ଭୁବନେଶ୍ବର: ନବନିର୍ବାଚିତ ବିଧାୟକଙ୍କ ପାଇଁ ଗତ ଦୁଇ ଦିନ ଧରି ବିଧାନସଭା ଗୃହରେ ଚାଲିଥିବା ଶପଥ ଗ୍ରହଣ ଉତ୍ସବ ଆଜି ଶେଷ ହୋଇଛି। ମଙ୍ଗଳବାର ୧୦୧ଜଣ ବିଧାୟକ ଶପଥ ନେଇଥିବା ବେଳେ ଆଜି ବାକି ୪୫ଜଣ ବିଧାୟକ ଶପଥ ନେଇଛନ୍ତି। ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ଆଜି ପୂର୍ବାହ୍ନ ୧୦ଟାରେ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବାସୁଦେବପୁରର କଂଗ୍ରେସ ବିଧାୟକ ଅଶୋକ ଦାସ ପ୍ରଥମେ ଶପଥ ନେଇଥିଲେ। ଶେଷରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଶପଥ ନେଇଥିଲେ। ଆଜି ଶପଥ ନେଇଥିବା ବିଧାୟକମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ପାଇଥିବା ସାର୍ଟିଫିକେଟ୍ର ନକଲ ଦେବା ପରେ ଶପଥ ଗ୍ରହଣ କରିଥିଲେ। ସମସ୍ତେ ଶପଥ ନେବା ପରେ ବିଧାନସଭା ରେଜିଷ୍ଟରରେ ଦସ୍ତଖତ କରିଥିଲେ। ଏହାପରେ ବିଧାନସଭା ପକ୍ଷରୁ ଏକ କିଟ୍ ବ୍ୟାଗ୍ ଦିଆଯାଇଥିଲା।
ଆଜି ବି ସମସ୍ତ ବିଧାୟକ ବିଧାନସଭାକୁ ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ବଡ଼ମ୍ବାର ସ୍ବାଧୀନ ବିଧାୟକ ବିଜୟ କୁମାର ଦଳବେହେରା ଏକ କଳସିରେ ନିଜ ଅଞ୍ଚଳର ମାଟି ଧରି ପ୍ରବେଶ କରିଥିଲେ। ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ ବିଧାନସଭା ଆମ ପାଇଁ ମନ୍ଦିର। ଏହି ମନ୍ଦିରକୁ ପ୍ରବେଶ କରିବାକୁ ମୁଁ ମା’ ମାଟିକୁ ଧରି ଆସିଛି। ମୁଁ ଶପଥ କରି କହୁଛି ମା’ ମାଟିର ସେବା କରିବା ମୋର ଏକମାତ୍ର ଲକ୍ଷ୍ୟ।