ରାଜ୍ୟର ୪୭୩ ଡାକଘରେ ଖୋଲିବ ଆଧାର ସଂଯୋଗ କେନ୍ଦ୍ର

ଭୁବନେଶ୍ୱର: ମାର୍ଚ୍ଚ ୩୧ ସୁଦ୍ଧା ସବୁ କ୍ଷେତ୍ରରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି। ସୁପ୍ରିମକୋର୍ଟ ରାୟ ଦେବା ପରେ ଏବେ ଡାକ ବିଭାଗ ପକ୍ଷରୁ ଗ୍ରାହକଙ୍କୁ ଆଧାର ସଂଯୋଗ ସେବା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ଏ ପର୍ଯ୍ୟନ୍ତ ଓଡ଼ିଶାର ପ୍ରମୁଖ ଡାକଘରେ ୪୦ଟି ଆଧାର ସଂଯୋଗ କେନ୍ଦ୍ର ଖୋଲାଯାଇଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଆଉ ୮୦ଟି କେନ୍ଦ୍ର ଖୋଲାଯିବ ଏବଂ ଏହି ମାସ ଶେଷ ସୁଦ୍ଧା ୪୭୩ଟି ଡାକ କାର୍ଯ୍ୟାଳୟରେ ଆଧାର ସଂଯୋଗ କେନ୍ଦ୍ର ଖେଲିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କମିଳା କହିଛନ୍ତି।

ଓଡ଼ିଶାରେ ଏବେ ୧୨୦୪ଟି ଡାକଘର ରହିଛି। ସେଥିରେ ଥିବା ଗ୍ରାହକଙ୍କ ଆଧାର ପଞ୍ଜୀକରଣ କରାଯିବ। ଇତିମଧ୍ୟରେ କେତେକ ଗ୍ରାହକଙ୍କ ଆକାଉଣ୍ଟ ସହ ଆଧାର ପଞ୍ଜୀକରଣ ହୋଇ ସାରିଥିବା ବେଳେ ବହୁ ପରିମାଣରେ ଗ୍ରାହକ କରିନାହାନ୍ତି। ସେମାନଙ୍କ ଆଧାର ପଞ୍ଜୀକରଣ କିଭଳି ନିର୍ଧାରିତ ସମୟ ପୂର୍ବରୁ ସରିବ ସେ ଦିଗରେ ପଦକ୍ଷେପ ନେଇଛି ଭାରତୀୟ ଡାକ ବିଭାଗ। ଦେଶରେ ଥିବା ଡାକଘରେ ଆଧାର କେନ୍ଦ୍ର ଖୋଲିବା ଲାଗି ୨୭୮ କୋଟି ଟଙ୍କା ଦିଆଯାଇଛି। ସେଥିରୁ ଓଡ଼ିଶାକୁ ଏବେ ସୁଦ୍ଧା ୮ କୋଟି ଟଙ୍କା ମିଳିଛି।

ଭୁବନେଶ୍ୱରର ମୁଖ୍ୟ ଡାକଘର ସମେତ ସହିଦନଗର, ଉତ୍କଳ ବିଶ୍ୱବିଦ୍ୟାଳୟ, କଟକର ଜିପିଓ, ତେଲେଙ୍ଗପେଣ୍ଠ ଡାକଘର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରଠାରେ ଥିବା ପ୍ରମୁଖ ଡାକଘରଗୁଡ଼ିକରେ ଆଧାର କେନ୍ଦ୍ର ଖୋଲିଛି। ଦୁଇ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନେ ଗ୍ରାହକଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରିବା ସହ ଆଧାର କାର୍ଡରେ ନାମ, ଠିକଣା ତ୍ରୁଟି ଥିଲେ ସଂଶୋଧାନ ହୋଇପାରିବ। ଆକାଉଣ୍ଟରେ ଆଧାର ସଂଯୋଗ ଲାଗି କୌଣସି ଫି’ ପଡ଼ିବ ନାହିଁ। ଯଦି କୌଣସି ଗ୍ରାହକ ସଂଶୋଧନ କରିବାକୁ ଚାହୁଁଥିବେ ଏଥିପାଇଁ ଆବଶ୍ୟକ ଅର୍ଥ ଦେବେ। ଏଣିକି ଡାକଘରେ ନୂଆ ଆକାଉଣ୍ଟ ଖୋଲିବା ଏବଂ ପୋଷ୍ଟାଲ ଲାଇଫ୍‌ ଇନ୍ୟୁରାନ୍ସ କରିଥିବା ବ୍ୟକ୍ତିଙ୍କ ପାଇଁ ଆଧାର ସଂଯୋଗ ବାଧ୍ୟତାମୂଳକ ହୋଇଛି ବୋଲି ଡ. କମିଳା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର