ଭୁବନେଶ୍ବର : ଜେଲ ବିଭାଗକୁ ଘାରିଛି କଏଦୀଙ୍କ କୋଭିଡ୍ ସଂକ୍ରମଣ ଚିନ୍ତା। ଗତ କିଛି ଦିନ ମଧ୍ୟରେ ବିଭିନ୍ନ ଜେଲରେ ଶହଶହ କଏଦୀ ଆକ୍ରାନ୍ତ ହେବା ପରେ କଏଦୀମାନଙ୍କ କୋଭିଡ୍ ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଆଜି ଉଚ୍ଚସ୍ତରୀୟ ବୈଠକ ବସି କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେମିତି ସଠିକ୍ ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇପାରିବ ତା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ କଟକ ଚୌଦ୍ବାରସ୍ଥିତ ମଣ୍ଡଳ କାରାଗାର ମେଡିକାଲ ଅଫିସରଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ସେ ନିୟମିତ ବିଭିନ୍ନ ଜେଲର ଅଧୀକ୍ଷକ ଓ ଚିକିତ୍ସା ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ।
ଜେଲଗୁଡ଼ିକରେ ଉପଯୁକ୍ତ କୋଭିଡ୍ ପରିଚାଳନା ଲାଗି ସୋମବାର ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ସମସ୍ତ ଜେଲ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ସେହିପରି ଜେଲ ଅଧୀକ୍ଷକ, ମେଡିକାଲ ଅଫିସର ଏସଡିଏମ୍ଓ କିମ୍ବା ସିଡିଏମଓ, ଉପଜିଲ୍ଲାପାଳ, ମହାନଗର ନିଗମ କମିସନରଙ୍କ ସହାୟତାରେ କଏଦୀଙ୍କ କୋଭିଡ୍ ପରୀକ୍ଷା କରାଇବାକୁ କୁହାଯାଇଛି। କରୋନା ପଜିଟିଭ୍ ଅନ୍ତେବାସୀଙ୍କୁ କୋଭିଡ୍ କେୟାର ସେଣ୍ଟର ଓ ଗୁରୁତରଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି।
ଏହା ବ୍ୟତୀତ ଜେଲରୁ କଏଦୀଙ୍କ ସଂଖ୍ୟା କମାଇବା ପାଇଁ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟର ବିଭିନ୍ନ ଜେଲରେ ସଜା କାଟୁଥିବା ୪୪୯ ଜଣ କଏଦୀଙ୍କୁ ୯୦ ଦିନିଆ ସ୍ବତନ୍ତ୍ର ପାରୋଲରେ ଯିବା ପାଇଁ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି। ତେବେ ୬୦ ବର୍ଷରୁ ଅଧିକ ଏବଂ ବହୁବିଧ ରୋଗରେ ଆକ୍ରାନ୍ତ କଏଦୀମାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଇନଗତ ପଦକ୍ଷେପ ନେବାକୁ ଅଧୀକ୍ଷକମାନଙ୍କୁ କୁହାଯାଇଛି।
ସେହିପରି କାର୍ଯ୍ୟରତ କର୍ମଚାରୀମାନେ ଡବଲ୍ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମକୁ ପାଳନ କରିବେ ତାହା ଉପରେ ଗୁରୁତ୍ବ ଦିଆଯାଇଛି। କଏଦୀମାନେ ଯେମିତି ସାମାଜିକ ଦୂରତ୍ବ ରକ୍ଷା କରିବେ ସେଥିପ୍ରତି ନଜର ରଖିବାକୁ ଜେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ଜେଲରେ ପ୍ରାୟ ୪ ଶହ ଅନ୍ତେବାସୀ ଏବେ ସୁଦ୍ଧା କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଜୀବନ ମଧ୍ୟ ଯାଇଛି। ଝାରପଡ଼ା ଜେଲ ଅଧୀକ୍ଷକ, ଜେଲରଙ୍କ ସମେତ ୧୧ ଜଣ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜାମିନରେ ମୁକୁଳିଥିବା କେତେକ ପଜିଟିଭ୍ ମଧ୍ୟ ବାହାରିଛନ୍ତି। ସ୍ବତନ୍ତ୍ର ପାରୋଲ ମଞ୍ଜୁର ହୋଇଥିବା ୪୪୯ କଏଦୀଙ୍କ ମଧ୍ୟରୁ ୧୫ ତାରିଖ ସୁଦ୍ଧା ୧୨୬ ଜଣ ମୁକୁଳି ସାରିଛନ୍ତି। ଗତ ୧ ତାରିଖରେ କଏଦୀଙ୍କ ସଂଖ୍ୟା ୨୦୪୮୨ ଥିବା ବେଳେ ୧୫ ତାରିଖ ସୁଦ୍ଧା ଏହା କମି ୧୯୭୦୭ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/jail-1.jpg)