ଭୁବନେଶ୍ବର: ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଯଥେଷ୍ଟ ଆଳୁ ଆଣୁଥିବା କହିଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତରପ୍ରଦେଶରୁ ୨ଟି ଟ୍ରେନ୍ରେ ୪୮ହଜାର କ୍ବିଣ୍ଟାଲ ଆଳୁ ଅଣାଯାଉଛି। ଆସନ୍ତା ୪-୫ଦିନ ଭିତରେ ଆଳୁ ଓଡ଼ିଶାରେ ପହଞ୍ଚିଯିବ। ରାଜ୍ୟରେ ଆଳୁ ଦର ଠିକ୍ ରହିଛି। ଚଢ଼ା ଦରରେ ଆଳୁ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀ କିମ୍ବା ମହଜୁଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରାଜ୍ୟରେ ୧୯ଶହଟି ସରକାରୀ ଖୁଚୁରା ଦୋକାନରେ ୩୦ ଟଙ୍କାରେ ଆଳୁ ବିକ୍ରି କରାଯାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି।
ଅପରପକ୍ଷରେ ଆଳୁ ବ୍ୟବସାୟୀଙ୍କ ଉପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ୟୁନିଟ୍-୧ ହାଟରେ ଲଟ୍କାରେ ଦର ଲେଖି ନ ଥିବା ଓ ଚଢ଼ା ଦରରେ ଆଳୁ ବିକ୍ରି କରୁଥିବା ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ରାଜ୍ୟ ସରକାର କେ.ଜି ପିଛା ୩୫-୩୬ ଟଙ୍କା ଦରରେ ଆଳୁ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ବ୍ୟବସାୟୀମାନେ ଏହାକୁ ମାନିବାକୁ ନାରାଜ। ଏକଥାକୁ ନେଇ ଆଜି ଯୋଗାଣ ଅଧିକାରୀ ଓ ଦୋକାନୀ ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ କହିବା କଥା ଯେତିକି ଟଙ୍କାରେ ଆଳୁ କିଣୁଛୁ ସେଥିରେ ୩୬ଟଙ୍କାରେ ବିକ୍ରି କରିବା ସମ୍ଭବ ନୁହେଁ। ଏମିତି ହେଲେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ। ଏହାର ବିରୋଧରେ ସେମାନେ ପଚା ଆଳୁ ଫୋପାଡ଼ି ପ୍ରତିବାଦ କରିଛନ୍ତି।
ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟରେ ଆଳୁର ଏବେ କିଛି ଷ୍ଟକ୍ ନାହିଁ। ପ୍ରତ୍ୟେକଦିନ ଯେତିକି ଆଳୁ ଆସୁଛି, ସେତିକି ବିକ୍ରି ହେଉଛି। ଗତ ୨ଦିନ ହେବ ପଶ୍ଚିମବଙ୍ଗରୁ ଆଳୁ ଆସୁନାହିଁ। ଆଜି ରାଜ୍ୟକୁ ଯେତିକି ଆଳୁ ଗାଡ଼ି ଆସିଛି ସେସବୁ ୨ଦିନ ପୂର୍ବର। ଆଇଗିଣିଆ ଆଳୁ ଗଦିକୁ ଆଜି ୨୦ଟି ଗାଡ଼ି ଆସିଛି। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ, ଶୀତଳ ଭଣ୍ଡାର ମାଲିକ, ଚାଷୀ ଓ ସ୍ଥାନୀୟ ସରକାରଙ୍କ ଏକ ବୈଠକ ବସିବ। ଆଗକୁ ଓଡ଼ିଶାକୁ ଆଳୁ ଆସିବ ନାହିଁ ତା ପରେ ଜଣାପଡ଼ିବ। ସେହିପରି ଉତ୍ତରପ୍ରଦେଶରୁ ପ୍ରତ୍ୟେକଦିନ କିଛି ଗାଡ଼ି ଆସୁଛି। ତେବେ ପିଆଜ ଦର ବଢ଼ିନାହିଁ। ପାଇକାରୀ ଦର କ୍ବିଣ୍ଟାଲ୍ ପିଛା ୩୫-୪୧ଶହ ଭିତରେ ରହିଛି। ଆଳୁ ସଂକଟର ସମାଧାନ ପାଇଁ କେନ୍ଦ୍ର ସରକାର ନିଜ ଆଡ଼ୁ ହସ୍ତକ୍ଷେପ କରିବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/potato-agencies.jpg)