ଔଷଧର ଗୁଣବତ୍ତା ପାଇଁ ୪୫ ନୂଆ ପଦବି, ବାଲେଶ୍ବରରେ ନର୍ଥ ଜୋନ୍‌ ଡିଡିସି

ଭୁବନେଶ୍ବର : ରାଜ୍ୟରେ ଔଷଧର ଗୁଣବତ୍ତା, ସୁରକ୍ଷା ଓ ଫଳପ୍ରଦ ଜାଣିବା ପାଇଁ ରାଜ୍ୟ ସରକାର ୪୫ଟି ନୂଆ ପଦବି ସୃଷ୍ଟି କରିଛନ୍ତି। ଏଥିରେ ବାଲେଶ୍ବରରେ ଉତ୍ତର-ଜୋନ୍‌ ପାଇଁ ନୂଆ ଉପ-ଡ୍ରଗ୍ସ କଣ୍ଟ୍ରୋଲର୍‌ ପଦବି ସୃଷ୍ଟି କରାଯାଇଛି। ଏହା ସହ ୩ଟି ଯୁଗ୍ମ ଡ୍ରଗ୍ସ କଣ୍ଟ୍ରୋଲର, ୧୮ଟି ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ଓ ୨୨ ଡ୍ରଗ୍ସ ଇନସପେକ୍ଟର୍‌ ପଦ ସୃଷ୍ଟି କରାଯାଇଛି। ସମୁଦାୟ ୩୨ଟି ନୂଆ କାର୍ଯ୍ୟାଳୟ ଓ ପୁରୁଣା କାର୍ଯ୍ୟାଳୟରେ ୧୩ଟି ନୂତନ ପଦବି ସାମିଲ କରାଯାଇଛି। ଅତିରିକ୍ତ ପଦ ସହ ନୂତନ ୭୫ କାର୍ଯ୍ୟାଞ୍ଚଳ ସୃଷ୍ଟି କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୨୩ ତାରିଖରେ ଏନେଇ ଏକ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟରେ ଏବେ ୪ଟି ଉପ-ଡ୍ରଗ୍ସ କଣ୍ଟ୍ରୋଲର (ଡିଡିସି) ପଦବି ରହିଛି। ଡିଡିସି ଗୁଇନ୍ଦା, ପ୍ରଶାସନିକ, ଦକ୍ଷିଣ ଓ ପଶ୍ଚିମ ଜୋନ୍‌ ଥିବା ବେଳେ ଏବେ ନୂତନ ଭାବେ ଉତ୍ତର ଜୋନ୍‌ ବାଲେଶ୍ବରରେ କାର୍ଯ୍ୟ କରିବ। ସେହିପରି ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର (ଏଡିସି) କାର୍ଯ୍ୟାଳୟରେ ଏବେ ୪ଟି ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ପଦବି ରହିଛି। ଏଥିରେ ଏଡିସି ଆରପିଡି, ଗୁଇନ୍ଦା, ଇଣ୍ଡଷ୍ଟ୍ରି ଓ ଡେଭଲପମେଣ୍ଟ ପଦବି ରହିଛି। ଏବେ ଖୋର୍ଧା, ବାଲେଶ୍ବର, ସମ୍ବଲପୁର, ରାଉରକେଲା, ବାରିପଦା, ଜୟପୁର, ଢେଙ୍କାନାଳ ସହିତ ଭୁବନେଶ୍ବର ଓ କଟକରେ ଦୁଇଟି ଲେଖାଏଁ ସର୍କଲରେ ଏଡିସିଙ୍କୁ ନିଯୁକ୍ତ କରାଯିବ।

ସେହିପରି ୨୨ ଡ୍ରଗ୍ସ-ଇନସପେକ୍ଟର୍‌ ପଦବି ମଧ୍ୟ ସୃଷ୍ଟି କରାଯାଇଛି। ରାଜ୍ୟରେ ଏବେ ୪୪ଜଣ ଡ୍ରଗ୍ସ ଇନସପେକ୍ଟର୍‌ ଥିବା ବେଳେ ଆଉ ୨୨ପଦବି ସୃଷ୍ଟି ହେବା ପରେ ଏହି ସଂଖ୍ୟା ୬୬କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ୩ଟି ଡ୍ରଗ୍‌ ଇନସପେକ୍ଟର ରେଞ୍ଜ ଥିବା ବେଳେ ନୂତନ ପଦବି ପାଇଁ ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି। ସେହିପରି କଟକରେ ଡ୍ରଗ୍‌ ଇନସପେକ୍ଟର୍‌ ରେଞ୍ଜ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହା ସହ ୩ଟି ଯୁଗ୍ମ ଡ୍ରଗ୍ସ କଣ୍ଟ୍ରୋଲର (ଜେଡିସି) ପଦବି କରାଯାଇଛି। ତହିଁରୁ ଜେଡିସି ଇଣ୍ଟେଲିଜେନ୍ସ ଓ ଏନ‌୍‌ଫୋର୍ସମେଣ୍ଟ, କ୍ବାଲିଟି କଣ୍ଟ୍ରୋଲ ଭେଷଜ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ କାର୍ଯ୍ୟ କରିବ। ଜେଡିସି ଓଏସଏମସିଏଲ ରାଜ୍ୟ ଔଷଧ ନିଗମ କାର୍ଯ୍ୟ କରିବ। ଏସବୁ ନୂତନ ପଦବି ସୃଷ୍ଟି ଦ୍ବାରା କାର୍ଯ୍ୟାଞ୍ଚଳ (ଏରିଆ ଅଫ ଅପ‌ରେସନ୍‌)ରେ ମଧ୍ୟ ସଂଶୋଧନ କରାଯାଇଛି। ଫଳରେ ରାଜ୍ୟରେ ବିଭିନ୍ନ ଡ୍ରଗ୍ସ ଇନ‌ସପେକ୍ଟର/ଜେଡିସି/ଏଡିସିକୁ ମିଶାଇ ସମୁଦାୟ କାର୍ଯ୍ୟାଞ୍ଚଳ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏସବୁ ନୂତନ ପଦବି ପାଇଁ ନିଯୁକ୍ତି କରାଯିବ।

ସମ୍ବନ୍ଧିତ ଖବର