ଆଡ଼ିବନ୍ଧ ମରାମତି ନାଁରେ ୪୫ ଲକ୍ଷ ଚଳୁ, ଭିଜିଲାନ୍ସ ସ୍କାନରରେ ଯନ୍ତ୍ରୀ ଓ ଠିକାଦାର!

ବାରିପଦା : ଶିମିଳିପାଳ ପର୍ବତମାଳା ଉପରୁ ଗଡ଼ିଆସୁଥିବା ବର୍ଷା ଓ ଝରଣା ପାଣିକୁ କୃଷି କ୍ଷେତ୍ରରେ ଉପଯୋଗ କରିବା ଲାଗି ବିଶୋଇ ବ୍ଲକର ବାଁଘିଆଟାଙ୍ଗର ଓ କେଶାମ ଗାଁ ପାଖରେ ଏକ ଆଡ଼ିବନ୍ଧ ନିର୍ମାଣ କରିଥିଲା କ୍ଷୁଦ୍ର ଜଳସେଚନ ବିଭାଗ। ବନ୍ଧଟି ଭଗ୍ନ ଅବସ୍ଥାରେ ପଡ଼ିଥିବାବେଳେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏହାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୨ ବର୍ଷ ତଳେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗକୁ ୪୫ ଲକ୍ଷ ଟଙ୍କା ଦେଇଥିଲେ। ତେବେ ବନ୍ଧ ମରାମତି ନାଁରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି ଏହି ଅର୍ଥକୁ ଚଳୁ କରି ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ଓ ୫-ଟି ସଚିବଙ୍କ ନିକ‌ଟରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ଏହାକୁ ଗୁରୁତ୍ବର ସହ ନେଇଛି। ଖୁବ୍ ଶୀଘ୍ର ଏକ ବୈଷୟିକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଶିମିଳିପାଳ ପାଦଦେଶରେ ରହିଛି ବାଁଘିଆଟାଙ୍ଗର ଓ କେଶାମ ଗାଁ। ଏହି ଦୁଇ ଗାଁରେ ୧ ହଜାରରୁ ଅଧିକ ଲୋକ କେବଳ ଚାଷ ଉପରେ ନିର୍ଭର କରିଥାନ୍ତି। ଚାଷୀମାନେ ହଇରାଣ ହେଉଥିବା ଦେଖି ୨୦୨୦ ମସିହାରେ ଜିଲ୍ଲା ପ୍ରଶାସନର ସୁପାରିଶ କ୍ରମେ ରାଜ୍ୟ ସରକାର ଆଡ଼ିବନ୍ଧର ପୁନରୁଦ୍ଧାର ନିମନ୍ତେ ଅର୍ଥ ଯୋଗାଇ ଦେବାକୁ ସମ୍ମତି ପ୍ରକାଶ କରିଥିଲେ। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ୪୫ ଲକ୍ଷ ଟଙ୍କା ଆସିଥିଲା। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ କାମ ଆରମ୍ଭ ହେଲା। ହେଲେ କାମ ସମୟରେ ବିଭାଗର କେହି ଉଚ୍ଚପଦସ୍ଥ ଅଧିକାରୀ ସେଠାକୁ ଗଲେନାହିଁ। ଯନ୍ତ୍ରୀ ଓ ଠିକାଦାର ମନଇଛା କାମ କରିବା ସହ ନାମକୁମାତ୍ର ଗୋଡ଼ି ଓ ବାଲି ପକାଇ ବିଲ୍‌ ପାସ୍‌ କରିନେଲେ। ଫଳରେ ବନ୍ଧଟି ପୂର୍ବ ଭଳି କାମରେ ଲାଗୁନି। ବର୍ଷା ଦିନେ ଏଠାରେ ପାଣି ସଂରକ୍ଷିତ ହୋଇପାରୁନି କି ଖରା ଦିନେ ଜମିକୁ ମାଡ଼ିପାରୁନି। ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ସରଳ ହୋଇଥିବାରୁ ସେମାନେ ମଧ୍ୟ ଏହି ଦୁର୍ନୀତିର ପ୍ରତିବାଦ କରୁନଥିଲେ। ତେବେ ନିକଟରେ ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ସେହି ଅଞ୍ଚଳକୁ ଯାଇଥିବା ବେଳେ ଏହି ଘୋଟାଲା ସମ୍ପର୍କରେ ଲୋକଙ୍କ ପାଖରୁ ଜାଣିବାକୁ ପାଇଥିଲେ। ଏ ବାବଦ ସମସ୍ତ ତଥ୍ୟ ସଂଗ୍ରହ କରି ଜିଲ୍ଲା ପ୍ରଶାସନ ଓ ୫-ଟି ସଚିବଙ୍କୁ ଜଣାଇବା ପରେ ଭିଜିଲାନ୍‌ସ ଏହାର ଖୋଳତାଡ଼ ଆରମ୍ଭ କରିଛି। ତେବେ ମାମଲା ଭିଜିଲାନ୍‌ସ ପାଖକୁ ଯିବା ପରଠାରୁ ଦୁର୍ନୀତିରେ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାର ଶାସକ ଦଳର କିଛି ପ୍ରଭାବଶାଳୀ ନେତାଙ୍କ ଶରଣାପନ୍ନ ହୋଇ ମାମଲାକୁ ଚପାଇ ଦେବାକୁ ଉଦ୍ୟମ ଚଳାଇଥିବା କୁହାଯାଉଛି।

ଏ ସମ୍ପର୍କରେ ନୂତନ ଭାବେ ଯୋଗ ଦେଇଥିବା କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ମାନସ ରଞ୍ଜନ ଦାସଙ୍କୁ ପଚାରିବାରୁ ଘଟଣାର ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର