ଆନନ୍ଦପୁର: ସ୍ୱାସ୍ଥ୍ୟସେବା ଆଳରେ ଡିଏମ୍‌ଏଫ୍‌ରୁ ପାଣି ଭଳି ଅର୍ଥ ଖର୍ଚ୍ଚ କରାଯାଇଛି। ଗତ ୮ ବର୍ଷରେ ୫୭ଜଣ ଡାକ୍ତରଙ୍କୁ ପାରିତୋଷିକ ବାବଦରେ ୪୭ କୋଟି ୭୭ ଲକ୍ଷ ୫ ହଜାର ୧୧୫ ଟଙ୍କା ପ୍ରଦାନ କରାଯାଇଛି। ପ୍ରତିଥର ପାଇଁ ଜଣେ ଜଣେ ଡାକ୍ତରଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ସପ୍ତାହକୁ ଥରେ ମାତ୍ର ଘଣ୍ଟାଏ ପାଇଁ ଆସୁଥିବା ଡାକ୍ତରମାନେ ମାସକୁ ଲକ୍ଷାଧିକ ଟଙ୍କା ନେଇଛନ୍ତି।

Advertisment

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ ଦୂର କରିବା ଓ ଜିଲ୍ଲା‌ବାସୀଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇବା ପାଇଁ ଡିଏମ୍‌ଏଫ୍‌ରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ରୋଗୀସେବା ପାଇଁ ବିଭିନ୍ନ ଡାକ୍ତରଙ୍କୁ ମାତ୍ର ୧ ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଯୋଗ ଦେବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧ କୋଟି ୧୯ ଲକ୍ଷ ୮୮ ହଜାର ୧୦୩ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଖର୍ଚ୍ଚ ବଢ଼ି ୨୦୨୩-୨୪ରେ ୯ କୋଟି ୫୮ ଲକ୍ଷ ୧୮ ହଜାର ୩୩୧ ଟଙ୍କାରେ ପହଞ୍ଚିଥିଲା। ରୋଗୀସେବା ଆଳରେ ଡାକ୍ତରଙ୍କୁ ପାରିତୋଷିକ ବାବଦକୁ ଡିଏମ୍‌ଏଫ୍‌ରୁ ପୂର୍ବତନ ଜିଲ୍ଲାପାଳ ଶ୍ରୀ ଠାକ୍‌ରେ ମନଇଚ୍ଛା ଖର୍ଚ୍ଚ କରିଥିବା ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଓ ଯଜ୍ଞପ୍ରସାଦ ସାହୁ କହିଛନ୍ତି।

୫୭ ଡାକ୍ତର ନେଇଛନ୍ତି ୪୭.୭୭ କୋଟି
୪ ଘଣ୍ଟା ରୋଗୀ ଦେଖିବାକୁ ୩୦ ହଜାର
ପୂର୍ବତନ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ସମୟରେ ହୋଇଛି ସର୍ବାଧିକ ବ୍ୟୟ

ଶ୍ରୀ ନାୟକ କହିଛନ୍ତି, ଡିଏମ୍‌ଏଫ୍‌ରୁ ନିଯୁକ୍ତି ପାଇଥିବା ୫୭ଜଣ ଡାକ୍ତରଙ୍କ ମଧ୍ୟରୁ ୨୬ଜଣ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି। ସେହିପରି ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ୮ଜଣ, ଚମ୍ପୁଆରେ ଦୁଇଜଣ, ବାଂଶପାଳ, ଯୋଡ଼ା, ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ଜଣ ଲେଖାଏଁ ଏବଂ ତେଲକୋଇରେ ୨ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ପ୍ରତି ଥର ପାଇଁ ୩୦ ହଜାର ଟଙ୍କା ନେଇଛନ୍ତି। ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ଡାକ୍ତର ଉଦୟ ଭାସ୍କର ପଣ୍ତାଙ୍କୁ ମାସିକ ପାରିତୋଷିକ ବାବଦକୁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଡାକ୍ତର ଦେବକାନ୍ତ ମିଶ୍ର, ଡାକ୍ତର ଦିବ୍ୟସୁନ୍ଦର ମହାନ୍ତ, ଡାକ୍ତର ମାନଭଞ୍ଜନ ଜେନା ଓ ଡାକ୍ତର ଦୀପକ ନାରାୟଣ ଲେଙ୍କାଙ୍କୁ ପ୍ରତିଥର ପାଇଁ ୩୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି। ସେହିପରି ଡାକ୍ତର କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ୨୮ ହଜାର, ଡାକ୍ତର ସ୍ୱୟଂସୁଧା ପଣ୍ତା ୩୦ ହଜାର ଟଙ୍କା ନେଉଥିବା ବେଳେ ଡାକ୍ତର ଜିଙ୍ଗା ଉମାମହେଶ୍ୱର ରାଓ ମାସକୁ ୨ ଲକ୍ଷ ଟଙ୍କା ପାରିତୋଷିକ ନେଉଥିବା ଜଣାପଡ଼ିଛି। ଥରେ ଡାକ୍ତରଙ୍କୁ ଦେଖା କରିବା ପରେ ପରୀକ୍ଷା ରିପୋର୍ଟ ଓ ମେଡିସିନ୍ ପାଇଁ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ ମାସମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି। ରୋଗୀସେବା ପାଇଁ ଡିଏମ୍‌ଏଫ୍‌ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୪ କୋଟି ୬୮ ଲକ୍ଷ ୧୨ ହଜାର ୭୧୫ ଟଙ୍କା, ୨୦୨୦-୨୧ ଆର୍ଥିକ ବର୍ଷରେ ୭ କୋଟି ୨୪ ଲକ୍ଷ ୮୩ ହଜାର ୩୦୫ ଟଙ୍କା, ୨୦୨୧-୨୨ ଆର୍ଥିକ ବର୍ଷରେ ୮ କୋଟି ୯୭ ଲକ୍ଷ ୧୩ ହଜାର ୬୫ ଟଙ୍କା, ୨୦୨୨-୨୩ ଆର୍ଥିକ ବର୍ଷରେ ୮ କୋଟି ୬୫ ଲକ୍ଷ ୫ ହଜାର ୩୫୮ ଟଙ୍କା ଓ ୨୦୨୪-୨୫ ଆର୍ଥିକ ବର୍ଷରେ ୭ କୋଟି ୪୨ ଲକ୍ଷ ୪ ହଜାର ୨୩୮ ଟଙ୍କା ଖର୍ଚ୍ଚ କରାଯାଇଛି। ରୋଗୀସେବା ଆଳରେ ପାଣି ଭଳି ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ଲୋକେ ଯେଭଳି ଉପକୃତ ହେବା କଥା ହୋଇ ପାରୁନାହାନ୍ତି।