ବାହାଘର ସାରି ଫେରୁଥିବା ବେଳେ ଆନ୍ଧ୍ର ଟ୍ରାକ୍ଟର ଓଡ଼ିଶାରେ ଦୁର୍ଘଟଣାଗ୍ରସ୍ତ, ୪୫ରୁ ଊର୍ଦ୍ଧ୍ବ ଲୋକ ଆହତ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଆଜି ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟିଛି। ଏଥିରେ ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନାରାୟଣପାଟଣା ଏବଂ ବନ୍ଧୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ନାରାୟଣପାଟଣା ପୁଲିସ ଦୁଇଟି ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ବନ୍ଧୁଗାଁ ବ୍ଲକ୍ କାବିରିବାଡ଼ି ପଞ୍ଚାୟତ ଅନ୍ତର୍ଗତ ଜାଙ୍ଗିଡିଵାଲସା ଗ୍ରାମର ପ୍ରାୟ ୪୫ରୁ ଊର୍ଦ୍ଧ୍ବ ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତ ଅନ୍ତର୍ଗତ ଜାମଡ଼ାଵାଲସା ଗ୍ରାମରେ ବିବାହ ଭୋଜିରେ ଯୋଗଦେବାକୁ ଆସୁଥିଲେ। ଏଥିପାଇଁ ଆଜି ସକାଳେ ଜାଙ୍ଗିଡିବାଲସା ଗ୍ରାମରୁ ଏକ ଟ୍ରାକ୍ଟର (ଏପି-୩୯ଟି-୮୬୭୯)ରେ ଜାମଡାବାଲସା ଗ୍ରାମକୁ ଆସୁଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପେଦାଇଟିକିରୁ କେଲୁବାଡ଼ି ରାସ୍ତା ମଝିରେ ଟ୍ରାକ୍ଟର ଭାରସାମ୍ୟ ହରାଇବାରୁ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୪୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।

ଏହି ସମୟରେ ନାରାୟଣପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ରଘୁନାଥ ପାଙ୍ଗି ଲଙ୍ଗଳବେଡ଼ା ପଞ୍ଚାୟତରେ ସ୍କୁଲ ଗୁଡ଼ିକ ପରିଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଦେଖିବାକୁ ପାଇଥିଲେ। ପରେ ବିଇଓ ଶ୍ରୀ ପାଙ୍ଗି ଏବଂ ଅନ୍ୟ କର୍ମଚାରୀମାନେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପରେ ଆମ୍ବୁଲାନ୍ସ ଏବଂ ଅଟୋ ସାହାଯ୍ୟରେ ଆହତ ମାନଙ୍କୁ ନାରାୟଣପାଟଣା ଓ ବନ୍ଧୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୪ଜଣ ଶିଶୁ ସମେତ ୯ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଜଣେ ଶିଶୁର ହାତ ଭାଙ୍ଗି ଯାଇଥିବା ଡାକ୍ତର ଲକ୍ଷ୍ମୀନାରାୟଣ ନାୟକ କହିଛନ୍ତି। ତେବେ ଗୁରୁତର ଆହତଙ୍କୁ କୋରାପୁଟ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ପାଖରେ ଆବଶ୍ୟକ ଟଙ୍କା ନଥିବାରୁ ଯାଇନଥିବା ଡାକ୍ତର ଶ୍ରୀ ନାୟକ କହିଛନ୍ତି। ବନ୍ଧୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୬ଜଣ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

ସେହିପରି ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ବାଲିପେଟାରୁ ଏକ ଯାତ୍ରୀବାହୀ ଅଟୋ ନାରାୟଣପାଟଣା ଆସୁଥିବା ବେଳେ ନାରାୟଣପାଟଣା ସ୍ଥିତ ଝାଡ଼େଶ୍ବର ମନ୍ଦିର ଘାଟିରେ ଭାରସାମ୍ୟ ହରାଇବାରୁ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ନାରାୟଣପାଟଣା ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛି।

ସମ୍ବନ୍ଧିତ ଖବର