ଧାନ ଯନ୍ତ୍ରଣା : ଗଞ୍ଜାମରେ ଧାନ ବିକି ପାରିନାହାନ୍ତି ୪୫ ହଜାର ଚାଷୀ

୭ ହଜାର ଚାଷୀ ବଞ୍ଚିତ, ଅଭାବୀ ବିକ୍ରିର ଶିକାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ସାଙ୍ଗକୁ ଅଚଳାବସ୍ଥା‌ ଲାଗି ରହିଛି। ଶହ ଶହ ଚାଷୀଙ୍କ ଟୋକନ୍‌ ଅବଧି ସରିଲାଣି। ଆହୁରି ଚାଷୀଙ୍କ ଟୋକ୍‌ନ ଅବଧି ସରିବାକୁ ବସିଛି। ଟାର୍ଗେଟ ନ ଥିବାରୁ ସେମାନଙ୍କ ଧାନ କିଣାଯାଇ ପାରୁନି। ଜିଲ୍ଲାରେ ଆହୁରି ୪୫ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିବାକୁ ରହିଛନ୍ତି।

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ଦ୍ବିତୀୟ ସପ୍ତାହରେ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ ବିକ୍ରି କରିବା ଲାଗି ୧ଲକ୍ଷ ୩୭ହଜାର ୧୭୦ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାକୁ ୯ଟି ପର୍ଯ୍ୟାୟରେ ପ୍ରାୟ ୪୪ ଲକ୍ଷ ୧୪ହଜାର ୩୯୧କ୍ବିଣ୍ଟାଲ ଧାନ ସଂଗ୍ରହ ଲାଗି ଟାର୍ଗେଟ ମିଳିଛି। ଆଜି ସୁଦ୍ଧା ୮୨ହଜାର ୬୮୨ ଜଣ ଚାଷୀଙ୍କ ଠାରୁ ୪୨ଲକ୍ଷ ୪୭ହଜାର ୧୦୫ କ୍ବିଣ୍ଟାଲ ଧାନ କିଣାଯାଇଛି। ଗତ ୫ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଚଳିତ ବର୍ଷ ସବୁଠାରୁ ଅଧିକ ଧାନ କିଣାଯାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫ଲକ୍ଷ କ୍ବିଣ୍ଟାଲ୍‌ ଅଧିକ ଧାନ କିଣାଯାଇଛି।

ଅନ୍ୟପକ୍ଷରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଜିଲ୍ଲା ଅଧିକ ଚାଷୀ ସରକାରଙ୍କ ଧାନ ବିକ୍ରି କରିବା ଲାଗି ପଞ୍ଜୀକରଣ କରିଛନ୍ତି। ଏ ବର୍ଷ ପାଗ ଅନୁକୂଳ ଥିବାରୁ ବହୁତ ଭଲ ଫସଲ ଅମଳ ହୋଇଥିବାରୁ ପୂର୍ବ ବର୍ଷ ତୁଳନାରେ ଚାଷୀଙ୍କ ନିକଟରେ ଅଧିକ ଧାନ ରହିଛି। ଗତ ବର୍ଷ ଯେତିକି ଧାନ କିଣା ଯାଇଥିଲା, ଚଳିତ ବର୍ଷ ସେହି ପରିମାଣ ଧାନ କିଣାଯିବା ପରେ ରାଜ୍ୟ ସରକାର ଜିଲ୍ଲାରୁ ଆଉ ଧାନ କିଣିବା ଲାଗି ପଛଘୁଞ୍ଚା ଦେଉଛନ୍ତି। ଚାଷୀଙ୍କ ଚାପ ଓ ଆନ୍ଦୋଳନ ଫଳରେ ସରକାର ଅଳ୍ପ କିଛି କିଛି ଟାର୍ଗେଟ ଦେଉଛନ୍ତି। ଗତ ୨୮ତାରିଖରୁ ନୂଆ ଟୋକନ୍‌ ଆସିବା ବନ୍ଦ ହୋଇଯାଇଛି। ମାର୍ଚ୍ଚ ୩୧ରେ ଧାନ କିଣା ସରିବ। ହାତରେ ଆଉ ମାତ୍ର ୧୫ଦିନ। ସରକାର ଟାର୍ଗେଟ ଦେଉ ନ ଥିବାରୁ ଧାନ କିଣାଯାଇ ପାରୁନାହିଁ। ଜିଲ୍ଲାର ଆହୁରି ୫୪ ହଜାର ୪୬୫ ଜଣ ଚାଷୀ ଧାନ ବିକ୍ରି କରିବାକୁ ରହିଛନ୍ତି। ଆଜି ସୁଦ୍ଧା ୧ଲକ୍ଷ ୭୭ହଜାର ୬୦୩ ଟୋକନ୍‌ ଜେନେରଟ୍‌ ହୋଇଛି। ପ୍ରାୟ ୭ହଜାର ଚାଷୀଙ୍କ ମଧ୍ୟରୁ କାହାର ଟୋକେନ୍‌ ଆସି ଅବଧି ସରିଛି ତ କାହାର ଟୋକନ୍‌ ଜମାରୁ ଆସିନାହିଁ ତାହା ଅସ୍ପଷ୍ଟ। ତେଣୁ ସରକାରଙ୍କୁ ଏହି ଚାଷୀ ଧାନ ବିକିବାରୁ ବଞ୍ଚିତ ହୋଇଥିବା ସ୍ପଷ୍ଟ।

ଚାଷୀଙ୍କ ରୋଷରୁ ବର୍ତ୍ତିବା ଲାଗି ଜିଲ୍ଲା ପ୍ରଶାସନ ସମୟ ଗଡ଼ାଇବାକୁ ନୂଆ ଫନ୍ଦି କରୁଛି। ତହସିଲଦାରମାନଙ୍କ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଆଧାରରେ ଧାନ କିଣାଯିବ ବୋଲି ଜିଲ୍ଲାପାଳ ଗତ ଫ୍ରେବ୍ରୃଆରି ୧୯ତାରିଖରେ ଚିଠି କରିଥିଲେ। ଜିଲ୍ଲାର ଚାଷୀଙ୍କ ନିକଟରେ ଆହୁରି ପ୍ରାୟ ୮ଲକ୍ଷ କ୍ବିଣ୍ଟାଲ ବିକ୍ରିଯୋଗ୍ୟ ଧାନ ଥିବା ତହସିଲଦାର ମାନେ ରିପୋର୍ଟ ଦେଇଥିଲେ। ଟାର୍ଗେଟ ନ ଥିବା ବେଳେ ଏତେ ପରିମାଣର ଧାନ କେ‌ମିତ କିଣାଯିବ ତାହାକୁ ନେଇ ଚିନ୍ତା ବଢ଼ିଥିଲା। ଗତ ୩ତାରିଖରେ ପୁଣି ପକୃତ ଚାଷୀଙ୍କ ପାଖରେ କେତେ ଧାନ ଅଛି ଆକଳନ କରି ରିପୋର୍ଟ ଦେବାକୁ ତହସିଲଦାରଙ୍କୁ କୁହାଯାଇଥିଲା। ସେହି ରି ପୋର୍ଟ ତହସିଲଦାର ମାନେ ଦେଲା ପରେ ବି ଜିଲ୍ଲାକୁ ପର୍ଯ୍ୟାପ୍ତ ଟାର୍ଗେଟ ଆସୁନି କି ଧାନ କିଣା ତ୍ବରାନ୍ବିତ ହୋଇପାରୁନି। ଆଉ ଗତ ୪ବର୍ଷ ମଧ୍ୟରେ ଜିଲ୍ଲାର ୨ଲକ୍ଷ ୨୦ହଜାର ୧୪୬ଜଣ ପଞ୍ଜୀକୃତ ଚାଷୀଙ୍କ ଧାନ କିଣା ହୋଇନି।

ସମ୍ବନ୍ଧିତ ଖବର