ଭୁବନେଶ୍ୱରରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୪୦୦ ଟପିଲା

ସୁସ୍ଥ ହେଲେ ୩୧ଜଣ କରୋନା ରୋଗୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହା ଫଳରେ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ୪୦୦ ଟପି ଯାଇଛି। ନୂଆ ୪୫ଙ୍କୁ ମିଶାଇଲେ ରାଜଧାନୀ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି।  ଚିହ୍ନଟ ୪୫ଜଣଙ୍କ ମଧ୍ୟରୁ ୩୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି | ଏହା ସହ ୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଏବେ ମୋଟ ୪୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି| ବର୍ତ୍ତମାନ ରାଜଧାନୀରେ ୧୬୦ଟି ସକ୍ରିୟ ମାମଲା ରହିଥିବା ସହ ୬ଜଣ ମୃତ୍ୟୁବରଣ କରିଛନ୍ତି |

ସଙ୍ଗରୋଧରୁ ଚିହ୍ନଟ ୩୭ଜଣଙ୍କ ମଧ୍ୟରେ ମଞ୍ଚେଶ୍ୱରରୁ ୯ଜଣ ପ୍ରତିଦିନ କାର୍ଯ୍ୟାଳୟ ନିକଟରୁ ଚିହ୍ନଟ ହୋଇଥିବା ବେଳେ ସାମନ୍ତରାପୁର ନୂଆଗାଁରୁ ୬ଜଣ, ଏକ  ଘରୋଇ ଡାକ୍ତରଖାନାରୁ ୩ଜଣ, ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗରରୁ ଜଣେ, ମଞ୍ଚେଶ୍ୱରର କଳିଙ୍ଗ ବେକରୀ ନିକଟରୁ ୩ଜଣ, ସହିଦ ନଗରର ୭-୧୧ରେସ୍ତୋରାଁ ନିକଟରୁ ଜଣେ, ଭରତପୁରରୁ ଜଣେ, ସିମ୍ଫୋନି ମଲ ନିକଟସ୍ଥ ହଂସପାଳରୁ ଜଣେ, ଚକେଇସିଆଣୀର ଭୁଟପଡାରୁ ଜଣେ, ଲକ୍ଷ୍ମୀସାଗରର ପୁରୁଣା ପୋଷ୍ଟ ଅଫିସ ଲେନରୁ ଜଣେ, ୟୁନିଟ-୪ ମାର୍କେଟ କମ୍ପ୍ଲେକ୍ସରୁ ଜଣେ, ଅଶୋକ ନଗରରୁ ଜଣେ, ବରମୁଣ୍ଡାର ଜଗନ୍ନାଥ ବିହାରରୁ ଜଣେ, ଭୀମଟାଙ୍ଗିରୁ ଜଣେ ଏବଂ କେନ୍ଦ୍ର ସରକାରଙ୍କ ପରିଚାଳିତ ସରକାରୀ ଡାକ୍ତରଖାନାରୁ ୪ଜଣ ଆକ୍ରାନ୍ତ ରହିଛନ୍ତି |

ଏହା ସହ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୮ଜଣଙ୍କ ମଧ୍ୟରେ ବରମୁଣ୍ଡାର ଶକ୍ତି ଗେଷ୍ଟ ହାଉସ ନିକଟରୁ ଜଣେ, କେଦାରଗୌରୀ ନିକଟରୁ ଜଣେ, ସାଲିଆ ସାହିର ଶନି ମନ୍ଦିର ନିକଟରୁ ଜଣେ, ଖଣ୍ଡଗିରିରୁ ଜଣେ, ଡୁମୁଡୁମାର ସୁବାସ ନଗର ବସ୍ତିରୁ ଜଣେ, ଓଲଡ଼ ଟାଉନର ଜମ୍ବେଶ୍ୱର ପାଟଣାରୁ ଜଣେ, ୟୁନିଟ-୪ର ଏମଏଲଏ କଲୋନୀରୁ ଜଣେ ଏବଂ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରୁ ଜଣେ ଆକ୍ରାନ୍ତ ରହିଛନ୍ତି |

ମଞ୍ଚେଶ୍ୱର, ନୂଆଗାଁ, ଚନ୍ଦ୍ରଶେଖରପୁର, ଘରୋଇ ଡାକ୍ତରଖାନା, ଆଇଗିଣିଆ, ସତ୍ୟନଗର, ସହିଦ ନଗର, ଭରତପୁର, ହଂସପାଳ, ଅଶୋକ ନଗର, ବରମୁଣ୍ଡା ଏବଂ ଓଲଡ଼ ଟାଉନରୁ ଚିହ୍ନଟ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣା ପଡିଛି | ଏହା ସହ ଚକେଇସିଆଣୀରୁ ଚିହ୍ନଟ କରୋନା ଆକ୍ରାନ୍ତ ସାଉଦି ଆରବରୁ ଫେରିଥିବା ବେଳେ ଲକ୍ଷ୍ମୀସାଗରରୁ ଚିହ୍ନଟ କରୋନା ଆକ୍ରାନ୍ତ ବେଙ୍ଗାଲୁରୁ ଏବଂ ୟୁନିଟ-୪ ମାର୍କେଟ କମ୍ପ୍ଲେକ୍ସରୁ ଚିହ୍ନଟ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ଜଣା ପଡିଛି |

ସେହି ଭଳି ଆଜି ରାଜ୍ୟରେ ୩୧ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ | ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ମଞ୍ଚେଶ୍ବର  ପ୍ରତିଦିନ ଅଫିସ ନିକଟରୁ ୧୬ଜଣ ଥିବା ବେଳେ ଘରୋଇ ଡାକ୍ତରଖାନାରୁ ୭ଜଣ, ନୟାପଲ୍ଲୀରୁ ଜଣେ, ଅନ୍ୟ ଘରୋଇ ଡାକ୍ତରଖାନାରୁ ଜଣେ, ଜୟଦେବ ବିହାରରୁ ୫ଜଣ ଏବଂ ୟୁନିଟ-୮ର ଡେ଼ଲ୍ଟା କଲୋନୀରୁ ଜଣେ ବ୍ୟକ୍ତି ରହିଛନ୍ତି |

ସମ୍ବନ୍ଧିତ ଖବର