ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାର ପରେ ଏବେ ବାଳ ସୁଧାର ଗୃହର ଅନ୍ତେବାସୀମାନେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୃହର ୪୫ଜଣ ନାବାଳକ ଅନ୍ତେବାସୀଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ସୂଚନା ମିଳିଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ) ସୁବୋଧ ଷଡ଼ଙ୍ଗୀ ବାଳ ସୁଧାର ଗୃହରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମସ୍ତ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ସୂଚନା ଦିଆଯାଇଛି।
ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ରହିଛି ବାଳ ସ୍ବାଧାର ଗୃହ(ପର୍ଯ୍ୟବେକ୍ଷଣ ଓ ସ୍ବତନ୍ତ୍ର ଆବାସ)। ବିଭିନ୍ନ ଅପରାଧ ମାମଲାରେ ଜଡ଼ିତ ହେଉଥିବା ନାବାଳକଙ୍କୁ ଏଠାରେ ରଖାଯାଇଥାଏ। ଓଡ଼ିଶାର ୧୨ଟି ଜିଲ୍ଲାରୁ ଏଠାକୁ ନାବାଳକ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର କରାଯାଇଥାଏ। କିଛିଦିନ ହେଲା କେତେକ ନାବାଳକଙ୍କୁ ସାମାନ୍ୟ ଥଣ୍ଡା, ଜ୍ବର ହେବାରୁ ଗତକାଲି ୭୫ଜଣ ଅନ୍ତେବାସୀଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ୪୫ଜଣ ନାବାଳକଙ୍କ ନମୁନା ପଜିଟିଭ୍ ଆସିଥିଲା। ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ନାବାଳକଙ୍କୁ ସଙ୍ଗରୋଧରେ ରଖାଯାଇଛି। ସ୍ବାସ୍ଥ୍ୟ ଟିମ୍ ଦ୍ବାରା ସେମାନଙ୍କ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଛି। ଅନ୍ତେବାସୀଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା କୋଭିଡ୍ର ସେମିତି କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତେବେ କେମିତି ଓ କିଭଳି ପରିସ୍ଥିତିରେ ବାଳ ସୁଧାର ଗୃହର ଅନ୍ତେବାସୀ କରୋନା ପଜିଟିଭ୍ ହେଲେ ତାହା ସ୍ପଷ୍ଟ ହୋଇ ନାହିଁ।