ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପଦ ପାଇଁ ୪୭ ଜଣ ପ୍ରଫେସର ସାକ୍ଷାତକାର ଦେବେ ବୋଲି ଜଣାପଡ଼ିଛି। କୁଳପତି ପଦ ପାଇଁ ସର୍ବମୋଟ ୪୯ ଜଣ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଆବେଦନ ଯାଂଚ ସମୟରେ ବିଭିନ୍ନ କାରଣରୁ ଖାରଜ ହୋଇଯାଇଛି। ଅନ୍ୟ ୪୭ ଜଣ ପ୍ରଫେସରଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସାକ୍ଷାତକାର ହେବ ବୋଲି ଜଣାପଡ଼ିଛି। ୩ଜଣିଆ ଚୟନ କମିଟି ସାକ୍ଷାତକାର ଦେଇଥିବା ପ୍ରଫେସରମାନଙ୍କ ମଧ୍ୟରୁ ୩ ଜଣ ପ୍ରଫେସରଙ୍କ ନାମ କୁଳାଧିପତିଙ୍କ ପାଖକୁ ପଠାଇବେ।
ସେହି ୩ ଜଣଙ୍କ ମଧ୍ୟରୁ କୁଳପତି କୌଣସି ଜଣକୁ କୁଳପତି ପଦ ପାଇଁ କୁଳାଧିପତି ମନୋନୀତ କରିବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସମ୍ବଲପୁର ବିଶ୍ବବିଦ୍ୟାଳୟର ୨ ଜଣ ପୂର୍ବତନ ପ୍ରଫେସର କୁଳପତି ପଦ ପାଇଁ ଆବେଦନ କରିଛନ୍ତି। ପ୍ରଫେସର ସଂଜୀବ ମିତ୍ତଲ ଗତ ୨୫ ଜାନୁଆରି ୨୦୨୧ରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ପୂରା ବିବାଦୀୟ ହୋଇଥିଲା। ତେବେ, ସେ ୨୮ ଅଗଷ୍ଟ ୨୦୨୨ ମଧ୍ୟରେ ସେ କୁଳପତି ପଦରୁ ଇସ୍ତଫା ଦେଇଥିଲେ। ଏବେ ପ୍ରଫେସର ସଂଯୁକ୍ତା ଦାସ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।