ଗଜପତିରେ ପହଞ୍ଚିଲା କରୋନା ଟିକା, ପ୍ରଥମ ପର୍ଯ୍ୟାୟ‌ରେ ଆସିଲା ୪୫୦୦

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କରୋନା ଟିକାକରଣ ପାଇଁ ପୁଲିସର କଡ଼ାସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରୁ ବହୁ ପ୍ରତୀକ୍ଷିତ କ‌ରୋନା ଟିକା ଆସି ପହଞ୍ଚିଛି। ଗଜପତି ଜିଲ୍ଲା ପାଇଁ ମୋଟ ୬୯୫୩ଟି ଟିକାର ଆବଶ୍ୟକ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ମୋଟ ୪୫୦୦ କୋଭାକ୍ସିନ କରୋନା ଟିକା ଆସିଛି । ଏହି ଟିକାଗୁଡିକୁ ପାରଳାଖେମୁଣ୍ଡି ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଟିକାଭଣ୍ଡାର ଗୃହରେ କଡ଼ାସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଆସନ୍ତା ୧୬ ତାରିଖ ଦିନ ଦେଶବ୍ୟାପୀ ଏହି କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଜିଲ୍ଲାର ଚିହ୍ନଟ ହୋଇଥିବା ୪ଟି ଟିକାକରଣ କେନ୍ଦ୍ର ଯଥା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମୋହନା, ରାୟଗଡ଼ ଓ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ସିଡିଏମ୍‌ଓ ଡା.ପ୍ରଦୀପ କୁମାର ପାତ୍ର ସୂଚନା ଦେଇଛନ୍ତି।

ଜିଲ୍ଲାରେ କୋଭିଡ୍‌ ପୋର୍ଟାଲରେ ମୋଟ ୬୯୫୩ ଜଣ ହିତାଧିକାରୀ ଏହି ଟିକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି। ୧୬ ତାରିଖ ଦିନ ଜିଲ୍ଲାର ୪ ଟି କେନ୍ଦ୍ରରେ ୧୦୦ ଜଣ ଲେଖାଏଁ ଏଭଳି ୪୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବାକୁ ଚୂଡାନ୍ତ ହୋଇଛି। ଅବଶିଷ୍ଟାଂଶ ଟିକା ପରବର୍ତ୍ତୀ ପର୍ଯ୍ୟାୟରେ ଆସିବ ବୋଲି ସିଡିଏମଓ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚ୍‌ଓ(ପରିବାର କଲ୍ୟାଣ) ତଥା ଜିଲ୍ଲା ଟିକାକରଣ ଅଧିକାରୀ ଡା. ଏମ୍‌ଏମ୍‌ ମୁନିର, ଏଡିଏମ୍‌ଓ ଡା. ପ୍ରମୋଦ କୁମାର ପଣ୍ଡା , ଡିପିଏମ୍‌ ସୌମ୍ୟରାଣୀ ଗୌଡ଼, ଡିଏମ୍‌ଆର୍‌ସିଏଚ୍‌ ସୁଶାନ୍ତ ପ୍ରସାଦ ନାୟକ , ଏଡ଼ିପିଏଚସିଓ ନେତ୍ରାନନ୍ଦ ଶତପଥୀ, , ସିସିଟି ରୋହିତ କୁମାର ସାହୁ ଏବଂ ଦନାର୍ଦ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର