ଗଞ୍ଜାମର ୪୪୭ କୋଭିଡ୍ ମୃତ୍ୟୁ: ପ୍ରତି ମୃତକଙ୍କ ପରିବାରକୁ ୫୦ ହଜାର ମିଳିବ

ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର : କରୋନାରେ ମୃତକଙ୍କ ପରିବାର ତଥା ତାଙ୍କ ଉତ୍ତରାଧିକାରୀଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହିକ୍ରମ‌ରେ ଗଞ୍ଜାମ ଜିଲ୍ଲାର ୪୪୭ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।ଏଥିପାଇଁ ମୃତକଙ୍କ ପରିବାର ଓ ଉତ୍ତରାଧିକାରୀ ମୃତ୍ୟୁ ପ୍ରମାଣପତ୍ର ସହ ସଂପୃକ୍ତ ତହସିଲ ଅଫିସ୍ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ।

ତେବେ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଜାରି କରିଛନ୍ତି। ପରିବାରବର୍ଗ ଓ ଉତ୍ତରାଧିକାରୀ ମୃତ୍ୟୁ ପ୍ରମାଣପତ୍ର ପାଇଁ ଯେଭଳି ବାରମ୍ବାର ଡାକ୍ତରଖାନାକୁ ନଆସିବେ, ଏଥିପାଇଁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ବ୍ୟକ୍ତି ଓଡ଼ିଶାର ଯେକୌଣସି ସ୍ଥାନରେ  କୋଭିଡ୍‌ରେ ପ୍ରାଣ ହରାଇଥିଲେ ସେମାନଙ୍କ ଉତ୍ତରାଧିକାରୀ ଆର୍ଥିକ ସହାୟତା ପାଇଁ ଆବେଦନ କରିପାରିବେ।

କିନ୍ତୁ ସଠିକ୍ ପ୍ରମାଣପତ୍ର ସଂଲଗ୍ନ କରି ଦରଖାସ୍ତ ଆବେଦନ କରିବାକୁ ହେବ। ସେହିପରି କୋଭିଡ୍ ପଜିଟିଭ୍ ହୋଇଥାଇ ଘରେ ମୃତ୍ୟୁବରଣ କରିଥିବା ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇଲେ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯିବ। ଯଦ୍ବାରା ସେମାନଙ୍କ ପରିବାରବର୍ଗ ଆର୍ଥିକ ସହାୟତା ଲାଗି ଆବେଦନ କରିପାରିବେ। ଉଭୟ ଅନଲାଇନ୍  ଓ ଅଫଲାଇନ୍ ମାଧ୍ୟମରେ ଆବେଦନ ବ୍ୟବସ୍ଥା ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଛି। ଅନ୍ୟପକ୍ଷରେ ୪୭୭ଜଣ ମୃତକଙ୍କ ମଧ୍ୟରୁ ୧୨ ଜଣ ମୃତକଙ୍କ ଉତ୍ତରାଧିକାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ଜିଲ୍ଲାର ସମସ୍ତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର