ଭୁବନେଶ୍ବର: ନରହତ୍ୟା ଆସାମୀ ଭାବେ ଆଜୀବନ ସଜା କାଟୁଥିବା ରାଜ୍ୟର ୪୫ଜଣ କଏଦୀଙ୍କୁ ଆଜି ସମ୍ପୂର୍ଣ୍ଣ ମୁକ୍ତି ମିଳିଛି। ସୋମବାର ରାତି ଥିଲା ସେମାନଙ୍କ ପାଇଁ ‌ଜେଲ୍‌ରେ ଶେଷ ରାତି। ୧୦ ବର୍ଷରୁ ଅଧିକ ସମୟ ଜେଲ୍‌ର କାଳ କୋଠରୀରେ ଥିବା ଏହି କଏଦୀମାନଙ୍କ ପରିଚୟ ଆଜିଠୁ ବଦଳିଯାଇଛି। ସେମାନେ ଜେଲ୍‌ର ଚାରିକାନ୍ଥରୁ ବାହାରି ଆଜି ଖୋଲା ଆକାଶ ଦେଖିଛନ୍ତି। ରାଜ୍ୟର ୨୬ ଜେଲ୍‌ରୁ ୪୫ଜଣଙ୍କୁ ଆଜି ଏହି ସୁଯୋଗ ମିଳିଛି। ଦଣ୍ଡ ସମୀକ୍ଷା ବୋର୍ଡରେ ନିଷ୍ପତ୍ତି, ରାଜ୍ୟପାଳଙ୍କ ଅନୁମୋଦନ ଓ ରାଜ୍ୟ ସରକାରଙ୍କ ସୁପାରିସ ପରେ ଏହି କଏଦୀମାନଙ୍କୁ ପୁଣି ଥରେ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସୁଯୋଗ ମିଳିଛି। ବନ୍ଦୀ ଜୀବନ କାଳରେ ଉତ୍ତମ ଆଚରଣ, ଜେଲ୍‌ ଗାଇଡ୍‌ଲାଇନ୍‌ର ଶୃଙ୍ଖଳିତ ଅନୁପାଳନ, ସମାଜକୁ ଗଲେ ବିପଦମୁକ୍ତ ଚଳଣୀ ଆଦିକୁ ନିରୀକ୍ଷଣ କରିବା ପରେ ସେମାନଙ୍କ ସଜାରେ ପୂର୍ଣ୍ଣଛେଦ ଟଣାଯାଇଛି।
ବଲାଙ୍ଗୀର ଜେଲ୍‌ରୁ ସର୍ବାଧିକ ୫ଜଣ, ବ୍ରହ୍ମପୁର ଓ କୋରାପୁଟ ଜେଲ୍‌ରୁ ୮ଜଣ, ଚୌଦ୍ବାର ଓ ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ୬ଜଣଙ୍କୁ ମିଶାଇ ୨୬ଜେଲ୍‌ରୁ ୪୫ ଆଜୀବନ ବନ୍ଦୀ ଆଜି ‘ମୁକ୍ତିର ଆନନ୍ଦ’ ଲାଭ କରିଛନ୍ତି। ପାଇଛନ୍ତି। ଜେଲ୍‌ ଡିଜି ସୁଶାନ୍ତ ନାଥଙ୍କ କହିବା କଥା ଜେଲ୍‌ରୁ ମୁକୁଳିବା ବେଳେ ସେମାନଙ୍କୁ ଜେଲ୍‌ ଵେଲ୍‌ଫେୟାର୍‌ ଫଣ୍ଡ୍‌ରୁ ୫ହଜାର ଟଙ୍କା ପ୍ରଦାନ କରାଯାଇଛି। ଚଳିତ ବର୍ଷ ମେ ୧୭ରେ ଏହି ବନ୍ଦୀମାନଙ୍କ ନାମ ଦଣ୍ଡ ସମୀକ୍ଷା ବୋର୍ଡକୁ ଯାଇଥିଲା।
ଜେଲ୍‌ରୁ ମୁକୁଳିଥିବା ଏହି ୪୫ ଆଜୀବନ ବନ୍ଦୀଙ୍କ ଭିନ୍ନଭିନ୍ନ କାହାଣୀ ରହିଛି। ୨୦୦୧ ମସିହାରୁ ଭୁବନେଶ୍ବର ଝାରପଡ଼ା ଜେଲ୍‌ରେ ସଜା କାଟୁଥିବା ବେଙ୍ଗ ଓରଫ ଇମାମ୍ ମହମ୍ମଦ(୫୫)ଙ୍କୁ ଆଜି ବାହାର ଦୁନିଆ ଦେଖିବା ସୁଯୋଗ ମିଳିଛି। ୨୦୦୧ ଅଗଷ୍ଟ ମାସରେ ୟୁନିଟ୍‌-୪ ମାଛ ମାର୍କେଟ୍‌ରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟା ମାମଲାରେ ବେଙ୍ଗ ଥିଲେ ମୁଖ୍ୟ ଆସାମୀ। ସେ ୧୪ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିସାରିଛନ୍ତି। ସେହିଭଳି ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି ଶିବରାମ ଭୂୟାଁ ଓ ଧନୁ ବେହେରା। ବଲାଙ୍ଗୀର ଜେଲ୍‌ରୁ ଚର୍ଚ୍ଚିତ ଆସାମୀ ୮୫ବର୍ଷୀୟ ଜୟଲାଲ୍‌ ସାହୁଙ୍କ ସମେତ ୫ଜଣ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଏକଦା ଜଣେ ଶିକ୍ଷକ ଥିବା ଜୟଲାଲ୍‌ ଏକ ସଙ୍ଗିନ୍‌ ହତ୍ୟା ମାମଲାର ଅଭିଯୁକ୍ତ ଭାବେ ୧୯୮୫ରୁ ଗିରଫ ହୋଇ ଜେଲ୍‌ରେ ଥିଲେ ଏବଂ ୧୯୯୧ରେ ତାଙ୍କୁ ସଜା ହୋଇଯାଇଥିଲା। ଏହାପରେ ମାମଲା ହାଇକୋର୍ଟକୁ ଯାଇଥିଲା ଏବଂ ଜୟଲାଲ୍‌ ଜାମିନରେ ମୁକୁଳିଯାଇଥିଲେ। ମାତ୍ର ହାଇକୋର୍ଟ ପୁଣି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ସୁପ୍ରିମ୍‌କୋର୍ଟକୁ ଯାଇଥିଲେ। ଏମିତି ଲମ୍ବା ଲଢ଼େଇରେ ସେ ୨୦୧୮ମସିହା ପର୍ଯ୍ୟନ୍ତ ଜେଲ୍‌ ବାହାରେ ରହିବାକୁ ମଉକା ପାଇଥିଲେ। ମାତ୍ର ୨୦୧୮ରେ ସୁପ୍ରିମ୍‌କୋର୍ଟ ତାଙ୍କୁ ଦୋଷୀ ଘୋଷଣା କଲେ ଏବଂ ସେବେଠୁ ସେ ଜେଲ୍‌ରେ ରହିଥିଲେ। ସେହିଭଳି ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରୁ ମୁକୁଳିଛନ୍ତି କନ୍ଧମାଳର ଅନୀଲ ପ୍ରଧାନ। ଏକ ସଙ୍ଗିନ୍‌ ହତ୍ୟା ମାମଲାରେ ସେ ୨୦୦୯ ମସିହାରୁ ଜେଲ୍‌ରେ ଥିଲେ।