତିନିଟି ବ୍ଲକ, ଯଥା,- ଲହୁଣୀପଡ଼ା, କୋଇଡ଼ା ଓ ବିଶ୍ରାରେ ଆକ୍ରାନ୍ତ ସଂଖ୍ୟା ଢ଼େର୍‌ ଅଧିକ। ଲହୁଣୀପଡ଼ା ବ୍ଲକରେ ସର୍ବାଧିକ ୩୫୭ ଜଣ ମ୍ୟାଲେରିଆରେ ସଂକ୍ରମିତ ହୋଇଥିବାବେଳେ କୋଇଡ଼ାରେ ୨୨୮ ଜଣ, ବିଶ୍ରାରେ ୧୦୨ ଜଣ, ବଡ଼ଗାଁରେ ୧୭, ବିରକେରାରେ ୭୦, ଗୁରୁଣ୍ଡିଆରେ ୨୭, ହାତିବାରୀ ୫୬, ହେମଗିରରେ ୩୫, କିଞ୍ଜିରିକେଲାରେ ୨୦, କୁଆରମୁଣ୍ଡାରେ ୨୨, କୁତ୍ରାରେ ୧୦, ଲାଇଙ୍ଗ୍‌ରେ ୩୩, ମଝାପଡ଼ାରେ ୨, ମଙ୍ଗସପୁରରେ ୧, ସର୍ଗିପାଲୀରେ ୧୦, ଏସ.ବଲାଙ୍ଗରେ ୮, ସବଡେଗାରେ ୬, ବଣାଇଁରେ ୧, ବୀରମିତ୍ରପୁର ପୌରପାଳିକାରେ ୧୦, ରାଜଗାଙ୍ଗପୁର ପୌରପାଳିକାରେ ୧, ସୁନ୍ଦରଗଡ଼ ପୌରପାଳିକାରେ ୨ ଓ ରାଉରକେଲା ସହରାଞ୍ଚଳରେ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି।

ଦିନ ଥିଲା, ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ତାଣ୍ଡବ ରଚିଥିଲା। ବହୁସଂଖ୍ୟକ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବାବେଳେ ଅନେକଙ୍କ ଜୀବନ ମଧ୍ୟ ଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସିଛି। ବିଶେଷକରି ୨୦୧୮ ମସିହାରେ ଏହି ସଂଖ୍ୟା ଆଖିଦୃଶିଆ କମିଛି। ଏହା ପୂର୍ବରୁ ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବାର୍ଷିକ ୨୦ ହଜାରରୁ ଅଧିକ ରହୁଥିଲା। ତେବେ ୨୦୧୮ ମସିହାରେ ଏହି ସଂଖ୍ୟା ୪୪୦୩ରେ ସୀମିତ ରହିଥିଲା। ପୂର୍ବରୁ ମ୍ୟାଲେରିଆ ଜନିତ ମୃତ୍ୟୁ ବି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିଲା। ବିଶେଷକରି ୨୦୦୦ ମସିହାରୁ ୨୦୧୫ ପର୍ଯ୍ୟନ୍ତ, ବାର୍ଷିକ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ପାର୍‌ କରୁଥିଲା। ଏମିତିକି ୨୦୦୨ ମସିହାରେ ସର୍ବାଧିକ ୯୫ ଜଣ, ୨୦୦୦ ମସିହାରେ ଦ୍ବିତୀୟ ସର୍ବାଧିକ ୬୨ ଜଣ, ୨୦୦୩ ଓ ୨୦୧୦ରେ ୩୯ ଜଣ ଲେଖାଏଁ ମୃତ୍ୟୁବରଣ କରିଥିଲେ। ପ୍ରକାଶଥାଉକି, ୨୦୦୦ରୁ ୨୦୨୨ ଅକ୍ଟୋବର ସୁଦ୍ଧା, ଅର୍ଥାତ୍‌ ଗତ ୨୩ ବର୍ଷ ଭିତରେ ଜିଲ୍ଲାରେ ମୋଟ୍‌ ୯୦ ଲକ୍ଷ ୦୫ ହଜାର ୨୭୩ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଏଥି‌ମଧ୍ୟରୁ ୬ ଲକ୍ଷ ୩୬ ହଜାର ୮୩୪ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ୪୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା।