ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁଯାୟୀ,କୌଣସି ଜାଗାରେ କିଛି ଅପ୍ରୀତିକର ପରିସ୍ଥିତି ଘଟିନାହିଁ। କେବଳ ଦୁଇଟି ଜାଗାରେ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ହେତୁ ମତଦାନ ବନ୍ଦ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ବଙ୍ଗାଳପୁର ନୂଆଶାସନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏଣୁ ସେଠାରେ ମତଦାନ ସ୍ଥଗିତ ରହିଛି। ସେଠି ପରବର୍ତ୍ତୀ ସମୟରେ ରିପୁଲିଂ ହେବ।  ଭୋଟ ସରିବା ପରେ ବାଲଟ ବକ୍ସ ଗୁଡିକ ବ୍ଲକ ଅଫିସର ଅନ୍ୟ ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯିବ।

ଅପରପକ୍ଷରେ ଯାଜପୁର ଜିଲ୍ଲାରେ ଏକ ବୁଥରେ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏଣୁ ସେଠାରେ ମଧ୍ୟ ମତଦାନ ସ୍ଥଗିତ ରହିଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ୪୫ଟି ବୁଥରେ ଆସନ୍ତାକାଲି ରି ପୁଲିଂ ହେବ । ଏହି ପୁଲିଂ ସେଣ୍ଟର ଗୁଡ଼ିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ୩ୟ ପର୍ଯ୍ୟାୟର ୩୦ଟି ବୁଥରେ ୨୫ ତାରିଖରେ ପୁନଃ ମତଦାନ କରାଯିବ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ୪ର୍ଥ ପର୍ଯ୍ୟାୟରେ ମୋଟ ୧୭,୦୮୯ଟି ବୁଥରେ ପ୍ରାୟ ୫୧.୩୧ ଲକ୍ଷ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ।

ସମ୍ବନ୍ଧିତ ଖବର