ରାଜନଗର : ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳମାନଙ୍କରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ରାଜନଗର ବନ ବିଭାଗ ପକ୍ଷରୁ ବନ କର୍ମଚାରୀମାନେ ଏବେ ବଉଳା କୁମ୍ଭୀର ବାନ୍ଧୁଥିବା ବସାଗୁଡ଼ିକୁ ଚିହ୍ନଟ କରୁଛନ୍ତି। ଆଜି ସୁଦ୍ଧା ଭିତରକନିକା ଜାତୀୟ ଉଦ୍ୟାନରେ ୪୫ଟି, ରାଜନଗର ବନାଂଚଳରେ ୨ଟି ଏବଂ ମହାକାଳପଡ଼ା ବନାଂଚଳରେ ଗୋଟିଏ ବସା ଚିହ୍ନଟ କରାଯାଇଛି। ପୁରୁଷ କୁମ୍ଭୀର ହେନ୍ତାଳ ପତ୍ର, ଖରୀ ପତ୍ର ପ୍ରଭୃତି ସଂଗ୍ରହ କରି ନଦୀ ତଟଠାରୁ ୫ଫୁଟ ଦୂର ପଠାରେ ୪ଫୁଟ ଉଚ୍ଚର ବସା ବାନ୍ଧିବା ପରେ ମା’ କୁମ୍ଭୀରଟି ସେହି ବସା ଉପରେ ଅଣ୍ତାଦାନ କରୁଛନ୍ତି। ଏହି ପ୍ରକ୍ରିୟା ଆଉ ୩ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ ମେ’ ୧ ତାରିଖରୁ ଜୁଲାଇ ୩୧ ଯାଏଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଛି।