ଝାଡ଼ଖଣ୍ଡ-ଓଡ଼ିଶା ସୀମା ଗେଟ୍‌ ଦେଇ ୪ ଦିନରେ ୪୫ ହଜାର ଶ୍ରମିକ ଗଲେ

ବୀରମିତ୍ରପୁର : କରୋନା ଲକ୍‌ଡାଉନ୍‌ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେତେକ କ୍ଷେତ୍ରରେ କୋହଳ କରିଥିଲେ ମଧ୍ୟ ଶ୍ରମିକଙ୍କ ଘର ଫେରନ୍ତା ଜାରି ରହିଛି। ଗତ ୪ ଦିନ ମଧ୍ୟରେ ବୀରମିତ୍ରପୁର ସୀମା ଗେଟ୍‌ ଦେଇ ୪୫ ହଜାରରୁ ଅଧିକ ଶ୍ରମିକ ଯାଇଛନ୍ତି। ପାଦରେ ଚାଲି ଚାଲି, ସାଇକଲ୍‌, ମୋଟରବାଇକ୍‌, କାର୍‌ ଓ ଛୋଟ ‌ଗାଡ଼ିରେ ଆସି ଏହି ଶ୍ରମିକମାନେ ନାମ ପଞ୍ଜିକରଣ କରି ସୀମା ଗେଟ୍‌ ଅତିକ୍ରମ କରିଛନ୍ତି। ନାମ ପଞ୍ଜିକରଣ ନକରି ଅନ୍ୟ ରାସ୍ତାରେ ଚାଲି ଯାଇଥିବା ଶ୍ରମିକ ଓ ବସ୍‌ରେ ଯାଇଥିବା ଲୋକଙ୍କୁ ମିଶାଇଲେ ଦୁଇ ଲକ୍ଷରୁ ଅଧିକ ଶ୍ରମିକ ଓଡ଼ିଶା ସୀମା ଦେଇ ବିଭିନ୍ନ ରାଜ୍ୟକୁ ଯାଇଥିବା ଜଣାପଡ଼ିଛି।

ଲୋକେ କିପରି ଅବସ୍ଥାରେ ଯାଉଛନ୍ତି, ଆଖିରେ ନଦେଖିଲେ ବିଶ୍ବାସ କରି ହେବନାହିଁ। ଉଦାହରଣ ରୂପେ ଆଜି ମୁମ୍ବାଇରୁ ୪ଟି ଅଟୋରିକ୍ସାରେ ୪ଟି ପରିବାର ୧୪ ଜଣ ପୁରୁଷ ଓ ମହିଳା ପିଲା ଛୁଆଙ୍କୁ ଧରି ଅତି ଦୟନୀୟ ଭାବେ ବୀରମିତ୍ରପୁର ସୀମା ଗେଟ୍‌ ଅତିକ୍ରମ କରିଛନ୍ତି। ଏମ୍‌ଏଚ ୦୨ଇଓ ୭୮୨୨, ଏମ୍‌ଏଚ୍‌ ୦୨ଇଏଫ ୮୦୪୧, ଏମ୍‌ଏଚ୍‌ ୦୨ ଇଡବ୍ଲୁ ୮୬୭୪ ଓ ଏମ୍‌ଏଚ୍‌ ୦୨ ଇଓ ୨୧୬୪ ନମ୍ବର ଅଟୋରିକ୍ସାରେ ମୁମ୍ବାଇରୁ ପ୍ରାୟ ୧୬ଶହ କିଲୋମିଟର ଅତିକ୍ରମ କରି ବୀରମିତ୍ରପୁର ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପହଞ୍ଚିଥିଲା। ସେମାନେ ବିହାରର ଚମ୍ପାଝରଣ ଯିବେ। ବୀରମିତ୍ରପୁରରୁ ଭାୟା ରାଞ୍ଚି ଦେଇ ବିହାରର ଚମ୍ପାଝରଣ ପ୍ରାୟ ୭ଶହ କିଲୋମିଟର ଦୂର। ୪ଟି ଯାକ ଅଟୋରିକ୍ସାରେ ଘରେ ପହଞ୍ଚିବାକୁ ୨୩୦୦ କିଲୋମିଟର ଅତିକ୍ରମ କରିବାକୁ ପଡ଼ିବ। ବୀରମିତ୍ରପୁରରେ ସେମାନଙ୍କୁ ପିଇବା ପାଣି ସହିତ ରନ୍ଧା ଖାଦ୍ୟ ଦିଆଯାଇଥିଲା। ଏହି ଶ୍ରମିକମାନେ ଗତ ୧୪ ତାରିଖ ଭୋର ୩ଟା ବେଳେ ମୁମ୍ବାଇରୁ ବାହାରି ୧୮ ତାରିଖ ଦିନ ୩ଟା ବେଳେ ବୀରମିତ୍ରପୁର ସୀମା ଗେଟ୍‌ରେ ପହଞ୍ଚିଥିଲେ। ସେମାନେ କହିଥିଲେ, ମୁମ୍ବାଇରୁ ବେଦବ୍ୟାସ ପର୍ଯ୍ୟନ୍ତ ରାସ୍ତା ତାଙ୍କୁ ଯେତିକି କଷ୍ଟ ଦେଇ ନଥିଲା ବେଦବ୍ୟାସରୁ ବୀରମିତ୍ରପୁର ପର୍ଯ୍ୟନ୍ତ ରାସ୍ତା ତାଠାରୁ ବେଶି କଷ୍ଟ ଲାଗିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବସ୍‌ ଓ ଟ୍ରକ୍‌କୁ ଛାଡ଼ି ସାଇକଲ୍‌, ମୋଟରବାଇକ୍‌, ବଲେରୋ, କାର୍‌ ଓ ଛୋଟ ଛୋଟ ଗାଡ଼ିରେ ପ୍ରାୟ ୪୫ ହଜାର ଶ୍ରମିକ ସୀମା ଗେଟ୍‌ ଅତିକ୍ରମ କରିଛନ୍ତି।

ସମ୍ବନ୍ଧିତ ଖବର