ଭୁବନେଶ୍ବର: ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଏକ ବର୍ଷର ଯାତ୍ରା ପୂରଣ କରିବାକୁ ଯାଉଛନ୍ତି। ଏହି ଗୋଟିଏ ବର୍ଷରେ ଓଡ଼ିଶା ୪.୫ ଲକ୍ଷ କୋଟି ଟଙ୍କାର ନିବେଶ ହାସଲ କରିବା ସହ ୨୦୬ଟି ପ୍ରକଳ୍ପ ମଞ୍ଜୁର କରିଛି। ଯାହା ଫଳରେ ରାଜ୍ୟରେ ୨.୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ଲୋକସେବା ଭବନରେ ଉଦ୍ୟୋଗୀ ଓ ଶିଳ୍ପ ଜଗତର ପ୍ରତିନିଧିମାନଙ୍କୁ ଭେଟି ଶିଳ୍ପାୟନର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଗତ ପାଞ୍ଚ ବର୍ଷରେ ଯାହା ଘଟି ନଥିଲା, ଗୋଟିଏ ବର୍ଷ ଭିତରେ ତା’ଠାରୁ ଅଧିକ କାମ ହୋଇଥିବା ସେ କହିଛନ୍ତି। ଓଡ଼ିଶାକୁ ଶିଳ୍ପର ଏକ ମହାଶକ୍ତିରେ ପରିଣତ କରିବା ଲାଗି ବିକାଶ ଯାତ୍ରାରେ ଯୋଡ଼ିହେବାକୁ ସେ ଶିଳ୍ପପତିମାନଙ୍କୁ ଆହ୍ବାନ ଦେଇଛନ୍ତି।

Advertisment

୫ ବର୍ଷରେ ଯାହା ହୋଇନଥିଲା, ବର୍ଷକରେ ତା’ଠାରୁ ଅଧିକ ହୋଇଛି: ମୁଖ୍ୟମନ୍ତ୍ରୀ
୨୦୬ ପ୍ରକଳ୍ପ ମଞ୍ଜୁର, ୨.୯ ଲକ୍ଷ ନିଯୁକ୍ତି ସୁଯୋଗ
ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥାରେ ପରିବର୍ତ୍ତନ ହେବ

ଏହି ଅବସର‌ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଭିତରେ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାର ଧ୍ୟାନ ଦେଉଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ୧୬.୭ ଲକ୍ଷ କୋଟି ଟଙ୍କାର ୧୫୦ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା, ଯାହା ୧୨.୯ ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ସହ ଆସିଛି। ଗୋଟିଏ ବର୍ଷରେ ଯେତିକି ପ୍ରକଳ୍ପ ମଞ୍ଜୁର ‌ହୋଇଛି, ତାହା ଗତ ପାଞ୍ଚ ବର୍ଷରେ ମଞ୍ଜୁର ହୋଇଥିବା ହାରାହାରି ପ୍ରକଳ୍ପର ଦୁଇଗୁଣା। ଉତ୍କର୍ଷ ଓଡ଼ିଶା ପରଠାରୁ ରାଜ୍ୟରେ ୧.୭୮ ଲକ୍ଷ କୋଟି ଟଙ୍କାର ୫୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ୧.୧ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ପାରମ୍ପରିକ ଭାବେ ଖଣିଜ ଓ ଧାତବ କ୍ଷେତ୍ର ଭାବେ ଗଣା ହେଉଥିବା ଓଡ଼ିଶା ଏବେ ରସାୟନ, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ, ଅକ୍ଷୟ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ପର୍ଯ୍ୟଟନ ଭଳି ୨୦ଟି ପ୍ରମୁଖ କ୍ଷେତ୍ରର ପୁଞ୍ଜିନିବେଶ ହାସଲ କରି ଏହାର ଶିଳ୍ପ ଜଗତରେ ବିବିଧତା ଆଣିପାରିଛି। ଓଡ଼ିଶା ଆଉ କେବଳ ଖଣି ଓ ଧାତବ ହବ୍ ହୋଇ ରହିନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। 

ଶିଳ୍ପାୟନକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ବର୍ଷ ସରକାରଙ୍କ ଚାରିଟି ପ୍ରାଥମିକତା ରହିଛି। ପ୍ରଥମେ ଉଦୀୟମାନ କ୍ଷେତ୍ର ଲାଗି ନୂଆ ନୀତି ଆସିବ, ଦ୍ବିତୀୟରେ ଜମି ବ୍ୟାଙ୍କ ଓ ଶିଳ୍ପ ଭିତ୍ତିଭୂମିର ସମ୍ପ୍ରସାରଣ ହେବ, ତୃତୀୟରେ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥାରେ ପରିବର୍ତ୍ତନ ହେବ ଏବଂ ଚତୁର୍ଥରେ ଜଟିଳ ନୀତିନିୟମକୁ କୋହଳ କରାଯିବ। ଆସନ୍ତା ଚାରି ବର୍ଷ ସମୃଦ୍ଧ ଓଡ଼ିଶା ୨୦୨୬ର ମୂଳଦୁଆ ପକାଇବ ବୋଲି ଶ୍ରୀ ମାଝୀ କହିଛନ୍ତି। ଜେଏସ୍‌ଡବ୍ଲ୍ୟୁ, ଜେଏସ୍‌ପିଏଲ୍‌, ଟାଟା ଷ୍ଟିଲ୍‌, ଏଏମ୍‌ଏନ୍‌ଏସ୍‌, ବେଦାନ୍ତ, ହିଣ୍ଡାଲ୍‌କୋ ଓ ଆଦାନୀ ଭଳି ଶିଳ୍ପ ସହଯୋଗୀଙ୍କୁ ନେଇ ଖଣି, ଧାତବ ଓ ସବୁଜ ରସାୟନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ। ନୂଆ ଟର୍ମିନାଲ୍‌, ଜେଟି ଓ କଣ୍ଟେନର ବ୍ୟବସ୍ଥା ଜରିଆରେ ବନ୍ଦରଭିତ୍ତିକ ଶିଳ୍ପାୟନ ତ୍ବରାନ୍ବିତ ହେବ। ଓଡ଼ିଶାକୁ ପୂର୍ବ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଶିଳ୍ପ ହବ୍‌ରେ ପରିଣତ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଏମ୍ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଉନ୍ନୟନ କମିସନର ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଶିଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡି ଉପସ୍ଥିତ ଥିଲେ।