କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୪୫ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୪୫ରେ ପହଞ୍ଚିଲା
୨୬୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧୭୬ ଜଣ ସୁସ୍ଥ ହୋଇଛନ୍ତି
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୬ଟି ବ୍ଲକରେ ଆଜି ପୁଣି ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଲାଞ୍ଜିଗଡ଼ ବ୍ଲକରେ ସର୍ବାଧିକ ୨୦ ଜଣ, ନର୍ଲା ବ୍ଲକରେ ୧୧ ଜଣ, କେସିଙ୍ଗା ବ୍ଲକରେ ୬ ଜଣ, ଗୋଲାମୁଣ୍ଡା ବ୍ଲକରେ ୫ ଜଣ, ଜୁନାଗଡ଼ ବ୍ଲକରେ ୨ ଜଣ ଓ ଧର୍ମଗଡ଼ ବ୍ଲକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତକାଲି ରାତିରେ ପ୍ରେସ ବିଜ୍ଞପ୍ତି ପରେ ଆହୁରି ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ । ସେଥି ମଧ୍ୟରୁ ୯ ଜଣ ନର୍ଲା ବ୍ଲକ ରେକପୁର କଣ୍ଟେନମେଣ୍ଟ ଜୋନ, ଲାଞ୍ଜିଗଡ଼ ବ୍ଲକର ୬ ଜଣ, ଧର୍ମଗଡ଼ ବ୍ଲକର ୫ ଜଣ, ଭବାନୀପାଟଣା ସହରର ୩ ଜଣ, ଗୋଳାମୁଣ୍ଡା ବ୍ଲକର ୩ ଜଣ ଓ କସିଙ୍ଗା ବ୍ଲକର ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫ରେ ପହଞ୍ଚିଛି । ସେଥିମଧ୍ୟରୁ ୨୬୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧୭୬ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୦.୫୦ % ପୁରୁଷ ଥିବା ବେଳେ ୨୯.୫୦% ମହିଳା ଅଛନ୍ତି । ସେହିଭଳି ଜିଲ୍ଲାର ୪୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮.୫୦ % ୦ ରୁ ୨୦ ବର୍ଷ , ୬୦.୭୫ % ୨୧ ରୁ ୪୦ ବର୍ଷ, ୧୭.୭୫ % ୪୦ ରୁ ୬୦ ବର୍ଷ ଓ ୩ % ୬୧ରୁ ଉର୍ଦ୍ଧ୍ବ ବର୍ଷର ଲୋକେ ଆକ୍ରାନ୍ତ ହୋଇଛନ୍ତି । ବିଶେଷ କରି ୨୧ ରୁ ୬୦ ବର୍ଷ ମଧ୍ୟରେ ସରକାରୀ କର୍ମଚାରୀ, ବ୍ୟବସାୟୀ କିଣାବିକା କରୁଥିବା ଲୋକେ କରୋନା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।