ଭୁବନେଶ୍ବର: କାଳବୈଶାଖୀ ପ୍ରଭାବ ଲାଗି ରହିଥିଲେ ମଧ୍ୟ ଓଡ଼ିଶାରେ ଜଙ୍ଗଲ ନିଆଁ ବୃଦ୍ଧି ପାଇଛି। ୨୦୨୪ ତୁଳନାରେ ଏଥର ଅଧିକ ସ୍ଥାନରେ ନିଆଁ ଲାଗିବା ସହ ବ୍ୟାପକ ଜଙ୍ଗଲ ଜଳି ପୋଡ଼ି ପାଉଁଶ ହୋଇଛି। ନିଆଁ ରୋକିବାକୁ ବନ ବିଭାଗର ସମସ୍ତ ପ୍ରୟାସ ସତ୍ତ୍ବେ ଜାନୁଆରି ପହିଲାରୁ ଏପର୍ଯ୍ୟନ୍ତ ୨୯,୧୬୫ ବନାଗ୍ନି ଦ୍ବାରା ୪୫୭୫.୧୧ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି। ଯେତେବେଳେ କି ୨୦୨୪ରେ ୨୨,୮୬୮ ସ୍ଥାନରେ ବନାଗ୍ନି ସୃଷ୍ଟି ହେବା ସହ ୪,୦୬୭.୦୫ ହେକ୍ଟର ଜଙ୍ଗଲ ଜଳି ଯାଇଥିଲା। ଏବର୍ଷ ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି ପରି ଜିଲ୍ଲା ବନାଗ୍ନି ଦ୍ବାରା ଅଧିକ ପ୍ରଭାବିତ ହୋଇସାରିଛି। ଆହୁରି ମାସକ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଲାଗିରହିବାକୁ ଥିବାରୁ ବ୍ୟାପକ ଜଙ୍ଗଲ ଜଳିବାର ଆଶଙ୍କା ପ୍ରକାଶ ପାଇଛି।
କୋରାପୁଟ ସର୍କଲର ରାୟଗଡ଼ା ଡିଭିଜନ୍ରେ ସର୍ବାଧିକ ୨,୦୬୩ ବନାଗ୍ନି ଚିହ୍ନଟ ହେବା ସହ ସର୍ବାଧିକ ପ୍ରଭାବିତ ହୋଇଛି। ଏହା ତଳକୁ ବ୍ରହ୍ମପୁର ସର୍କଲର ଫୁଲବାଣୀ ଡିଭିଜନ୍ରେ ୧,୮୦୫, ବାଲିଗୁଡ଼ାରେ ୧,୭୩୫, ରାଉରକେଲା ସର୍କଲର ସୁନ୍ଦରଗଡ଼ ଡିଭିଜନ୍ରେ ୧,୫୬୬, ଦେବଗଡ଼ ଡିଭିଜନ୍ରେ ୧,୩୫୧, କୋରାପୁଟ ସର୍କଲର ନବରଙ୍ଗପୁରରେ ୧,୨୪୬, ଭବାନୀପାଟଣା ସର୍କଲର ଖଡ଼ିଆଳରେ ୧,୨୧୭, ବ୍ରହ୍ମପୁର ସର୍କଲର ପାରଳାଖେମୁଣ୍ଡିରେ ୧,୧୮୯, ବୌଦ୍ଧରେ ୧,୧୬୩, ସମ୍ବଲପୁର ସର୍କଲର ବାମରା ବନ୍ୟପ୍ରାଣୀ ଡିଭିଜନ୍ରେ ୧,୦୬୧, କୋରାପୁଟ ସର୍କଲର ମାଲକାନଗିରିରେ ୧,୦୪୧, ଭବାନୀପାଟଣା ସର୍କଲର କଳାହାଣ୍ଡି ଦକ୍ଷିଣରେ ୧,୦୨୬ଟି ବନାଗ୍ନି ହୋଇଛି। ଅଧିକାଂଶ ଡିଭିଜନ୍ରେ ବନାଗ୍ନି ରୋକିବାରେ ବନ ବିଭାଗକୁ ଶତ ପ୍ରତିଶତ ସଫଳତା ମିଳିଛି। ଜାନୁଆରି ପହିଲାରୁ ମେ’ ୫ ମଧ୍ୟରେ ରାଜ୍ୟରେ ୨୯,୧୬୫ ବନାଗ୍ନି ହୋଇଛି। ଜଙ୍ଗଲ ଭିତରେ ୨୦,୪୮୪ ଓ ଜଙ୍ଗଲ ବାହାରେ ୮,୬୮୧ଟି ଜଙ୍ଗଲ ନିଆଁ ସାମନାକୁ ଆସିଥିଲା। ଏବେ ସୁଦ୍ଧା ୯୯.୯୭% ନିଆଁ ଆୟତ୍ତ ହୋଇଛି ଏବଂ ୪୫୭୫.୧୧ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ୮,୨୫୯ଟି ବଡ଼ଧରଣର ଜଙ୍ଗଲ ନିଆଁ ସାମନାକୁ ଆସିଛି। ଚଳିତମାସରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜର ରଘୁବାରି ବିଟ୍, କନ୍ଧମାଳ ଜିଲ୍ଲାର ବେଲଘର ରେଞ୍ଜ୍ର ଝିରିପାଣି ବିଟ୍, ସିମାନବାଡ଼ି ରେଞ୍ଜର ତିଲୋରି ବିଟ୍, ଦେବଗଡ଼ ଜିଲ୍ଲାର ବାରକୋଟ ରେଞ୍ଜର ସଇଡା ବିଟ୍ରେ ବଡ଼ଧରଣର ଜଙ୍ଗଲ ନିଆଁ ସାମନାକୁ ଆସିଛି। ଯାହାକୁ ବନ ବିଭାଗ ପକ୍ଷରୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ଦିଆଯାଇଛି। ଆଜି ୧୦୬ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହେବା ସହ ୯୯ଟିକୁ ନିୟନ୍ତ୍ରଣ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିନ୍ତାର କାରଣ ହେଉଛି, ବନାଗ୍ନି ଦ୍ବାରା ବ୍ୟାପକ ଜଙ୍ଗଲ ନଷ୍ଟ ହେବା। ୨୦୨୧ରେ ରାଜ୍ୟରେ ସର୍ବାଧିକ ବନାଗ୍ନି ହେବା ସହ ୨୮,୫୬୯ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇ ଯାଇଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ଜଙ୍ଗଲ ନିଆଁର ପ୍ରଭାବ କମିଥିଲେ ମଧ୍ୟ ନିୟନ୍ତ୍ରଣ ଭିତରକୁ ଆସିପାରି ନାହିଁ। ୨୦୨୨ରେ ୨୮,୭୫୫ଟି ନିଆଁ ସାମନାକୁ ଆସିଥିଲା। ଯେଉଁଥିରେ ଜଙ୍ଗଲ ଭିତରେ ୨୧,୯୯୬ ଓ ବାହାରେ ୬,୭୫୯ଟି ଚିହ୍ନଟ ହୋଇଥିଲା। ଏହି ନିଆଁ ଦ୍ବାରା ୮,୪୧୪.୫୫ ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ୨୦୨୩ରେ ନିଆଁ ପୁଣି ବଢ଼ିବା ସହ ୩୬,୭୧୩ରେ ପହଞ୍ଚିଥିଲା ଏବଂ ୯,୫୫୦.୮୬ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିଲା। ଚଳିତ ବର୍ଷର ଜଙ୍ଗଲ ନିଆଁ ଗତବର୍ଷ ନିଆଁକୁ ଟପିଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମଧ୍ୟପ୍ରଦେଶରେ ସର୍ବାଧିକ ୩୧ହଜାର ୬୨୪ଟି ନିଆଁ ଚିହ୍ନଟ ସହ ଶୀର୍ଷରେ ରହିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।