ରାଉରକେଲା: ସ୍ମାର୍ଟସିଟି ରାଉରକେଲାର ରିଂ ରୋଡ୍ ହେଉ ଅବା ଅନ୍ୟକୌଣସି ପ୍ରମୁଖ ରାସ୍ତା, ସବୁଠାରେ ଭିକାରିଙ୍କୁ ଦେଖିବାକୁ ମିଳୁଛି। ଏମିତିକି ସହରର ବିଭିନ୍ନ ମନ୍ଦିର, ବଜାର ଅଞ୍ଚଳରେ ବି ଏମାନଙ୍କ ଉପସ୍ଥିତି। ବିଶେଷକରି କୁଷ୍ଠ ରୋଗରେ ପ୍ରଭାବିତ ଲୋକଙ୍କ ମଧ୍ୟରୁ ପାଖାପାଖି ୬୦ ପ୍ରତିଶତରୁ ଅଧିକ ଲୋକ ଭିକ୍ଷାବୃତ୍ତିରେ ଲିପ୍ତ। ଏମାନଙ୍କ ପାଖରେ ସବୁ ସରକାରୀ ସୁବିଧା ମିଳୁନଥିବାରୁ ଏମାନେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଭିକାରିମୁକ୍ତ ରାଉରକେଲା ଏବେ ଦିବାସ୍ବପ୍ନ ପାଲଟିଛି।
ସରକାରୀ ତଥ୍ୟ ଅନୁସାରେ, ସହରରେ ମୋଟ୍ ୪୪୭ ଜଣ ଭିକାରି ଅଛନ୍ତି। ତେବେ ବେସରକାରୀ ତଥ୍ୟ ଅନୁସାରେ ଏଡି ସଂଖ୍ୟା ଦୁଇଗୁଣରୁ ଅଧିକ ହେବ। ଏମାନେ ନୟାବଜାର ବୁର୍ଲା କୁଷ୍ଠପଲ୍ଲୀ, ଦୁର୍ଗାପୁର ଏ’ କୁଷ୍ଠପଲ୍ଲୀ, ମାଲଗୋଦାମ ବି’ କୁଷ୍ଠପଲ୍ଲୀ, ସେକ୍ଟର-୬ ଜଗନ୍ନାଥ ଆଶ୍ରମ ବସ୍ତି, ଦେଓଗାଁ, ନୟାବଜାର ଲେପ୍ରୋସି କଲୋନିରେ ରହୁଛନ୍ତି। ବୁର୍ଲା କୁଷ୍ଠପଲ୍ଲୀରେ ପାଖାପାଖି ୫୦ ଜଣ କୁଷ୍ଠରୋଗ ପ୍ରଭାବିତ ବ୍ୟକ୍ତି ରହୁଥିବାବେଳେ ଦେଓଗାଁ କୁଷ୍ଠପଲ୍ଲୀରେ ପ୍ରାୟ ପ୍ରାୟ ୩୧, ଦୁର୍ଗାପୁର ଏ’ କୁଷ୍ଠପଲ୍ଲୀରେ ପ୍ରାୟ ୫୦ ଜଣ ରହୁଛନ୍ତି। ଏମାନଙ୍କ ମୋଟ୍ ପରିବାର ସଦସ୍ୟ ସଂଖ୍ୟା ପାଖାପାଖି ୧୨/୧୩ ଶହ ହେବ। କୁଷ୍ଠ ରୋଗ ପ୍ରଭାବିତ ବ୍ୟକ୍ତିଙ୍କୁ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କା, ମଧୁବାବୁ ପେନସନ, ରାସନ କାର୍ଡରେ ଚାଉଳ ଆଦି ସରକାରୀ ସୁବିଧା ରହିଛି। କିନ୍ତୁ ସମସ୍ତ ହିତାଧିକାରୀ ସରକାରୀ ସେବା ପାଇବାରୁ ବଞ୍ଚିତ। ଏମାନେ ରହୁଥିବା ବସ୍ତିଅଞ୍ଚଳରେ ଏବେ ବି ମୌଳିକ ସେବା ଅପହଞ୍ଚ। କେଉଁଠି ଗୋଷ୍ଠି ଶୌଚାଳୟ ଅଛି କିନ୍ତୁ ପାଣିନାହିଁ। ଏମିତିକି କେତେକ ବସ୍ତିରେ ଗୋଷ୍ଠି ଶୌଚାଳୟ ଏଯାଏ ନିର୍ମାଣ ହୋଇପାରିନି। ଏମିତିକି ଯେଉଁଠି ଗୋଷ୍ଠି ଶୌଚାଳୟ ନିର୍ମାଣ କରାଯାଇଛି, ସେଠାରେ ଜଳଯୋଗାଣ, ସଫେଇ ଆଦି ହେଉନି। ଏବେ ବି ଯୋଗ୍ୟହିତାଧିକାରୀ ପେନସନ୍, ଜଗା ମିସନ୍ ଯୋଜନାରେ ଜମି ପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି। ଏବେ ଏମାନଙ୍କ ପାଇଁ ଜାତିଗତ ପ୍ରମାଣପତ୍ର ପାଇବା କଷ୍ଟକର ହୋଇପଡ଼ିଛି। ନିଜ ନିଜ ବାପା-ଦାଦା କୁଷ୍ଠରୋଗରେ ପିଡ଼ିତ ହୋଇ ଜନ୍ମସ୍ଥାନ ଛାଡ଼ି ରାଉରକେଲାରେ ରହିବାପରେ ସେମାନଙ୍କ ଜାତିକୁ ନେଇ କୌଣସି ପ୍ରମାଣପତ୍ର ନାହିଁ। ଏଣୁ ସେମାନଙ୍କ ପିଲାଛୁଆ ଚାକିରି ଓ ଅନ୍ୟାନ୍ୟ କ୍ଷେତ୍ରରେ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ବିଗତ ଦିନରେ ରାଉରକେଲା ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ସେକ୍ଟର-୮ରେ ଏହି ଥଇଥାନ କେନ୍ଦ୍ର ସ୍ଥାପିତ ହୋଇଥିଲା। ଉଦ୍ଦେଶ୍ୟଥିଲା, ଏଠାରେ ପ୍ରାୟ ୫୦ ଜଣ ବେସାହାରା ବୟସ୍କ ଭିକ୍ଷୁକମାନଙ୍କୁ ଥଇଥାନ କରିବା। ତେବେ ଏହାର ଅସଲ ଉଦେଶ୍ୟ ହାସଲ ହୋଇପାରିନି।
ସହରର ମୋଟ୍ କୁଷ୍ଠ ରୋଗ ପ୍ରଭାବିତଙ୍କ ମଧ୍ୟରୁ ୬୦ ପ୍ରତିଶତ ଏବେ ବି ଭିକ୍ଷାବୃତ୍ତି କରୁଥିବାବେଳେ ଅବଶିଷ୍ଟ ୪୦ ପ୍ରତିଶତ ଭିକାରିଙ୍କ ମଧ୍ୟରେ କିଛି ଦିବ୍ୟାଙ୍ଗ, ବାପା-ମା’ ଛେଉଣ୍ଡ ତଥା ପଡ଼ୋଶୀ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର ଆଦି ଜିଲ୍ଲା ସମେତ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର। ଭିକ୍ଷାବୃତ୍ତି ପାଇଁ ଏମାନେ ରାଉରକେଲାକୁ ପଳେଇ ଆସିଛନ୍ତି। ଏମାନେ ଦିନସାରା ଭିକ୍ଷାବୃତ୍ତି କରିବାପରେ ରେଲୱେ ଷ୍ଟେସନ, ବସ୍ଷ୍ଟାଣ୍ଡ୍, ରାସ୍ତାକଡ଼ରେ ରାତ୍ରିଯାପନ କରୁଛନ୍ତି। ଏନେଇ କୁଷ୍ଠ ପ୍ରଭାବିତ ବ୍ୟକ୍ତିଙ୍କ ସଂଘ (ଆପାଲ୍)ର ଉପଦେଷ୍ଟା ରଶ୍ମୀ ରଞ୍ଜନ ନାୟକ କହିଛନ୍ତି, ସରକାରଙ୍କ ପକ୍ଷରୁ କୁଷ୍ଠରୋଗରେ ପ୍ରଭାବିତ ବ୍ୟକ୍ତି ଓ ସେମାନଙ୍କ ପରିବାର ପାଇଁ ବିଭିନ୍ନ ଯୋଜନା କରାଯାଇଛି, କିନ୍ତୁ ସବୁ ଯୋଜନାର ଲାଭ ପାଇବାରେ ହିତାଧିକାରୀ ବଞ୍ଚିତ। ଗୋଷ୍ଠି ଶୌଚାଳୟ, ଜମି ପଟ୍ଟା, ଜାତି ପ୍ରମାଣ ପତ୍ର ଆଦି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ଦିଗରେ ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।