ମାଲକାନଗିରି ଜିଲ୍ଲାରେ ୪୪୪୯ ହେକ୍ଟର ଜମି ଆଜି ବି ଅଣଜଳସେଚିତ, ରବି ଚାଷ ପାଇଁ ଚାଷୀ ହେଉଛନ୍ତି ହୀନସ୍ତା

୪୩,୫୯୪ ହେକ୍ଟର ଜମି ଜଳସେଚିତ

ମାଲକାନଗିରି: କୃଷି ବିଭାଗ ତରଫରୁ ମାଲକାନଗିରି ଜିଲ୍ଲାରେ ରବି ଫସଲ ପାଇଁ ଟାର୍ଗେଟ କରାଯାଇ ଏହାକୁ ହାସଲ କରାଯାଉଛି। କିନ୍ତୁ ଜିଲ୍ଲାରେ ଯେତେ ଜମିରେ ରବି ଫସଲ କରାଯାଉଛି। ତାହା କେତେ ସଫଳ ହେଉଛି ତାହା ତଦାରଖ ପ୍ରକୃତରେ କରାଯାଉଛି କି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଚଳିତ ରବି ଚାଷ ପାଇଁ ଜିଲ୍ଲା କୃଷି ବିଭାଗ ୪୮୦୪୩ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାଷ କରାଯିବା ନେଇ ଟାର୍ଗେଟ କରି ସଫଳ ହୋଇଥିବା କହୁଛି। ୪୮୦୪୩ ହେକ୍ଟର ଜମିରୁ ୪୩,୫୯୪ ହେକ୍ଟର ଜଳସେଚିତ ଜମିରେ ଚାଷକରାଯାଉଥିବା ବେଳେ ଏବେ ବି ୪୪୪୯ ହେକ୍ଟର ଜମି ଅଣଜଳସେଚିତ ବୋଲି କୁହାଯାଉଛି। ଏହି ଅଣଜଳସେଚିତ ଜମି ମଧ୍ୟରେ ମାଥିଲି, ଖଇରପୁଟ ଏବଂ କୋରକୋଣ୍ଡା ବ୍ଲକ ରହିଥିବା ଜଣାପଡିଛି।

ଜିଲ୍ଲା କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ରବି ଋତୁ୨୦୨୧-୨୨ରେ ୫୩୦ ହେକ୍ଟର ଜମିରେ ଧାନ ଫସଲ କରାଯାଉଥିବା ବେଳେ ୨୧୫୫ ହେକ୍ଟର ଜମିରେ ମକା ଚାଷ କରାଯାଉଛି। ଜିଲ୍ଲାରେ ଗହମ ଚାଷ କରାଯାଉଥିବା କୁହାଯାଇଛି। ସେହିପରି ମୁଗ, ବିରି, କୋଳଥ ଭଳି ଡାଲି ଜାତୀୟ ଚାଷ ୯୫୧୬ ହେକ୍ଟର ଜମିରେ ଚାଷ କରାଯାଉଥିବା କୁହାଯାଇଛି। ତେଲ ଜାତୀୟ ଶସ୍ୟ ୧୭,୫୬୯ ହେକ୍ଟର ଜମିରେ ଚାଷ କରାଯାଉଛି। ଆଳୁ,୧୨୭ ହେକ୍ଟର, ପିଆଜ ୪୩୦ ହେକ୍ଟର ଏବଂ ଅନ୍ୟ ପନିପରିବା ୧୬,୩୫୮ ହେକ୍ଟର ଜମିରେ ଚାଷ କରାଯାଉଥିବା ଜଣାପଡିଛି।

ସେହିପରି ମରିଚ ୬୩୭ ହେକ୍ଟର, ଅଦା ୯୯ ହେକ୍ଟର, ଧନିଆ ୫୦୪ ହେକ୍ଟର ଜମିରେ ଚାଷ କରାଯାଉଛି। ଆଖୁ ମାତ୍ର ୧୭ ହେକ୍ଟର ଜମିରେ ଚାଷ ହେଉଥିବା ଜଣାପଡିଛି। ତେବେ ମୋଟରେ ୪୮,୦୪୩ ହେକ୍ଟର ଜମିରେ ରବି ଚାଷ କରାଯାଉଛି। ଏହି ଚାଷ ପାଇଁ ୯ଟି ବିଭିନ୍ନ ପ୍ରକାର ଜଳସେଚନ ଦ୍ବାରା ଜମିକୁ ପାଣି ପ୍ରଦାନ କରାଯାଉଛି।ସେଥିମଧ୍ୟରୁ ପୋଟେରୁ ଇରିଗେସନ ପ୍ରୋଜେକ୍ଟ ବାଲିମେଳା ୧୨,୫୧୭ ହେକ୍ଟର ଜମିକୁ ପାଣି ମଡାଉଥିବା ବେଳେ ପୋଟେରୁ ଇରିଗେସନ ପ୍ରୋଜେକ୍ଟ ଏମଭି-୭୯ ତରଫରୁ ୧୩,୫୪୨ ହେକ୍ଟର ଜମିରେ ପାଣି ଛଡାଯାଉଛି। ସତୀଗୁଡା ଇରିଗେସନ ପ୍ରୋଜେକ୍ଟ ତରଫରୁ ୪୫୩୫ ହେକ୍ଟର ଜମିରେ, ମାଇନର ଇରିଗେସନ ପ୍ରୋଜେକ୍ଟ ତରଫରୁ ୩୩୯ ହେକ୍ଟର ଜମିରେ, ଓଡିଶା ଲିଫ୍ଟ ଇରିଗେସନ ତରଫରୁ ୮୭୨୪ ହେକ୍ଟର ଜମିରେ, ଓଏଆଇସି ତରଫରୁ ୩୦୮୩ ହେକ୍ଟର ଜମିରେ, ଜଳନିଧୀ ବୋରଵେଲ ୯୦ଟିରେ ୧୮୦ ହେକ୍ଟର ଜମିରେ, ଡଗଵେଲ ୯୬୮ଟିରେ ୧୯୪ ହେକ୍ଟର ଜମିରେ ଏବଂ ଅନ୍ୟାନ୍ୟ ଉତ୍ସରୁ ୪୮୦ ହେକ୍ଟର ଜମିରେ ଜିଲ୍ଲାର ଚାଷୀ ଭାଇମାନଙ୍କୁ ପାଣି ଯୋଗାଇ ଦିଆଯାଉଥିବା କୁହାଯାଇଛି।

ତେବେ ଆଜି ବି ଜିଲ୍ଲାର ବହୁ ଅଂଚଳ ଅଣଜଳସେଚିତ ହୋଇ ରହିଥିବାରୁ ଚାଷୀ ରବି ଫସଲ କରିବାରେ ଅସମର୍ଥ ପ୍ରକାଶ କରୁଛି। ମାଲକାନଗିରି ଏକ କୃଷି ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ପ୍ରାୟ ୬୦ ଭାଗ ଲୋକେ ଚାଷ ଉପରେ ହିଁ ନିର୍ଭର କରିଥାନ୍ତି। ଚାଷା ରବି ଋତୁରେ ଚାଷ କରି ବହୁତ ଖର୍ଚ୍ଚାନ୍ତ ହେଉଥିବାରୁ ବାଧ୍ୟ ହୋଇ ଖାଦ୍ୟଶସ୍ୟର ଦାମ ଅଧିକା ହେଉଥିବା କୁହାଯାଉଛି। କୃଷି ବିଭାଗ ତରଫରୁ ଚାଷୀଙ୍କୁ ଯେପରି ସହଯୋଗ ମିଳିବା କଥା ସେପରି ସହଯୋଗ ଏକ ପ୍ରକାର ମିଳୁନଥିବା ଅଭିଯୋଗ ହୋଇଛି। କେବଳ କୃଷି ଅଧିକାରୀମାନେ ବିଭିନ୍ନ ଫିଲଡକୁ ବୁଲିବାକୁ ଯାଇ ଫଟୋ ଉଠାଇ ଟ୍ବିଟରରେ ଛାଡି କେବଳ ସରକାରଙ୍କ ଠାରୁ ବାହା ବା ନେଉଥିବା ଅଭିଯୋଗ ହୋଇଛି। ଆଜି ବି ବହୁ ଚାଷ ଚଳିତ ରବୀ ଋତୁରେ କ୍ଷତି ସହିଥିବା ଦେଖିବାକୁ ମିଳିଛି, ଯେଉଁ ଚାଷୀମାନେ ବୋରଵେଲ ଏବଂ ଡଗଵେଲ କିମ୍ବା ଅନ୍ୟ ଉତ୍ସରୁ ପାଣି ନେଇ ଚାଷ କରିବେ ବୋଲି ଭାବିଥିଲେ ତାହା ଅନେକ ଚାଷୀଙ୍କ ପାଇଁ କାଳ ହୋଇଛି। ଠିକ ସମୟରେ ପାଣି ମିଳିପାରିନଥିବାରୁ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି।ତେବେ ଜିଲ୍ଲାର ଅନ୍ୟ ଅଂଚଳକୁ କିପରି ଜଳସେଚିତ କରାଯିବ ଏବଂ ଚାଷୀ ଭାଇମାନେ ଚଳିତ ରବି ଋତୁରେ ଯେତିକି କ୍ଷତି ସହିଛନ୍ତି ତାହାର ଭରଣ କରାଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର