ଉଠା ଜଳସେଚନ ନିଗମର ୪୭ତମ ପ୍ରତିଷ୍ଠା ଦିବସ : ଏ ବର୍ଷ ୧ ଲକ୍ଷ ହେକ୍ଟର୍ ଜମିକୁ ଜଳସେଚନ

ଭୁବନେଶ୍ବର : ୨୦୧୯-୨୦ ଆର୍ଥିକ ବର୍ଷରେ ଉଠା ଜଳସେଚନ ନିଗମ ପକ୍ଷରୁ ୧ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଓଡ଼ିଶା ଉଠା ଜଳସେଚନ ନିଗମର ୪୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ‘୫ ଟି’ ଆଧାରରେ ସ୍ବଚ୍ଛତା ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସମସ୍ତ ଯନ୍ତ୍ରୀ ଓ ପାଣି ପଞ୍ଚାୟତର ସଦସ୍ୟମାନେ ଲକ୍ଷ୍ୟ ପୂରଣ କରିବା ପାଇଁ ସହଯୋଗ କରିବାକୁ ସେ ଆହ୍ବାନ ଦେଇଥିଲେ।

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବକୁ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିଥିଲେ। ଅଧିକରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ତେଣୁ ଏ ଦିଗରେ ଉଠା ଜଳସେଚନ ନିଗମର ଭୂମିକା ଗୁରୁତ୍ବପୂର୍ଣ୍ଣ। ନିଗମର ସମସ୍ତ ଯନ୍ତ୍ରୀ, ଅଧିକାରୀ, ପାଣି ପଞ୍ଚାୟତର ସଦସ୍ୟ ନିଷ୍ଠାର କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜଳସମ୍ପଦ ବିଭାଗର ସଚିବ ବିଶାଳ ଗଗନ ନିଗମ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସଫଳତା ଓ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିମାଦ୍ରୀ ଶେଖର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ରାଜ୍ୟ ଭିନ୍ନକ୍ଷମ କମିସନ୍‌ର ଅଧ୍ୟକ୍ଷା ସୁଲୋଚନା ଦାସ, ଖଦୀ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ଓଡ଼ିଶା ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକଙ୍କ ସମେତ ୧୩ଟି ସଫଳ ପାଣି ପଞ୍ଚାୟତ ତଥା କୃଷକମାନଙ୍କୁ ନିଗମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପରେ ମନୋରଞ୍ଜନ ତଥା କୃଷକ ସଚେତନତା ଧର୍ମୀ ନାଟକ ‘ସମୟ ହାତରେ ଜୀବନର ଖେଳ’ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର