୧୬ନଂ ୱାର୍ଡରେ ୨୨%, ୪୭ନଂ ୱାର୍ଡରେ ୬୭%
ଯୁବଗୋଷ୍ଠୀଙ୍କ ଶରୀରରେ ଅଧିକ ମାତ୍ରାରେ ଆଣ୍ଟିବଡି
ଭୁବନେଶ୍ୱର : କଟକ ସହରରେ ସାର୍ସ କୋଭ୍-୨ ବା କୋଭିଡ୍-୧୯ ପାଇଁ ୪୬.୩୯ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ନିକଟରେ ଆରଏମ୍ଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେଉଁ ଲୋକମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ତହିଁରୁ ୯୦ ପ୍ରତିଶତଙ୍କ ଶରୀରରେ କୌଣସି ପ୍ରକାର ଲକ୍ଷଣ ନ ଥିବା କୁହାଯାଇଛି। ତେବେ ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଲୋକମାନେ ଅଧିକ ସତର୍କ ହେବା ଲାଗି କୁହାଯାଇଛି।
ଆଜି ସାମ୍ବାଦିକ ସମ୍ମିଳନୀରେ ଆରଏମ୍ଆରସିର ନିର୍ଦେଶିକା ଡା.ସଂଘମିତ୍ରା ପତି କହିଲେ, ଚଳିତମାସ ୨-୫ ନଭେମ୍ବରରେ କଟକ ସହରରେ ସେରୋ ସର୍ଭେ ହୋଇଥିଲା। ଏଥିରେ ସମୁଦାୟ ୨୨୭୪ ନମୁନା ସଂଗ୍ରହ କରାଯାଇଥିଲା। ତହିଁରୁ ୨୫ଟି ୱାର୍ଡ ବା କ୍ଲଷ୍ଟରରୁ ୧୬୩୪ ନମୁନା ଓ ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ନମୁନା ସଂଗ୍ରହ ହୋଇଥିଲା। ସମ୍ବେଦନଶୀଳ ଗୋଷ୍ଠୀ ମଧ୍ୟରେ ପୁଲିସ କର୍ମଚାରୀ, ସରକାରୀ ଓ ମ୍ୟୁନସିପାଲଟି କର୍ମଚାରୀ, ଗଣମାଧ୍ୟମ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀ ଅନ୍ତର୍ଭୁକ୍ତ। ଆରଏମ୍ଆରସିର ୫ଟି ଟିମ୍ ନମୁନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରତି ୱାର୍ଡରୁ ୬୦ ପରିବାର ଓ ପ୍ରତି ଘରୁ ଜଣେ ବ୍ୟକ୍ତିଙ୍କଠାରୁ ରୢାଣ୍ଡମ୍ ନମୁନା ସଂଗ୍ରହ ହୋଇଥିଲା। ଏଥିରେ କଟକ ସହରରେ ସମୁଦାୟ ଭାବେ ୪୬.୩୯ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି। ଏଥିରେ ଗୋଷ୍ଠୀସ୍ତରରେ ୪୧.୮ ପ୍ରତିଶତ ଓ ସମ୍ବେଦନଶୀଳ ଗୋଷ୍ଠୀରେ ୫୬.୪ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି।
ସେହିପରି ୱାର୍ଡସ୍ତରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିଶତରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୱାର୍ଡ ନଂ ୧୬ରେ ୨୨ ପ୍ରତିଶତ, ୱାର୍ଡ ନଂ ୨,୫,୪୭ ଓ ୫୬ରେ ୫୦ ପ୍ରତିଶତରୁ ଅଧିକ ଓ ୪୭ନଂ ୱାର୍ଡରେ ୬୭ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। କୋଭିଡ୍ ଯୋଦ୍ଧାଙ୍କଠାରେ ଅଧିକ ଭାବେ ଆଣ୍ଟିବଡି ସୃଷ୍ଟି ହୋଇଛି। ପୁରୁଷ ଓ ମହିଳାଙ୍କ ମଧ୍ୟରେ ଆଣ୍ଟିବଡିରେ କୌଣସି ଫରକ୍ ଦେଖିବାକୁ ମିଳିନାହିଁ। ମାତ୍ର ଯୁବଗୋଷ୍ଠୀଙ୍କ ନିକଟରେ ଅଧିକ ମାତ୍ରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଡା.ପତି କହିଛନ୍ତି।
ସିଏମ୍ସି କମିସନର ଅନନ୍ୟା ଦାସ କହିଥିଲେ, ଏବେ ପାର୍ବଣ ଋତରୁ ଚାଲିଥିବାରୁ ଲୋକମାନେ ଅଧିକ ମାତ୍ରାରେ ସଚେତନତା ହେବା ଜରୁରୀ। ହାତ ଧୋଇବା, ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯିବା ଜରୁରୀ। ଗହଳି ସ୍ଥାନଠାରୁ ଯଥାସମ୍ଭବ ଦୂରେଇ ରହିବାର ଉଚିତ୍। ଯେହେତୁ ଯୁବଗୋଷ୍ଠୀଙ୍କଠାରେ ଅଧିକ ମାତ୍ରରେ ଆଣ୍ଟିବଡି ଦେଖିବାକୁ ମିଳିଛି, ତେଣୁ ବୟସ୍କ ଲୋକମାନଙ୍କୁ ସୁରକ୍ଷା ନେଇ ସଚେତନତା ଅବଲମ୍ବନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ଆରଏମ୍ଆରସି ପକ୍ଷରୁ ଭୁବନେଶ୍ବରରେ ହୋଇଥିବା ସେରୋ ସର୍ଭେରେ ୫୫ ପ୍ରତିଶତ, ବ୍ରହ୍ମପୁର ସହରରେ ୩୧ ପ୍ରତିଶତରୁ ଅଧିକ ଓ ଗଜପତିରେ ୬୫ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/antibody-testing-1.png)