ଆଗଧାଡ଼ିର କରୋନା ଯୋଦ୍ଧା ମାନ୍ୟତା ପାଇଲେ ସାମ୍ବାଦିକ

୬ ହଜାର ୯୪୪ ସାମ୍ବାଦିକ ବୀମା ଅନ୍ତର୍ଭୁକ୍ତ
କୃତଜ୍ଞତା ଜଣାଇଲେ ଗଣମାଧ୍ୟମ ପରାମର୍ଶଦାତା

ଭୁବନେଶ୍ବର : କରୋନାରେ ଦ୍ବିତୀୟ ଲହରୀ ସଂକ୍ରମଣ ଭୟଙ୍କର ରୂପ ନେଇଚାଲିଛି। ଗତବର୍ଷ କେତେକ କାର୍ଯ୍ୟରତ ସାମ୍ବାଦିକ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଯାଉ ସଂକ୍ରମଣର ଶିକାର ହୋଇ ପ୍ରାଣହରାଇଥିଲେ। ଚଳିତବର୍ଷ ଆରମ୍ଭରୁ କରୋନା ଦାଉରେ ଅନେକ ବରିଷ୍ଠ ସାମ୍ବାଦିକ ପ୍ରାଣ ହରାଇଲେଣି। କରୋନା ବିରୁଦ୍ଧ ସଂଗ୍ରାମରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ଅବଦାନକୁ ଗୁରୁତ୍ବ ଦେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟରେ ୬ ହଜାର ୯୪୪ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସ୍ବାଗତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନେ ମହାମାରୀରେ ନିରବଚ୍ଛିନ୍ନ ଭାବେ ନିଜ ଦାୟିତ୍ବ ସମ୍ପାଦନ କରିଆସୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ସେମାନଙ୍କୁ ଯୋଗୁ ଲୋକଙ୍କ ଭିତରେ କୋଭିଡ ନିୟମ ଅନୁପାଳନର ସଚେତନତା ଆସିଛି।

ରାଜ୍ୟରେ ଏବେ ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଇଛି। ସେମାନେ ଏବେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସହାୟତା ପାଉଛନ୍ତି। ଏହାସହିତ କରୋନାରେ ପ୍ରାଣ ହରାଇଲେ ଅନୁକମ୍ପା ସହାୟତା ବାବଦରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପ୍ରମାଣିତ କରିଛି କି ସେ ରାଜ୍ୟର ସାମ୍ବାଦିକମାନଙ୍କ ଜୀବନର ସୁରକ୍ଷାକୁ କେତେ ଗୁରୁତ୍ବ ଦିଅନ୍ତି। ସେମାନଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରମାଣିତ କରିଛନ୍ତି।

ସମ୍ବନ୍ଧିତ ଖବର