କଟକ: ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଦୁଇଜଣିଆ ଖଣ୍ଡପୀଠରେ ବିଳମ୍ବରେ ଅପିଲ ଦାଖଲ କରିଥିବାରୁ ସରକାର ୪୬ ହଜାର ଟଙ୍କା ତଣ୍ଡ ଗଣିବେ। ନିର୍ଦ୍ଧାରିତ ସମୟସୀମାର ୪୬୦ ଦିନ ପରେ ସରକାର ଏହି ଅପିଲ ଦାୟର କରିଥିବା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଛି।
ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି କହିଛନ୍ତି, ଏପରି ବିଳମ୍ବ ପାଇଁ ସରକାର ଯେଉଁ କାରଣ ଦର୍ଶାଇଥିଲେ ତାହା ସନ୍ତୋଷଜନକ ନଥିଲା। ଏଭଳି ମାମଲାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଫାଇଲ ଗଡ଼ିବା ବିଳମ୍ବକୁ ଅଣଦେଖା କରାଯାଇ ପାରିବ ନାହିଁ। ଏଥିସହିତ ଅପିଲ ଦାୟର ପ୍ରକ୍ରିୟାକୁ ଯେଉଁଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନେଇଛନ୍ତି ତାହାକୁ ଅନୁମୋଦନ କରାଯାଇ ପାରିବ ନାହିଁ। ତେବେ, ପରିସ୍ଥିତିକୁ ବିଚାରକୁ ନେଇ ଅପିଲ ଦାୟରରେ ହୋଇଥିବା ବିଳମ୍ବକୁ ହାଇକୋର୍ଟ କ୍ଷମା କରିଛନ୍ତି। ଏଥିପାଇଁ ପ୍ରତିପକ୍ଷଙ୍କୁ ରାଜ୍ୟ ସରକାର ୪୬ ହଜାର ଟଙ୍କା ଦୁଇମାସ ଭିତରେ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ମୂଳ ରିଟ୍ ଅପିଲର ସେପ୍ଟେମ୍ବର ୧୮କୁ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ସବ୍ଅର୍ଡିନେଟ୍ ଏଜୁକେସନ୍ ସର୍ଭିସକୁ ପଦୋନ୍ନତି ପାଇଥିବା ଜଣେ ବ୍ୟକ୍ତିଙ୍କୁ ସଂଶୋଧିତ ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପ୍ରସଂଗରେ ନିଷ୍କ୍ରିୟତାକୁ ଚାଲେଞ୍ଜ କରି ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍)ରେ ମାମଲା ଦାୟର ହୋଇଥିଲା। ସମାନ ପରିସ୍ଥିତିରେ ଥିବା ଅନ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ସୁବିଧା ତାଙ୍କୁ ମଧ୍ୟ ପ୍ରଦାନ କରାଯାଉ ବୋଲି ସଂପୃକ୍ତ ମାମଲାର ଆବେଦନକାରୀ ଦର୍ଶାଇଥିଲେ। ସ୍ୟାଟ୍ ଉଚ୍ଛେଦ ପରେ ମାମଲା ହାଇକୋର୍ଟକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇ ଆସିଥିଲା। ୨୦୨୨, ଡିସେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ସଂପୃକ୍ତ ଆବେଦନକାରୀଙ୍କୁ ଆବେଦନରେ ଉଲ୍ଲେଖ ଥିବା ସୁବିଧା ପ୍ରଦାନ ସପକ୍ଷରେ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, କଟକ ଡିଇଓ ପ୍ରମୁଖ ୨୦୨୪, ଏପ୍ରିଲ ୨୨ରେ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ।