ଯାଜପୁର ସହର ଓ ବ୍ୟାସନଗର ପୌରାଞ୍ଚଳ ସମେତ ବିଭିନ୍ନ ଗାଁରେ ୪୮ ଘଣ୍ଟିଆ ସଟଡାଉନ୍

ଯାଜପୁର:  ଯାଜପୁର ସହର ଓ ବିଭିନ୍ନ ଗାଁକୁ ଆଜି ସଟଡାଉନ କରାଯାଇଛି । ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳକୁ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଆଜି ରାତି ୮ଟାରୁ ସୋମବାର ରାତି ୮ଟା ଯାଏଁ ସଟଡାଉନ ଜାରି ରହିବ ।  ଯାଜପୁର ସହର ସମେତ ବିଭିନ୍ନ ଗାଁକୁ ମଧ୍ୟ ୪୮ ଘଣ୍ଟିଆ ସଟଡାଉନ ଅନ୍ତର୍ଭୁକ୍ତ କରାଯାଇଛି ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ଚାରିଲଙ୍ଗଳ, ନେଉଳପୁର ସମେତ ପ୍ରତି ବ୍ଲକ ମୁଖ୍ୟାଳୟ ଅଞ୍ଚଳ ସଟଡାଉନ କରିଛି ପ୍ରଶାସନ । କରୋନା ମୁକାବିଲା ସହ ସଂକ୍ରମଣ ରୋକିବାକୁ ଏହି ପଦକ୍ଷେପ ନେଇଛି ପ୍ରଶାସନ ।

ତେବେ ଗତକାଲି ନୂଆ କରି ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁକାବିଲା ପାଇଁ ଆଜି ସକାଳେ  ଯାଜପୁର ଜିଲ୍ଲା ଅନ୍ତର୍ଗତ ରସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଛି। ବ୍ରହ୍ମବରଦାର ୩ କିଲୋମିଟର ପରିଧି ଭିତରେ ଚଳାଚଳ ବନ୍ଦ ଲାଗି ନିର୍ଦେଶ ଦିଆଯାଇଛି। ଯାଜପୁରର ସଂକ୍ରମିତ ବ୍ୟକ୍ତିଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତରକରିବାକୁ ବି ନିଷ୍ପତ୍ତି ହୋଇଛି। ତାଙ୍କ ପରିବାରକୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ ବୋଲି  ଜଣାଯାଇଛି।

ସୂଚନାଯୋଗ୍ୟ, ରସୁଲପୁର ବ୍ଲକ୍‌ ବ୍ରହ୍ମବରଦାର ଜଣେ ମୌଲବୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଫେରିବା ପରେ  ନିଜ ଘରେ ଥିଲେ। ଏହା ଜଣାପଡ଼ିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଉକ୍ତ ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ମରକଜ ଠାରେ ଅନୁଷ୍ଠିତ ତବଲିଗ ଜମାତ୍ (ଧର୍ମସଭା)ରେ ଯୋଗଦାନ କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୩ଜଣଙ୍କୁ ପ୍ରଶାସନ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଥିବାବେଳେ ସମସ୍ତଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି।

ସମ୍ବନ୍ଧିତ ଖବର