ମୁମ୍ବାଇରେ ୭ ଶିଶୁଙ୍କ ସହ ଫସି ରହିଛନ୍ତି ୪୭ ଓଡ଼ିଆ, ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ବି ମେଲରେ ଚିଠି ଲେଖିଲେ 

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଥାନା ଅଧିନସ୍ଥ ଗଡସାହିବାଲିଆପାଳ ଗାଁ ରୁ ଦିନ ମଜୁରିଆ ଭାବେ ମହାରାଷ୍ଟ୍ରର ମୁମ୍ବାଇକୁ ଗତ ଦୁଇମାସ ତଳେ କାମ କରିବାକୁ ଯାଇଥିବା ୭ ଜଣ ଶିଶୁ ଓ ୧୦ ମହିଳାଙ୍କୁ ମିଶାଇ ୪୭ ଜଣ ଓଡ଼ିଆ ସେଠାରେ ଗତ ୧୯ ତାରିଖରୁ ଫସି ରହିଥିବା ଜଣାପଡିଛି। କରୋନା ପାଇଁ ମୁମ୍ବାଇ ମହାନଗରୀକୁ ଲକ୍ ଡାଉନ୍ କରାଯାଇଥିବାରୁ ସେମାନେ ରହୁଥିବା ସ୍ଥାନରୁ ଗୋଡ଼ କାଢି ପାରୁନାହାନ୍ତି ଓ ପ୍ରାୟ ସପ୍ତାହ ଧରି ଭୋକ ଉପାସରେ ଦିନ ବିତାଉଛନ୍ତି । ସେମାନଙ୍କୁ ସେଠାରୁ ମୁକୁଳାଇବା ପାଇଁ ଆଜି ବାଲେଶ୍ଵର ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।

ଏଠାରେ ସୂଚନା ଥାଉ କି ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ଗଡସାହି ବାଲିଆପାଳ ଗ୍ରାମର କୈବର୍ତ୍ତ ସାହିରୁ ୨ଟି ପର୍ଯ୍ୟାୟରେ ୩୦ ପୁରୁଷ,୧୦ ମହିଳା ଓ ସାତଜଣ ଶିଶୁ ମୁମ୍ବାଇକୁ ଯାଇଥିଲେ। ସେଠାରେ ପହଞ୍ଚିବାର ଦିନେ ଦୁଇଦିନ ମଧ୍ୟରେ କିଏ ସିଲେଇ ମିସ୍ତ୍ରୀ ତ କିଏ ପକ୍କା ମିସ୍ତ୍ରୀ ଏମିତି ବିଭିନ୍ନ କାମରେ ଯୋଗଦେଇ ଥିଲେ। ତେବେ ଗତ ୧୮ ତାରିଖରେ କରୋନା ପ୍ରତିରୋଧ ପାଇଁ ମହାରାଷ୍ଟ୍ର ସରକାର ସବୁ ବ୍ୟବସାୟ ପ୍ରତିଷ୍ଠାନ ଓ ଶିଳ୍ପ ସଂସ୍ଥାକୁ ବନ୍ଦ କରିବା ପରେ ଏମାନେ କାମ ଧନ୍ଦା ହରାଇବା ସହ ଘରକୁ ଫେରିବା ପାଇଁ ରେଳ ଟିକଟ ମଧ୍ୟ କରିଥିଲେ। ହେଲେ ଏବେ ଟ୍ରେନ ବାତିଲ ହୋଇଥିବାରୁ ସେମାନେ ଘରକୁ ଫେରିପାରୁ ନାହାଁନ୍ତି।

ଏହି ଓଡ଼ିଆ ଲୋକମାନେ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲ୍ଲାସନଗର ଅଞ୍ଚଳରେ ଥିବାବେଳେ ଏବେ ସେମାନଙ୍କ ପାଖରେ ଖାଇବାକୁ ଟଙ୍କା ନାହିଁ। ପୁଣି ରହୁଥିବା ସ୍ଥାନରେ ପାଣି, ବିଦ୍ୟୁତ ପରି ଅତି ଆବଶ୍ୟକ ସେବା ନଥିବାରୁ ସେଠାରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି ବୋଲି ବାଲେଶ୍ଵର ଜିଲ୍ଲାପାଳଙ୍କୁ ମେଲ ଜରିଆରେ ଏକ ଚିଠି ଲେଖିବା ସହ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନେହୁରା ହୋଇଛନ୍ତି।

ସମ୍ବନ୍ଧିତ ଖବର