ଦଶରଥପୁର: ଦଶରଥପୁର ବ୍ଲକ ମଙ୍ଗଳପୁର ବଜାର ମା’ ତାରିଣୀ ଜୁଏଲର୍ସ ସମ୍ମୁଖରୁ ଆଜି ବାଇକ ଡିକିରୁ ୪୫ ହଜାର ଟଙ୍କା ଲୁଟ୍ ହୋଇଛି। ଟଙ୍କା ହରାଇ ମଙ୍ଗଳପୁର ଥାନାରେ ଏତଲା ଦେଇଛନ୍ତି ନିଜାମପୁର ପଞ୍ଚାୟତ ନଛିନ୍ଦ୍ରପୁର ଗ୍ରାମର ରାଜେଶ କୁମାର ବିଶ୍ୱାଳ। ସେ ବୁଧବାର ଦିନ ପ୍ରାୟ ଗୋଟାଏରେ ମଙ୍ଗଳପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ୪୫ ହଜାର ଟଙ୍କା ଉଠାଇ ନିଜ ସ୍ଲେଣ୍ଡର (ଓଆର୍ ୦୨ଏଏଫ୍-୨୯୩୮)ବାଇକ ଡିକିରେ ରଖିଥିଲେ। ଗହଣା ଦୋକାନ ଆଗରେ ବାଇକ୍ ରଖି ଏକ ଭେରାଇଟି ଷ୍ଟୋରରୁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ।
ସାମଗ୍ରୀ କିଣିସାରି ଆସିଲାବେଳକୁ ବାଇକ୍ ଡିକି ଖୋଲା ଥିଲା। ୪୫ ହଜାର ଟଙ୍କା ସହ ବ୍ୟାଙ୍କ ଚେକ୍, ପାସବୁକ୍ ଓ ଅନ୍ୟ ଦରକାରୀ କାଗଜପତ୍ର ଲୁଟ୍ ହୋଇଯାଇଥିଲା। ଅଭିଯୋଗ ପାଇ ମଙ୍ଗଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନ ନିକଟରେ ଥିବା ସିସି ଟିଭି ଫୁଟେଜ୍ ସଂଗ୍ରହ କରିଛି। ଲୁଟ୍ ଘଟଣାର ତଦନ୍ତ ଜାରି ରହିଥିବା ଆଇଆଇସି ରୀନାରାଣି ସାହୁ ସୂଚନା ଦେଇଛନ୍ତି।