ବ୍ରହ୍ମପୁର: ଏଟିଏମ୍ରେ ଟଙ୍କା ଭର୍ତ୍ତି ବେଳେ ୪୫ଲକ୍ଷ ଟଙ୍କା ହେର୍ଫେର୍ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଅଂଚଳର ଦୀପକ କୁମାର ପାଢ଼ୀ(୪୨)। ଦୀପକ ସିଏମ୍ଏସ୍ ଇନ୍ଫୋ ସିଷ୍ଟମ୍ ନାମକ ଏକ ସଂସ୍ଥାରେ କ୍ୟାସ୍ ଡିପୋଜିଟର୍ ଭାବେ କାର୍ଯ୍ୟ କରୁଥିଲେ। ପ୍ରାୟ ବର୍ଷେ ହେବ ଏଟିଏମ୍ରେ ଟଙ୍କା ଭର୍ତ୍ତି ବେଳେ ସେଥିରୁ କିଛି କିଛି କରି ମୋଟ ୪୫ଲକ୍ଷ ଟଙ୍କା ହେର୍ଫେର୍ କରି ଅନ୍ଲାଇନ୍ ଜୁଆ ଖେଳୁଥିଲେ। କିନ୍ତୁ ସେ ସମସ୍ତ ଟଙ୍କା ଅନ୍ଲାଇନ୍ ଜୁଆରେ ହାରି ଯାଇଥିବା ଜେରା ବେଳେ ପ୍ରକାଶ କରିଛି। ଏନେଇ ଥାନାରେ କେସ୍ ନମ୍ବର ୫୫୮/୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି।
ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ୍ ଏମ୍. ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଏଟିଏମ୍ରେ ଟଙ୍କା ଭର୍ତ୍ତି ପାଇଁ ଏକ ବ୍ୟାଙ୍କ ସିଏମ୍ଏସ୍ ଇନ୍ଫୋ ସିଷ୍ଟମ୍ ନାମକ ଏକ ସଂସ୍ଥାକୁ ଦାୟିତ୍ବ ନେଇଛି। ଉକ୍ତ ସଂସ୍ଥାରେ କ୍ୟାସ୍ ଡିପୋଜିଟର୍ ଭାବେ କାର୍ଯ୍ୟରତ ଅଭିଯୁକ୍ତ ଦୀପକ ଏଟିଏମ୍ରେ ଟଙ୍କା ଭର୍ତ୍ତି କଲାବେଳେ କିଛିକିଛି ଟଙ୍କା ହେର୍ଫେର୍ କରି ନେଉଥିଲା। ଏଭଳି ସେ ୪୫ଲକ୍ଷ ଟଙ୍କା ହେର୍ଫେର୍ କରିଥିବା ନେଇ ସିଏମ୍ଏସ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଥାନାକୁ ଆଣି ପଚାରଉଚରା ବେଳେ ସେ ଦୋଷ ମାନିଯାଇଥିଲା। ଏଟିଏମ୍ରୁ ଟଙ୍କା ହେର୍ଫେର୍ କରି ସେ ଅନ୍ଲାଇନ୍ ଜୁଆ ଖେଳରେ ଲଗାଇ ଦେଉଥିଲା। ସେଥିରୁ କିଛି ଲାଭ ମିଳିଲେ ପୁଣି ହେର୍ଫେର୍ କରିଥିବା ଟଙ୍କାକୁ ଏଟିଏମ୍ରେ ଭର୍ତ୍ତି କରି ଦେଉଥିଲା। ତେଣୁ ତାହା ଜଣାପଡ଼ୁନଥିଲା। କିନ୍ତୁ ପ୍ରାୟ ବର୍ଷେ ହେବ, ସେ ମୋଟ ୪୫ଲକ୍ଷ ଟଙ୍କା ହେର୍ଫେର୍ କରି ଅନ୍ଲାଇନ୍ ଜୁଆ ଖେଳିଥିଲା। ହେଲେ କିଛି ଫେରସ୍ତ ନପାଇ ସବୁ ଟଙ୍କା ହାରିଯାଇଥିଲା। ବାର୍ଷିକ ଅଡିଟ୍ ବେଳେ ଏତେ ପରିମାଣର ଟଙ୍କା ହେର୍ଫେର୍ ହୋଇଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ବ୍ୟାଙ୍କ ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଥିବା ସଂସ୍ଥାକୁ ଏସମ୍ପର୍କରେ ଜଣାଇଥିଲେ। ଉକ୍ତ ସଂସ୍ଥା ଯାଞ୍ଚ କରିବାରୁ ଦୀପକ ଏଭଳି ଟଙ୍କା ଏଟିଏମ୍ରେ ଭର୍ତ୍ତି ନକରି ନିଜେ ନେଇଯାଇଥିବା ଜଣାପଡ଼ିଥିଲା।