ତ୍ୱରିତ ନ୍ୟାୟ ଦେବାରେ ଓଡ଼ିଶା ପଞ୍ଚମ: ମୁଖ୍ୟ ବିଚାରପତି

୪୬ ତମ ଆଇନୀଜୀବୀ ସମ୍ମିଳନୀ ଉଦ୍‌ଘାଟିତ

ଖୁବ୍‌ ଶୀଘ୍ର ରାଜ୍ୟରେ ଆଉ ୫୦ଟି କୋର୍ଟ ଖୋଲିବ: ମୁଖ୍ୟମନ୍ତ୍ରୀ
ଶୀତତାପ ନିୟନ୍ତ୍ରିତ ହେବ ରାଜ୍ୟର ସମସ୍ତ କୋର୍ଟରୁମ୍‌

ଭୁବନେଶ୍ୱର : ସାରା ଦେଶରେ ତ୍ୱରିତ ନ୍ୟାୟ ଦେବାରେ ଓଡ଼ିଶାର ସ୍ଥାନ ପଞ୍ଚମରେ। ଏଥିରୁ ସ୍ପଷ୍ଟ ହେଉଛି ଓଡ଼ିଶାରେ ନ୍ୟାୟିକ ପ୍ରକ୍ରିୟା ବେଶ୍‌ ସକ୍ରିୟ ଓ ସନ୍ତୋଷଜନକ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଦୀପକ ମିଶ୍ର ଆଜି ଭୁବନେଶ୍ୱରଠାରେ ଆୟୋଜିତ ୪୬ ତମ ଆଇନଜୀବୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି।

ବିଚାରପତି ଶ୍ରୀ ମିଶ୍ର ଆହୁରି କହିଲେ ଯେ ସୁପ୍ରିମକୋର୍ଟରେ ସେ ମୁଖ୍ୟ ବିଚାରପତି ଭାବେ ଯୋଗ ଦେବା ପରେ ସାରା ଦେଶରେ ପ୍ରତ୍ୟେକ ଶନିବାର ମାମଲାର ଫଇସଲା କରାଯାଉଛି। ଏବେ ସୁଦ୍ଧା ସାରା ଦେଶରେ ୧୪୦୦ ମାମଲାର ଫଇସଲା ହୋଇ ସାରିଲାଣି। ଓଡ଼ିଶାରେ ୭୧ଟି ମାମଲାର ଫଇସଲା ହୋଇଛି। ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥିବା କାରଣରୁ କୋର୍ଟରେ କାମ କରିବାକୁ କଷ୍ଟକର ହୋଇ ପଡ଼ୁଛି। ତେଣୁ ରାଜ୍ୟର ସମସ୍ତ କୋର୍ଟକୁ ଶୀତତାପ ନିୟନ୍ତ୍ରିତ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଖୁବ ଶୀଘ୍ର ରାଜ୍ୟର ସମସ୍ତ କୋର୍ଟକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ୪ ବର୍ଷରେ ରାଜ୍ୟ ସରକାର ୧୭୦ଟି ନୂଆ କୋର୍ଟ ଖୋଲିଛନ୍ତି। ଖୁବ୍‌ ଶୀଘ୍ର ଆହୁରି ୫୦ଟି ନୂଆ କୋର୍ଟ ଖୋଲିବ। ସାଧାରଣ ଲୋକଙ୍କ ଆଇନ ସହାୟତା ଯୋଗାଇ ଦେବାକୁ ପ୍ରତ୍ୟେକ ପଞ୍ଚାୟତରେ ମଧୁବାବୁ ଆଇନ ସହାୟତା କେନ୍ଦ୍ର ଖୋଲା ଯାଇଛି। ପ୍ରତ୍ୟେକ ବର୍ଷ ଆଇନଜୀବୀ ଉନ୍ନୟନ ଫଣ୍ଡକୁ ରାଜ୍ୟ ସରକାର ୩ କୋଟି ଟଙ୍କା ବାର୍ଷିକ ଅନୁଦାନ ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ଓକିଲାତି ଏକ ଆଦର୍ଶ ପେସା। ଗଣତନ୍ତ୍ରରେ ଆଇନଜୀବୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ତେଣୁ ଓକିଲମାନେ କେବଳ କୋର୍ଟରେ ସେମାନଙ୍କ କାର୍ଯ୍ୟ ସୀମିତ ନ ରଖି ସମାଜର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।

ଆଜିର ଏହି ସମ୍ମିଳନୀରେ ଆଇନମନ୍ତ୍ରୀ ପ୍ରତାପ ଜେନା, ଅଲ୍‌ ଓଡ଼ିଶା ନିଖିଳ ଆଇନଜୀବୀ ସଂଘ ସଭାପତି ଜ୍ଞାନ ରଂଜନ ମହାନ୍ତି, ସମ୍ପାଦକ ବିଭୁ ପ୍ରସାଦ ତ୍ରିପାଠୀ, ଭୁବନେଶ୍ୱର ଓକିଲ ସଂଘର ସଭାପତି ଜାହିଦୁର ରହେମାନ ଓ ସମ୍ପାଦକ ତାପସ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର