କଟକ : ୪୪୭ ପୁଲିସ ସବ୍-ଇନ୍ସପେକ୍ଟର ପଦବି ପୂରଣ ପାଇଁ ପ୍ରକାଶିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଫଳରେ, ଏହି ନିଯୁକ୍ତି ପ୍ରକ୍ରିୟା ଏବେ ଆଉ ଆଗେଇ ପାରିବନାହିଁ। ନିଯୁକ୍ତି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମନୋରଂଜନ ସାହୁ ଓ ଅନ୍ୟ ୬ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
୨୦୨୨ ଜାନୁଆରି ୧୫ର ସର୍ବୋଚ୍ଚ ବୟସ ସୀମା ଲାଗୁ ସମ୍ପର୍କିତ ବିଜ୍ଞପ୍ତିକୁ କାହିଁକି ରଦ୍ଦ କରାନଯିବ, ସେ ନେଇ ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଜବାବ ରଖିବେ। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ୨୦୨୧, ଜୁନ ୨୨ର ବିଜ୍ଞପ୍ତି ଆଧାରରେ ୪୪୭ ପୁଲିସ ସବଇନ୍ସପେକ୍ଟର ପଦରେ ନିଯୁକ୍ତି ପ୍ରସଂଗ ଆଉ ଅାଗେଇ ପାରିବ ନାହିଁ।
ମାମଲା ଅନୁସାରେ, ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ତରଫରୁ ୨୦୨୧, ଜୁନ୍ ୨୨ରେ ୪୪୭ ସବ୍-ଇନ୍ସପେକ୍ଟର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୧, ୨୦୨୨ ଓ ୨୦୨୩ ବର୍ଷରେ ସମସ୍ତ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୩୮ବର୍ଷ ବୋଲି ଧାର୍ଯ୍ୟ କରାଯାଇ ଗେଜେଟ ବିଜ୍ଞପ୍ତି ଗତ ୨୦୨୨, ଜାନୁଆରି ୧୧ରେ ପ୍ରକାଶ ପାଇଥିଲା। ପୁଣି ଜାନୁଆରି ୧୫ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ ଉପରୋକ୍ତ ବର୍ଷ ଗୁଡ଼ିକରେ ହେବାକୁ ଥିବା ପରୀକ୍ଷାରେ ଯଦି ଅାବେଦନର ଶେଷ ତାରିଖ ଥିବ, ସେ କ୍ଷେତ୍ରରେ ସର୍ବୋଚ୍ଚ ବୟସସୀମା ୩୮ ବର୍ଷ ଲାଗୁ ହୋଇପାରିବ। ଏଭଳି ବିଜ୍ଞପ୍ତିକୁ ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୨୧, ଜୁନ ୨୨ର ବୋର୍ଡର ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ଆବେଦନର ଶେଷ ତାରିଖ ଅତିକ୍ରାନ୍ତ ହୋଇଯିବା ସହ ଅାଜି ଯାଏ ପରୀକ୍ଷା ହୋଇପାରି ନାହିଁ। ଏଣୁ ଏକ୍ଷେତ୍ରରେ ସର୍ବୋଚ୍ଚ ବୟସସୀମା ଗେଜେଟ ବିଜ୍ଞପ୍ତି ଅନୁସାରେ ୩୮ବର୍ଷ ଲାଗୁ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିପ୍ଲବ ପି.ବି. ବାହାଲି ମାମଲା ପରିଚାଳନା କରୁଛନ୍ତି। ମାର୍ଚ୍ଚ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।