ତିନିଟି ବିମାନରେ ଫେରିଲେ ୪୬୦ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଉଦ୍ୟମରେ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ସହାୟତାରେ ଆଜି ମୁମ୍ବାଇ, ଇମ୍ଫାଲ ଓ ଗୌହାଟିରୁ ତିନିଟି ସ୍ବତନ୍ତ୍ର ବିମାନରେ ୪୬୦ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିଛନ୍ତି। ଯେଉଁ ସ୍ଥାନରେ ଓଡ଼ିଆମାନେ ଅଛନ୍ତି ସେଠାକୁ ରେଳ ଚଳାଚଳ କରୁନି କି ସଡ଼କ ପଥରେ ସେମାନେ ଆସିବା ସମ୍ଭବ ହୋଇ ନ ଥିବାରୁ ସେଠାରୁ ଲୋକଙ୍କୁ ବିମାନରେ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଆଜି ଏହି ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଫେରିଛନ୍ତି।

ଆଜି ସକାଳ ୮ଟା ୨୫ରେ ମୁମ୍ବାଇରୁ ଏୟାର ଏସିଆ ବିମାନରେ ୧୮୫ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଧରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା। ବେଙ୍ଗାଲୁରସ୍ଥିତ ନାସନାଲ୍‌ ଲ’ ସ୍କୁଲର ପୁରାତନ ଛାତ୍ର ସୁହାନ ମୁଖାର୍ଜୀ ଏବଂ ସେମାନଙ୍କ ସାଥୀମାନେ ସ୍ବତନ୍ତ୍ର ବିମାନରେ ଏହ‌ି ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ପଠାଇଥିଲେ। କିପରି ଫସିଥିବା ଓଡ଼ିଆମ‌ାନେ ଓଡ଼ିଶା ଫେରିବେ ସେନେଇ ଶ୍ରୀ ମୁଖାର୍ଜୀ କୋଭିଡ-୧୯ ପାଇଁ ଓଡ଼ିଶାର ନୋଡାଲ ଅଫିସର ନିଯୁକ୍ତ ହୋଇଥିବା ଅମିତାଭ ଠାକୁରଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ସରକାରଙ୍କ ସର୍ତ୍ତ ଅନୁଯାୟୀ ସମସ୍ତ ପ୍ରକାରର ଯାଞ୍ଚ ସରିବା ପରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ଫେରିଥିଲେ।

ସେହିପରି ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟରେ ଫସି ରହିଥିବା ୧୩୮ ଜଣ ପ୍ରବାସୀ ଶ୍ରମିକ ଓ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଏୟାର ଏସିଆ ବିମାନ ଇମ୍ଫାଲ ବିମାନବନ୍ଦରରୁ ଆସିଥିବାବେଳେ ଅପରାହ୍ନ ୨ଟା ୪୦ରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିଥିଲା। ରାତି ୧୧ଟା ୩୦ରେ ଆସାମ ଓ ମେଘାଳୟର ତିନସୁକିଆ, ସିଲଚାର, ଦିମାପୁର, କାମାରୁପ ଓ ଶିବସାଗର ଜିଲ୍ଲାରେ ଫସି ରହିଥିବା ୧୩୭ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଏୟାର ଏସିଆ ବିମାନ ଆସିଥିଲା।

ତିନିଟି ରାଜ୍ୟରୁ ଶ୍ରମିକଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏୟାର ଏସିଆର ତିନିଟି ବିମାନ ନିୟୋଜିତ କରାଯାଇଥିଲା। ଏହି ବିମାନ ଯାତ୍ରୀଙ୍କୁ ଆଣି ପହଞ୍ଚିବା ପରେ ଏଠାରେ ସେମାନଙ୍କର ନାମ ପଞ୍ଜୀକରଣ କରିବା, ଥର୍ମାଲ୍‌ ସ୍କ୍ରିନିଂ କରିବା, ସଙ୍ଗରୋଧ ଷ୍ଟାମ୍ପ୍‌ ଲଗାଇବା ଏବଂ କାଉନସେଲିଂ କରିବା ପାଇଁ ବିଏମ୍‌ସି, କମିସନରେଟ୍ ପୁଲିସ ଏବଂ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା।

ଯାତ୍ରୀମାନଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍‌ ବ୍ୟବସ୍ଥା କରାଯାଇଥିଲା। ଯାତ୍ରୀମାନେ କିପରି ସଙ୍ଗରୋଧରେ ରହିବେ ସେ ନେଇ ମଧ୍ୟ ବ୍ୟବସ୍ଥା ହୋଇଥିଲା।

ସମ୍ବନ୍ଧିତ ଖବର